ସାମ୍ବାଦିକ: ସାମାଜିକ ସୁରକ୍ଷା ବିହୀନ କୋଭିଡ୍ ଯୋଦ୍ଧା
ସତରେ ଗତ ତିନିମାସରେ ସମଗ୍ର ବିଶ୍ୱରେ ଅନେକ କିଛି ବଦଳି ଯାଇଛି। ଦେଶ ବିଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ତାଲା ପଡ଼ିଛି। ବିଶ୍ୱରେ ବ୍ୟବସାୟ କାରବାର ଠପ୍ ହୋଇଯାଇଛି। ବିଶ୍ୱର ଅନେକ ଦେଶରେ ଲୋକ ଏବେ ଏକପ୍ରକାର ଗୃହବନ୍ଦୀ। କରୋନା ପରି ଏକ ଅଜଣା ଅଶୁଣା ଭୂତାଣୁର ପ୍ରଭାବରେ ଏବେ ବିଶ୍ୱ ଆତଙ୍କିତ। ପ୍ରାୟ ପ୍ରାୟ ସବୁ ଦେଶରେ ନିଜର ପ୍ରଭାବ ବିସ୍ତାର କରିସାରିଥିବା କରୋନା ଏବେ ବିଭିନ୍ନ ଦେଶରେ ମୃତ୍ୟୁତାଣ୍ଡବ ରଚି ଚାଲିଛି। ୭ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରି ୩୭,୦୦୦ରୁ ଅଧିକ ମୁଣ୍ଡ ନେଇ ସାରିଲାଣି ଏହି କରୋନା ଭୂତାଣୁ। ଆଗକୁ କଣ ହେବ ତାହା କେହି କହିବା ଅବସ୍ଥାରେ ନାହାନ୍ତି। ପୃଥିବୀର ସବୁ ବଡ଼ ବଡ଼ ବିତ୍ତଶାଳୀ, ଅର୍ଥନୈତିକ ରୁପେ ଶକ୍ତିଶାଳୀ ତଥା ସ୍ୱାସ୍ଥ୍ୟସେବା ଯୋଗାଇବାରେ ଦୁନିଆରେ ନାମ କରିଥିବା ଦେଶ ଯଥା ଆମେରିକା, ଇଟାଲୀ, ସ୍ପେନ ଆଦି ଏହି ରୋଗ ଆଗରେ ଏକ ରକମ ଆତ୍ମସମର୍ପଣ କରି ଦେଲେଣି ଯେମିତି। ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକଡାଉନ୍ର ଘୋଷଣା କରାଯାଇଛି। ଲୋକ ନିଜକୁ ନିଜେ ବାଧ୍ୟ ହୋଇ ଗୃହବନ୍ଦୀ କରି ରଖିଛନ୍ତି। ସାମାଜିକ ଦୂରତା ଏବଂ ହାତଧୁଆକୁ ପାଥେୟ କରି ଏହି ମହାମାରୀକୁ ଜିିତିବାକୁ ଲକ୍ଷ୍ୟ କରି ଲୋକେ ଘରେ ପଡ଼ି ରହିଛନ୍ତି।
ହଁ ଗତ ତିନିମାସରେ ଆଉ ଗୋଟିଏ ଦୁଇଟି ଜିନିଷ ବି ବଦଳି ଯାଇଛି। ବିଶ୍ୱର ବିଭିନ୍ନ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ଏବଂ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କ ଉପରେ କାର୍ଯଭାର ବଢ଼ିଯାଇଛି। କରୋନା ପରି ଏକ ଅତୀବ ସଂକ୍ରାମକ ରୋଗକୁ ଯଦି ସବୁଠାରୁ ପାଖରୁ କିଏ ଦେଖୁଥାଆନ୍ତି ତେବେ ସେମାନଙ୍କ ମଧ୍ୟରୁ ସମାଜର ଏହି ଦୁଇ ଗୋଷ୍ଠୀ ରହିବେ।
