କରୋନା: ଭାରତରେ ୧୪୭ ଆକ୍ରାନ୍ତ
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୭କୁ ବୃଦ୍ଧି। ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ ଜଣ ଭାରତୀୟ ଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ତେବେ ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୮ ଜଣ ଆକ୍ରାନ୍ତ ଥିବା ବେଳେ କେରଳରେ ୨୫ ଜଣ ଆକ୍ରାନ୍ତ ଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରେନାରେ ଆକ୍ରାନ୍ତ ଥିବା ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହା ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମିତ ତୃତୀୟ ମୃତ୍ୟୁ।
ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ନିଜ ବାସଭବନରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ସତ୍ତ୍ବେ ସେ ସତର୍କତାମୂଳକ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି । ଏଥିସହ ଲଦାଖରେ ଅବସ୍ଥାପିତ ଜଣେ ଭାରତୀୟ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେନାରେ କରୋନା ସଂକ୍ରମଣର ଏହା ହେଉଛି ପ୍ରଥମ ମାମଲା | ସେନା ସୂତ୍ରରୁ ପ୍ରକାଶ ଯେ, ଲଦାଖ ସ୍କାଉଟର ୩୪ ବର୍ଷ ବୟସ୍କ ଯବାନଙ୍କ ବାପା ଇରାନ୍ ଯାଇ ଫେବୃଆରୀ ୨୭ତାରିଖରେ ଫେରିଥିଲେ। ତାଙ୍କ ବାପାଙ୍କୁ ୨୯ ଫେବୃଆରୀଠାରୁ ଅଲଗା ରଖାଯାଇଥିଲା ଏବଂ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା।
Comments are closed.