ଦେଶରେ ୪ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୧୦୯କୁ ବୃଦ୍ଧି

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଏହି ମହାମାରୀ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ସକାଳ ୯ଟା ସୁଦ୍ଧା ଦେଶରେ ୪୦୬୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଅପରପକ୍ଷେ ୨୯୧ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମହାରାଷ୍ଟ୍ରେ ସର୍ବାଧିକ ୪୫ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୨ ଘଣ୍ଟାରେ ଦେଶରେ ୪୯୦ ନୂଆ ମାମଲା ଆସିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ନେଉଥିବା ପରେ ବି ମୃତକଙ୍କ ସଂଖ୍ୟା ବଢିଛି। ତେବେ ଭୂତାଣୁକୁ ରୋକିବାକୁ ହେଲେ ଘରେ ସତର୍କ ରହିବା ସହ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।
Comments are closed.