କରୋନା ସଂକ୍ରମଣର ଖବର ଆସିବା ମାତ୍ରେ ଅନେକ ସ୍ଥାନରେ ଖବରକାଗଜ ବନ୍ଦ ହୋଇଯାଇଛି। ଆଉ କିଛି ସ୍ଥାନରେ ଖବରକାଗଜର ଆକାର ପ୍ରକାର ଛୋଟ ହୋଇଯାଇଛି। ଖବରକାଗଜରୁ ଅନ୍ୟ ସବୁ ଖବର ହଟିଯାଇ କେବଳ କରୋନା ସଂକ୍ରମଣ ଏବଂ ଏ ନେଇ ପ୍ରସ୍ତୁତିର ଖବର ପ୍ରମୁଖତାର ସହ ସ୍ଥାନ ପାଉଛି। ଟେଲିଭିଜନରେ ମଧ୍ୟ ସେହି ଗୋଟିଏ କଥା ଦେଖିବାକୁ ମିଳୁଛି। ଅନ୍ୟ ସବୁ ମସାଲାଦାର ଖବରର ସ୍ଥାନ ନେଇଛି କରୋନ ସଂକ୍ରମଣ। ୱେବପୋର୍ଟଲ ବି ଘଣ୍ଟାକୁ ଘଣ୍ଟା କେବଳ କରୋନା ସଂକ୍ରମଣ ସମ୍ବନ୍ଧୀୟ ଖବର ପ୍ରଚାର ଆଉ ପ୍ରସାର କରୁଛି।
ଏହି ପରିବର୍ତ୍ତିତ ସମୟରେ ସାମ୍ବାଦିକଟିଏ ଆହୁରି ଅଧିକ ସମସ୍ୟାର ସାମନା କରୁଛି। ରାସ୍ତାରେ ଲକ୍ଡାଉନ୍। କରୋନା ଭୟରେ ଲୋକ ରାସ୍ତାକୁ ବାହାରିବାକୁ ମନା। ଏହି ସମୟରେ ବି ସାମ୍ବାଦିକ ଜଣଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି; ଖବର ସଂଗ୍ରହ କରିବାକୁ ପଡ଼ୁଛି ଓ ବାଇଟ୍ ଆଣିବାକୁ ପଡ଼ୁଛି। ଖବରର ସ୍ନାୟୁ କେନ୍ଦ୍ରରେ ଖବର ପହଁଚାଇବାକୁ ପଡ଼ୁଛି ଅନବରତ। ଅନେକ ସାମ୍ବାଦିକ ସମାଜସେବା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସେଇ ଖବର ଆମ ପାଖରେ ପରସା ହୋଇ ଚାଲିଛି ଅନବରତ। ସେଇ ଖବରରୁ ତ ଆମେ ନିଜ ପାଇଁ ବଂଚିବାର ରାହା ପାଉଛୁ। ଖବର ଦେଖି ସୂଚନା ପାଉଛୁ ଆଉ ସଶକ୍ତ ହେଉଛୁ।
କରୋନା ସଂକ୍ରମଣରେ ସାମ୍ବାଦିକ ଜଣଙ୍କ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଯଦିଓ ଅନେକ ସଂସ୍ଥା ସାମ୍ବାଦିକମାନଙ୍କ ପାଇଁ ମାର୍ଗଦିର୍ଶିକା ଜାରି କରିଛନ୍ତି ତଥାପି ତାହା ସଂକ୍ରମଣ ଏଡ଼ାଇବାକୁ ଯଥେଷ୍ଟ ନୁହେଁ। ସାମ୍ବାଦିକ ଏବେ ବି ଭିଡ଼ରୁ ଖବର ସଂଗ୍ରହ କରୁଛି, ବିଶୋଧନ ଅପେକ୍ଷାରେ ଥିବା ସର୍ବସାଧାରଣ ସ୍ଥାନକୁ ଯାଉଛି। ପୋଲିସ୍ର ନାଲିଆଖି ଆଉ ଖରାରେ ଠିଆ ହୋଇ ତା’ର କର୍ତ୍ତବ୍ୟ କରୁଛି।
ଦେଶର ଏହି ଜଟିଳ ସମୟରେ ବହୁ ସଂଖ୍ୟାରେ କୋଭିଡ୍ ଯୋଦ୍ଧା ଦରକାର ବୋଲି ବୁଦ୍ଧିଜୀବିମାନେ କହିସାରିଛନ୍ତି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ନେଇ ସାମ୍ବାଦିକଙ୍କ କାମକୁ ତାରିଫ ବି କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଗଣମାଧ୍ୟମର ମାଲିକମାନଙ୍କ ସହ କଥା ବି ହୋଇଛନ୍ତି। ତେବେ କେବଳ ଶୁଖିଲା ପ୍ରଶଂସା ଆଉ କାମ କରିବାରେ ଚାପ ଛଡ଼ା ଏ ସାମ୍ବାଦିକମାନଙ୍କୁ ଅନ୍ୟ କିଛି ମିଳିନାହିଁ।
