କରୋନା ଭୂତାଣୁ : ଓଡ଼ିଶାକୁ ଆସୁଥିବା ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ -୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ଦେଶରେ ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବାବେଳେ ୩ ଜଣଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଏ ପର୍ଯ୍ୟନ୍ତ ୦-୯ ବର୍ଷ ବୟସର କୌଣସି ଶିଶୁଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇନାହିଁ ।
ବାହାରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନ୍ଲାଇନ୍ ପୋର୍ଟାଲ୍ covid19.odisha.gov.in ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ପଞ୍ଜୀକରଣ କରିଛନ୍ତି । ୧୦୪ ସହାୟତା ନମ୍ବର ଜରିଆରେ ୫୫୪ ଜଣ ଏବଂ ୱେବ୍ସାଇଟ୍ରେ ୬୮୫ ଜଣ ପଞ୍ଜୀକରଣ କରିଛନ୍ତି ।
ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଏବଂ ଜନସାଧାରଣ ଏହାର ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ଆମେରିକାରୁ ଫେରିଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଓ ପରିବାରବର୍ଗ ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକରଣ କରିବା ସହ ୧୪ ଦିନିଆ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ହସ୍ତଗତ ୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍ ଆସିଥିବାବେଳେ ଯେଉଁ ଜଣଙ୍କଠାରେ ପଜିଟିଭ୍ ଆସିଛି ସେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ୍ କଲେଜ୍- ହସ୍ପିଟାଲ୍ଗୁଡ଼ିକରେ ଆଇସୋଲେସନ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୪୦ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରହିଛି ।
ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବ୍ଲକ୍ସ୍ତରରେ କ୍ୱାରାଣ୍ଟାଇନ୍ର ସୁବିଧା ନିମନ୍ତେ ଚିହ୍ନଟ ହୋଇଥିବା ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ covid19.odisha.gov.in ଲାଇନ୍କୁ ୧୦ ହଜାରରୁ ଊଦ୍ଧ୍ୱର୍ କଲ୍ ଆସିଛି । ଏହି କଲ୍ ସେଣ୍ଟରର କଳେବର ବୃଦ୍ଧି ସହ ଏହାକୁ ଅଧିକ ବ୍ୟାପକ କରିବା ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବ ଡ. କି୍ରଷନ୍ କୁମାରଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ।
ଘରୋଇ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ କରୋନା କେନ୍ଦ୍ର ସ୍ଥାପନ କରିବା, ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ ସହ ଅନାବଶ୍ୟକ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସପିଂ ମଲ୍ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରା ନଯାଇ ଖାଦ୍ୟ ଓ ଗ୍ରୋସୋରୀ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦିର ବିକି୍ରବଟା କରାଯିବ । ତେବେ ଆବଶ୍ୟକ ନପଡ଼ିଲେ ମଲ୍କୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି । ବ୍ୟାଙ୍କଗୁଡ଼ିକରେ ଗହଳି କମାଇବା ସହିତ ନିୟମିତ ଭାବରେ ଏଟିଏମ୍ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ଆଶ୍ରମ ସ୍କୁଲଗୁଡ଼ିକର ଛାତ୍ରାବାସରେ ୫ ଲକ୍ଷ ୭୫ ହଜାର ଅନ୍ତେବାସୀ ରହିଛନ୍ତି । ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛି ।
ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଘରେ ବିନା ବାୟୋମେଟି୍ରକ୍ରେ ମଧ୍ୟ ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ ।
ଗ୍ରାମପଞ୍ଚାୟତ ସ୍ତରରେ ଚଳିତ ମାର୍ଚ୍ଚ ୧୯, ପଞ୍ଚାୟତ ସମିତି ସ୍ତରରେ ୨୦ ଏବଂ ଜିଲ୍ଲା ପରିଷଦ ପାଇଁ ୨୧ ତାରିଖ ତିନିଦିନ ଧରି ସଚେତନତା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ସେମାନଙ୍କୁ ସଂପୂର୍ଣ୍ଣ ଅବଗତ କରାଯିବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.