ସଟ୍ ଡାଉନ୍କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ଆଜି ସନ୍ଧ୍ୟା ୮ଟାରୁ ରବିବାର ରାତି ୮ଟା ଯାଏଁ ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ ଓ କଟକ ସହର ସଟ୍ ଡାଉନ୍। ଅର୍ଥାତ୍ ୨ଦିନ ପାଇଁ ରାଜଧାନୀ ଭୁବନେଶ୍ବର,କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ ହେବ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ଏହି ସଟ୍ ଡାଉନ୍ କୁ ନେଇ ରାଜ୍ୟବାସୀଙ୍କୁ ନେଇ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ପ୍ରେସ୍ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆପଣମାନେ ଜାଣିଛନ୍ତି କରୋନା ସଂକ୍ରମଣକୁ ରୋକିକା ବା ପାଇ: ସାରା ରାଜ୍ୟରେ ଲକଡାଉନ ଜାରି ରହିଛି। ଏଥିରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଚଳିତ ସପ୍ତାହ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେଣୁ ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ୩ଗୋଟି ସହର ଯଥା ଭୁବନେଶ୍ବର, ଭଦ୍ରକ ଓ କଟକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ କରିଛନ୍ତି। ଏହି ୪୮ ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ନବୀନ।
ଏହି ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଲ ଭାବରେ କରି ପାରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ୍ ଜରୁରୀ ଅଟେ। ନିଜ ପରିବାର, ବନ୍ଧୁ ମାନଙ୍କ ଭଲ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ହେବ। କଷ୍ଟ ସ୍ବୀକାର କରିବାକୁ ହେବ। ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ। ଭୁବନେଶ୍ବର, ଭଦ୍ରକ ଓ କଟକର ଜନସାଧାରଣଙ୍କୁ ମୋର ଅନୁରୋଧ ଆପଣମାନେ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍କୁ ପାଳନ କରୁନ୍ତୁ। ଘରେ ରୁହନ୍ତୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Comments are closed.