ଦେଶରେ ହଜାର ହଜାର ସାମ୍ବାଦିକ ଗତ କିଛିମାସ ଧରି (କରୋନା ଆସିବା ଆଗରୁ) ଏକ ଜଟିଳ ବ୍ୟବସ୍ଥାର ଶିକାର ହେଉଛନ୍ତି। ଜିଏସଟି, ଡି-ମନିଟାଇଜେସନ ପରେ ଅନେକ ଛୋଟ ଛୋଟ ଖବରକାଗଜ ବନ୍ଦ ହୋଇଯାଇଛନ୍ତି। ବଡ ଖବରକାଗଜ କର୍ମଚାରୀ ଛଟେଇ କରି କାଗଜର କଳେବର ବୃଦ୍ଧି କରିଛନ୍ତି। ଓଡ଼ିଶାରେ ଏକାଧିକ ଟିଭି ଚ୍ୟାନେଲ୍ ବନ୍ଦ ହୋଇଥିବାବେଳେ ଆହୁରି ଅନେକ ଚ୍ୟାନେଲ୍ ରୁଗ୍ଣ ଏବଂ ଆଇସିୟୁରେ ଅଛନ୍ତି। ଏଥିରେ କାମ କରୁଥିବା ଅନେକ କର୍ମଚାରୀ ସାମ୍ବାଦିକତା ବୃତ୍ତିକୁ ଛାଡ଼ିଛନ୍ତି ବା କମ୍ ଦରମାରେ କାମ କରିବାରେ ବାଧ୍ୟ ହେଉଛନ୍ତି। ରାଶି ରାଶି ୱେବପୋର୍ଟଲ ଖବର ଛାପୁଛି ସିନା ହେଲେ ଏଥିପାଇଁ ଏହାର କର୍ମଚାରୀମାନଙ୍କୁ ଦରମା ଦେବାପାଇଁ ଅନେକ ମାଲିକଙ୍କ ପାଖରେ ପଇସା ନାହିଁ।
କରୋନା ସଂକ୍ରମଣ ଏବେ ଏମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି। ଅନେକ ଖବରକାଗଜ ସାମୟିକ ଭାବେ ପ୍ରକାଶନ ବନ୍ଦ କରିଦେଇ ଇ-ପ୍ରକାଶନ ଉପରେ ଜୋର୍ ଦେଇଛନ୍ତି ତ ଆଉ କେତେକେ ନିଜର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦେଇ ଘରେ ବସାଇଛନ୍ତି। କେହି କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରି ଦେଇଛନ୍ତି। ବିଜ୍ଞାପନ ସଂଖ୍ୟା କମି ଚାଲିଛି। ଦାୟୀ କାହାକୁ କରାଯିବ ତାହା ପର କଥା। ସମସ୍ତଙ୍କ ପାଇଁ ଲେଖୁଥିବା, ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଘରେ କିପରି ଚୁଲି ଜଳିବ ସେ ନେଇ ଯେମିତି କାହାର ଚିନ୍ତା ନାହିଁ। ସରକାରୀ ହିସାବରେ ରାଜ୍ୟରେ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକଙ୍କ ସଂଖ୍ୟା କେଇ ଶହ ଭିତରେ। ହେଲେ ପ୍ରକୃତରେ ଏହାଠାରୁ ଢେର ଅଧିକ ଖବର ଯୋଗାଡ଼, ଖବର ପ୍ରକାଶ, ବିତରଣ ଶିଳ୍ପ ସହ ଜଡ଼ିତ। କତିପୟ ଲୋକଙ୍କୁ ଛାଡିଦେଲେ ଅନେକଙକ ଅବସ୍ଥା ଏବେ ଏକାପରି।
