ସାରା ରାତି ବନ୍ଦ ରହୁଛି, ୯ ମିନିଟରେ ଛାନିଆ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବାସୀ ୯ ମିନିଟ୍ ପାଇଁ ଘରର ଆଲୁଅ ବନ୍ଦ ରଖି କରୋନା ଲଢ଼େଇ ପ୍ରତି ନିଜର ଏକତା ପ୍ରଦର୍ଶନ କରିଛନ୍ତି। ତେବେ ମୋଦିଙ୍କର ଏହି ଘୋଷଣା ପରେ ବିଭିନ୍ନ ରାଜ୍ୟର ଶକ୍ତି ବିଭାଗ ଯେଭଳି ଛାନିଆ ହୋଇଥିଲେ ତାହା ଦେଖିବାର କଥା।
ଏହି ୯ ମିନିଟ୍ର ବ୍ଲାକ୍ଆଉଟ୍ ପାଓ୍ବାରଗ୍ରୀଡ୍ ଉପରେ ପ୍ରଭାବ ପକାଇବ, ଏକକାଳୀନ ଦେଶରେ ସବୁସ୍ଥାନରେ ବିଦ୍ୟୁତ୍ ଉପଭୋଗ କମିଯିବାରୁ ଏହା ଗ୍ରୀଡ୍ ଉପରେ ଶକ୍ତିଚାପ ସୃଷ୍ଟି କରିବ ବୋଲି ସରକାର ଅନୁଭବ କରିଥିଲେ। ଆମ ରାଜ୍ୟରେ ଶକ୍ତି ବିଭାଗ ମଧ୍ୟ ସମାନ ଧରଣର ଆଶଙ୍କା କରିଥିଲା।
କିଛି ଗଣମାଧ୍ୟମ ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଦରେ ରିପୋର୍ଟ ବି ପ୍ରକାଶ କରିଥିଲେ। ମୋଦିଙ୍କର ଏହି ଆହ୍ବାନ ଦେଶର ପାଓ୍ବାରଗ୍ରୀଡ୍ ମାନଙ୍କରେ ଅସ୍ଥିରତା ସୃଷ୍ଟି କରିବ ବୋଲି ବହୁ ରିପୋର୍ଟ ପ୍ରକାଶ ପାଇଛି। ପାଓ୍ବାର ଗ୍ରୀଡ୍ ଫେଲ୍ କରିଯାଇପାରେ ବୋଲି ମଧ୍ୟ ବହୁ ରିପୋର୍ଟ ପ୍ରକାଶ ପାଇଛି।
ତେବେ ସେଭଳି କିଛି ବି ଅସୁବିଧା ହେବନାହିଁ ବୋଲି କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲେ।
୯ ମିନିଟ୍ର ବ୍ଲାକ୍ ଆଉଟ୍ ବେଳେ ଅନେକେ ହୁଏତ ଏ କଥା ପାଶୋର ଯାଇଥିଲେ ଯେ ଦେଶବାସୀ ପ୍ରତି ରାତିରେ ଅତି କମରେ ୪-୫ ଘଣ୍ଟା ଏକକାଳୀନ ସମସ୍ତ ଆଲୋକ ବନ୍ଦ କରିଥାଆନ୍ତି। ଏପରିକି ଅନେକ ସ୍ଥାନରେ ଷ୍ଟ୍ରୀଟ୍ ଲାଇଟ୍ ମଧ୍ୟ ବନ୍ଦ ରହିଥାଏ। ନିତିଦିନ ଘଣ୍ଟା ଘଣ୍ଟା ବ୍ଲାକ୍ ଆଉଟ୍ ଭୋଗୁଥିବା ଲୋକେ ଏ ୯ ମିନିଟ୍କୁ ନେଇ ଏତେ ଛାନିଆ କାହିଁକି?
ଅବଶ୍ୟ ଏ ପ୍ରଶ୍ନର ଉତ୍ତର ରଖିଛନ୍ତି ଆମ ରାଜ୍ୟ ଶକ୍ତି ବିଭାଗର ଜଣେ ଅଧିକାରୀ। ନିଜର ପରିଚୟ ଗୋପନ ରଖିବା ସର୍ତ୍ତରେ ସେ ଓଡ଼ିଶା ଲିଙ୍କକୁ କହିଛନ୍ତି ଯେ, ପ୍ରକୃତରେ ଆଲୋକ ୯ ମିନିଟ୍ ପାଇଁ ବନ୍ଦ ରହିଲେ କୌଣସି ଗ୍ରୀଡ୍ ସଂକ୍ରାନ୍ତୀୟ ବିପତ୍ତି ନାହିଁ। ତେବେ ଲୋକେ ଅତି ଉତ୍ସାହିତ ହୋଇ ଯଦି ସମ୍ପୂର୍ଣ୍ଣ ପାଓ୍ବାର ସପ୍ଲାଏ ବନ୍ଦ କରିଦିଅନ୍ତି ବା ଘରର ମୁଖ୍ୟ ସୁଇଚ୍ ଅଫ୍ କରିଦେଇ ଥାଆନ୍ତେ ତେବେ ତାହା ଗ୍ରୀଡ୍ ଉପରେ ଅବଶ୍ୟ ପ୍ରଭାବ ପକାଇଥାଆନ୍ତା। ସେଥିପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ବାରମ୍ବାର ‘କେବଳ ଆଲୋକମାଳା’ ବନ୍ଦ କରିବା ନେଇ ସଚେତନ କରାଇଥିଲେ।
ଏ ଆଶଙ୍କାର ଯଥାର୍ଥତା ରହିଛି। କାରଣ ଆଜି ଭଳି ମାର୍ଚ୍ଚ ୨୨ରେ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଘରର ବାଲକୋନୀ ବା ଦୂଆର ବାହାରକୁ ଆସି ତାଳି-ଥାଳି-ଘଣ୍ଟ ବଜାଇବାକୁ କହିଥିଲେ। କିଛି ଲୋକ ଏହାକୁ ଠିକରେ ବୁଝି ନପାରି ସାମାଜିକ ଦୂରତ୍ବ କଥା ଭୁଲି ରାସ୍ତାରେ ସମବେତ ହୋଇ ସଂକୀର୍ତ୍ତନରେ ମାତିଥିଲେ। ଆଜି ମଧ୍ୟ ସେଭଳି କିଛି ପାଗଳାମୀକୁ ଏଡ଼ାଇ ଦିଆଯାଇ ପାରି ନଥାନ୍ତା। ସେଥିପାଇଁ ସରକାର ବାରମ୍ବାର ଲୋକଙ୍କୁ ସଚେତନ କରିଥିଲେ। ଏଯାବତ୍ କୌଣସି ଅଘଟଣ ବା ଅବମାନନାର ଖବର ମିଳିନାହିଁ।
Comments are closed.