IPL ରଦ୍ଦ ହେଲେ ସୁଦ୍ଧା ଧୋନିଙ୍କୁ ମିଳିବ ଶେଷ ସୁଯୋଗ, ପୂର୍ବତନ କୋଚଙ୍କ ଦାବି

ଓଏଲ୍ ବ୍ୟୁରୋ: ମହାମାରୀ କରୋନା ପାଇଁ ସଙ୍କଟରେ ବିଶ୍ବ। ଏଥିସହ ଭାରତରେ ମଧ୍ୟ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ୍। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। କରୋନା ପାଇଁ ଇଣ୍ଡିଆନ୍ ପ୍ରିମୟର ଲିଗ୍ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି ବିସିସିଆଇ। ଦେଶରେ ଦିନକୁ ଦିନ କରୋନା ମହାମାରୀ ବ୍ୟାପୁଥିବାରୁ ଚଳିତ ବର୍ଷ ଆଇପିଏଲ ରଦ୍ଦ ହେବାର ଆଶଙ୍କା ଦେଖାଯାଉଛି।
ଆଇପିଏଲ ଏପ୍ରିଲ ୧୫ ଯାଏ ସ୍ଥଗିତ ଥିବାରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସନ୍ଦେହ ଦେଖାଦେଇଛି। ହେଲେ ଧୋନିଙ୍କ ପିଲା ଦିନର କୋଚ୍ କେଶବ ରଞ୍ଜନ ବାନାର୍ଜୀଙ୍କ ଆଶା ଓ ବିଶ୍ବାସ ଯେ ଧୋନି ଭାରତୀୟ ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ।
୩୮ ବର୍ଷୀୟ ଧୋନି ୨୦୧୯ ବିଶ୍ବକପ୍ ସେମି ଫାଇନାଲ ମ୍ୟାଚ ପରଠୁ କ୍ରିକେଟରୁ ଦୂରରେ ରହିଛନ୍ତି। ଶ୍ରୀ ବାନାର୍ଜୀ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ ହୋଇ ନପାରେ । ହେଲେ ବିସିସିଆଇର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ। ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ଧୋନିଙ୍କ ପାଇଁ କଠିନ ହୋଇପାରେ ହେଲେ ମୋର ୬ଷ୍ଠ ଇନ୍ଦ୍ରୀୟ କହୁଛି ଯେ, ଧୋନିଙ୍କୁ ଟି-୨୦ ବିଶ୍ବକପ୍ରେ ଖେଳିବାକୁ ସୁଯୋଗ ମିଳିବ। ଆହୁରି ସେ କହିଛନ୍ତି ଯେ, ଧୋନି ନିଜ ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି। ଆଉ ଏବେ ସେ ପୁରାପୁରି ଫିଟ୍ ଅଛନ୍ତି ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବରୁ କହିଥିଲେ ଯେ ଆଇପିଏଲ ହିଁ ଧୋନିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏଥିସହିତ ସୁନିଲ ଗାଭାସ୍କାର ଓ ବିରେନ୍ଦ୍ର ସେହଓ୍ବାଗ ମଧ୍ୟ ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଥିଲେ।
Comments are closed.