ଆଜିଠୁ ଆମେରିକାରେ କରୋନା ଭାଇରସ୍ର ଟିକା ପରୀକ୍ଷଣ
ଓ୍ଵାସିଂଟନ୍: ଆଜିଠୁ ଆମେରିକାରେ କରୋନା ଭାଇରସ୍ର ଟିକା ପରୀକ୍ଷଣ ଆରମ୍ଭ। କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ଟିକାର ଆଜି ଡାକ୍ତରୀ ପରୀକ୍ଷଣ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। ଏହି ପରୀକ୍ଷାମୂଳକ ଟିକା ନିମନ୍ତେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ୍ ପାଣ୍ଠି ଯୋଗାଇଛି। ସିଟଲ୍ ଠାରେ ଥିବା ‘କାଇଜର୍ ପର୍ମାନେଣ୍ଟ୍ ଓ୍ଵାସିଂଟନ୍ ହେଲ୍ଥ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ରେ ଏହି ପରୀକ୍ଷଣ କରାଯିବ।
୪୫ଜଣ ତରୁଣ ତଥା ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ଭିନ୍ନ ଭିନ୍ନ ମାତ୍ରାରେ ଏହି ଟିକା ଦିଆଯିବ। ପ୍ରସ୍ତୁତ ଟିକାରେ କରୋନା ଭାଇରସ୍ ନାହିଁ। ତେଣୁ ଟିକା ନେଉଥିବା ସ୍ୱେଚ୍ଛାସେବୀଙ୍କ ଦେହରେ କରୋନାଭାଇରସ୍ ସଂକ୍ରମଣ ହେବାର ଆଦୌ ସମ୍ଭାବନା ନାହିଁ। ଏହି ଟିକା ପରୀକ୍ଷଣର ମୁଖ୍ୟ ଲକ୍ଷ୍ୟ ହେଉଛି ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅନୁଧ୍ୟାନ କରିବା। ପାର୍ଶ୍ୱ ପ୍ରତିକ୍ରିୟା ଅନୁଧ୍ୟାନ ପରେ ଯାଇ ଅଧିକ ଲୋକଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯିବ। ଆମେରିକାର ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, କୌଣସି ପୂର୍ଣ୍ଣ ବିକଶିତ ଟିକା ପ୍ରସ୍ତୁତ କରିବାକୁ ବର୍ଷେରୁ ଦେଢ଼ବର୍ଷ ସମୟ ଲାଗିଥାଏ। କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ ସମଗ୍ର ବିଶ୍ୱର ଗବେଷକମାନେ ‘କୋଭିଡ୍-୧୯’ ଟିକା ପାଇଁ ଗବେଷଣା କରୁଛନ୍ତି।
Comments are closed.