Odisha Link
Bridging the Missing Links in Odisha

କରୋନା: ଓଡ଼ିଶାରେ ୪୨, ଦେଶରେ ୫୧୯୩, ବିଶ୍ବରରେ ୧୪.୩ ଲକ୍ଷ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨ରେ ପହଞ୍ଚିଛି। ଆଜି ଠାବ ହୋଇଥିବା ବ୍ୟକ୍ତି ଭୁବନେଶ୍ବର ସତ୍ୟନଗର ଅଞ୍ଚଳର। ତାଙ୍କର କୌଣସି ଗସ୍ତ ଇତିହାସ ନାହିଁ। ଅର୍ଥାତ୍‌ ସେ ସ୍ଥାନୀୟ କେଉଁଠୁ (ବଜାର, ସମ୍ପର୍କୀୟ ବା ସାଇପଡ଼ୋଶୀଙ୍କ ଠାରୁ) ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ସତ୍ୟନଗର ଅଞ୍ଚଳକୁ ସରକାର ନିୟନ୍ତ୍ରିତ କ୍ଷେତ୍ର (containment zone) ଘୋଷଣା କରିବା ସହ ଏହାକୁ ଆଜି ଠାରୁ ସିଲ୍‌ କରାଯାଇଛି।

ଓଡ଼ିଶାରେ ମୋଟ ୪୨ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରେ ୩୪ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ଅନ୍ୟ ୬ଟି ଜିଲ୍ଲାରେ ୮ ଜଣ କରୋନା ସଂକ୍ରମିତ ଠାବ ହୋଇଛନ୍ତି। ଭଦ୍ରକରେ ୩ ଜଣ ଠାବ ହୋଇଥିବା ବେଳେ କଟକ, କଳାହାଣ୍ଡି, ପୁରୀ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ରୋଗୀ ମିଳିଛନ୍ତି।

ଆଜି ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୯୩ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ଏମାନଙ୍କ ମଧ୍ୟରୁ ୧୪୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪୦୧ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ବିଶ୍ବରେ ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୪ ଲକ୍ଷ ୩୨ ହଜାର ଡେଇଁଛି। ଏଯାଏଁ ୮୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଛନ୍ତି। ଆମେରିକାରେ ସର୍ବାଧିକ ୪ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥଇବା ବେଳେ ୧୩ ହଜାର ଲୋକଙ୍କର ପ୍ରାଣହାନି ଘଟିଲାଣି। ଏମାନଙ୍କ ମଧ୍ୟରେ ଆମେରିକାର ନ୍ୟୁଜର୍ସି ଅଞ୍ଚଳରେ ରହୁଥିବା ଜଣେ ଓଡ଼ିଆ ମହିଳା ମଧ୍ୟ ପ୍ରାଣ ହରାଇଛନ୍ତି। ସ୍ପେନ୍‌ରେ ପ୍ରାୟ ୧,୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥଇବା ବେଳେ ୧୪ ହଜାରରୁ ଅଧିକ ପ୍ରାଣ ହରାଇଲେଣି। ଇଟାଲିରେ ୧.୩୫ ଲକ୍ଷଙ୍କୁ ଆକ୍ରାନ୍ତ ଓ ୧୭ ହଜାର ଜୀବନ ନେଇଛି କରୋନା। ଫ୍ରାନ୍ସରେ ଏକ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୦ ହାଜାର ଲୋକ ପ୍ରାଣ ହରାଇଲେଣି।

Comments are closed.