ଏବେ କରୋନା ଏକ ସର୍ବକାଳୀନ ସର୍ବଶ୍ରେଷ୍ଠ ବିପତ୍ତି ଘୋଷିତ ହେଲାପରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖମନ୍ତ୍ରୀଙ୍କ ଅନୁରୋଧରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ସଂସ୍ଥା ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ଏହାର ଏକ ସିଂହଭାଗ ଖର୍ଚ୍ଚ ହେବ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ କରୋନା ନିମନ୍ତେ ପ୍ରସ୍ତୁତ କରିବାରେ; ଡାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ପାଇଁ ଖର୍ଚ୍ଚ କରିବାରେ। ଏକଥା ନୁହେଁ ଯେ ସେଠି ଆଗରୁ ଘିଅ ମହୁ ଭାସୁଥିଲା। ଡାକ୍ତରମାନଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ଉପକରଣ ନାହିଁ। ଦେଶର ସୁପରମାର୍କେଟ ଆଉ ସାଧାରଣ ଦୋକାନରୁ ସାନିଟାଇଜର ଉଭାନ ହୋଇଯାଇଛି। ମାସ୍କର ବ୍ୟାପକ କଳାବଜାରୀ। ଏହା ଭିତରେ ବି ଭାରତ କରୋନା ସଂକ୍ରମଣ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି। ତେବେ ଏ କ୍ଷେତ୍ରରେ ସମସ୍ୟାକୁ ଦୂର କରିବାକୁ ସରକାର ବୈଠକ କରୁଛନ୍ତି; ଉପାୟ ବାହାର କରାଯାଉଛି। ଅଥଚ ସାମ୍ବାଦିକ କମ୍ ଦରମାରେ, ବେଶି ପରିଶ୍ରମରେ, ସଂକ୍ରମଣର ଭୟରେ, ଛଟେଇ ହେବାର ଆତଙ୍କରେ କେମିତି ଆଉ କିପରି ନିଜର କାମ ଜାରି ରଖିପାରିବ ସେ ବିଷୟରେ କେହି କହିବାକୁ ନାହିଁ। ସତେ ଯେମିତି ଅନ୍ୟ ସମସ୍ତଙ୍କ ପାଇଁ ଚିନ୍ତା କରୁଥିବା ସମ୍ବାଦିକ ଜଣଙ୍କ ନିଜପାଇଁ ଚିନ୍ତା କରିବାକୁ ବାଧ୍ୟ।
କରୋନାରେ ନିଜର ଭୂମିକାକୁ ଏଯାଏ ବେଶ୍ ଭଲଭାବେ ତୁଲାଇ ଆସିଥିବା ସାମ୍ବାଦିକମାନଙ୍କ କଥା ବି ସରକାର ଚିନ୍ତାକରନ୍ତୁ। ଖବର ପ୍ରସାରଣ ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କ ପାଇଁ ସରକାର ବୀମା ବ୍ୟବସ୍ଥା କରନ୍ତୁ। ସମ୍ବାଦପତ୍ର ଓ ଟେଲିଭିଜନ ସଂସ୍ଥାର ମାଲିକମାନେ ମଧ୍ୟ ସାମ୍ବାଦିକମାନଙ୍କ ସ୍ୱାର୍ଥପାଇଁ ଚିନ୍ତା କରନ୍ତୁ। କରୋନା ସଂକ୍ରମଣର ଆଶଙ୍କା ସମୟରେ ଜୀବନକୁ ବାଜି ଲଗାଇ ଅତିରିକ୍ତ କାମ କରୁଥିବା ସାମ୍ବାଦିକମାନଙ୍କପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରନ୍ତୁ। ସାମ୍ବାଦିକମାନେ ରହିଲେ ହିଁ ଆମେ ସଠିକ୍ ଖବର ପାଇପାରିବା ଆଉ ସଠିକ୍ ଖବର ହିଁ କରୋନା ମହାମାରୀକୁ ପରାହତ କରିବାର ପ୍ରଥମ ମହୋଷଧୀ। ସରକାର ଏ ଦିଗରେ ଚିନ୍ତା କରିବା ଆବଶ୍ୟକ।
Comments are closed.