ଭାରତରେ କାୟା ମେଲାଉଛି ‘କରୋନା ଭାଇରସ୍’, ୮୦ରୁ ଉର୍ଦ୍ଧ୍ବ ସହର ଲକ ଡାଉନ
ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ମେଲାଉଛି ‘କରୋନା ଭାଇରସ୍’। କରୋନା ଭାଇରସର ମୁକାବିଲା କରିବା ଉଭୟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ହେଲେ ଏବେ ସୁଦ୍ଧା ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩୯୬ରେ ପହଁଚିଲାଣି। ଭାରତୀୟ ମେଡିକାଲ କାଉନସିଲ୍ ରିସର୍ଚ ରିପୋର୍ଟରୁ ଏହା ଜଣାପଡିଛି। ବର୍ତମାନ ସୁଦ୍ଧା ୧୮ ହଜାର ୧୨୭ ଜଣଙ୍କ ନମୂନା ଯାଂଚ କରାଯାଇଛି। ଯାହା ମଧ୍ୟରୁ ୩୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏଥିସହିତ ରିପୋର୍ଟ ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି।
ଅପରପକ୍ଷେ କରୋନା ମୁକାବିଲା ପାଇଁ ଦେଶର ୨୨ଟି ରାଜ୍ୟର ପ୍ରାୟ ୮୦ଟି ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ। ଏହା ମଧ୍ୟରେ ଦେଶର ପ୍ରମୁଖ ସହର ଏହି ଲକଡାଉନ ତାଲିକାରେ ରହିଛନ୍ତି।ସାମାଜିକ ଦୂରତା ବଜାୟ ରଖି କରୋନା ମୁକାବିଲା କରିବାକୁ ଏପରି କଠୋର ନିଷ୍ପତି ନିଆଯାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟର ନାଗରିକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର।
ସେହିପରି ବିଶ୍ୱରେ କରୋନା ସଂକ୍ରମଣ ଏବେ ୧୯୨ଟି ଦେଶକୁ ବ୍ୟାପିଲାଣି। ଏହା ମଧ୍ୟରେ ରହିଛି ୫ଟି ଦେଶ ଯେଉଁଠାରେ କରୋନା ସ୍ଥିତି ଚିନ୍ତା ଜନକ। ଚୀନ, ଇଟାଲି, ଆମେରିକା , ସ୍ପେନ୍ ଓ ଜର୍ମାନୀ ରେ ଏପରି ସ୍ଥିତି ରହିଛି। ଏହା ମଧ୍ୟରେ ୩ ଲକ୍ଷ ୩୨ ହଜାର ୧୩୪ ଜଣ କରୋନା ଆକ୍ରାନ୍ତ ବିଶ୍ୱରେ ଚିହ୍ନଟ ହୋଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ୧୪ ହଜାର ୬୧୧କୁ ବୃଦ୍ଧି ହୋଇଛି। ସେହିପରି ଚିକିତ୍ସା ପରେ ବିଶ୍ୱରେ ୯୬ ହଜାର ୯୫୮ ଜଣ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।
Comments are closed.