କରୋନା: ଦିଲ୍ଲୀରେ ୫୦ରୁ ଉର୍ଦ୍ଧ ଲୋକଙ୍କ ଏକତ୍ର ଉପରେ କଟକଣା
![](https://www.odishalink.com/wp-content/uploads/2020/03/kejriwal.jpg)
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ସାରା ଦେଶବାସୀ ଆତଙ୍କିତ ଥିବା ବେଳେ ରାଜଧାନୀ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଜିଲାର ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଦିଲ୍ଲୀର କୌଣସି ସ୍ଥାନରେ ୫୦ରୁ ଉର୍ଦ୍ଧ ଲୋକଙ୍କ ଏକତ୍ର ହେବା ଉପରେ କଟକଣା ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି। ଯେକୌଣସି ପ୍ରକାର ଧାର୍ମିକ, ରାଜନୈତିକ ଅଥବା ସାମାଜିକ କାର୍ଯ୍ୟକ୍ରମ କିମ୍ବା ବିକ୍ଷୋଭ ପ୍ରଦର୍ଶନ ହେଉ ନା କାହିଁକି, କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ବୋଲି କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲକ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ।
ବୈଠକ ପରେ ଶାହୀନବାଗ ଆନ୍ଦୋଳନ ସଂପର୍କରେ ପଚରାଯିବାରୁ କେଜ୍ରିୱାଲ କହିଛନ୍ତି, ଯେକୌଣସି ବିକ୍ଷୋଭ ହେଉ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ। ତେବେ ବିବାହ ଉତ୍ସବ ପାଇଁ ଏହି କଟକଣା ଲାଗୁ ହୋଇନାହିଁ। କିନ୍ତୁ ବିବାହ ତାରିଖକୁ ଘୁଞ୍ଚାଇବାକୁ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିସହ ସହରର ସମସ୍ତ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ପୋର୍ଟେବୁଲ ହ୍ୟାଣ୍ଡୱାସ୍ ଷ୍ଟେଶନ କରାଯିବା ନେଇ କେଜ୍ରିୱାଲ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
Comments are closed.