କରୋନା: ‘ବହୁ ସମ୍ମାନିତ’ ଭାରତୀୟ ଡାକ୍ତରଙ୍କ ବ୍ରିଟେନରେ ମୃତ୍ୟୁ

ଓଏଲ୍ ବ୍ୟୁରୋ: ସାରା ବିଶ୍ବରେ ଦିନକୁ ଦିନ କରୋନା ଭାଇରସ୍ ଯୋଗୁଁ ବହୁ ଲୋକଙ୍କ ପ୍ରାଣ ଗଲାଣି। ଏହାରି ମଧ୍ୟରେ ବହୁ ସମ୍ମାନିତ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ବ୍ରିଟେନରେ ମୃତ୍ୟୁ ଘଟିଛି। ସେ ୧୯୭୭ରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଯୋଗ୍ୟତା ହାସଲ କରିବା ପରେ ବ୍ରିଟେନରେ ଜାତୀୟ ସ୍ୱାସ୍ଥ୍ୟ ସେବାରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। କରୋନା ଜୀବାଣୁ ସଂକ୍ରମିତ ହେବା ପରେ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି ବୋଲି ୱେଲ୍ସର ଅଧିକାରୀମାନେ କହିଛନ୍ତି। କାର୍ଡିଫ୍ ଏବଂ ଭାଲେ ୟୁନିଭରସିଟି ସ୍ୱାସ୍ଥ୍ୟ ବୋର୍ଡ କହିଛି, ‘ଗଭୀର ଦୁଃଖର ସହିତ ଆମେ ଜଣାଉଛୁ ଯେ ୱେଲ୍ସ ୟୁନିଭରସିଟି ହସପିଟାଲର କାର୍ଡିଓ-ଥୋରାସିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ସ୍ପେଶାଲିଷ୍ଟ ଡାକ୍ତର ଜିତେନ୍ଦ୍ର ରାଥୋଡଙ୍କର ଦେହାନ୍ତ ହୋଇଛି।’
ବୋର୍ଡ ଆହୁରି ମଧ୍ୟ କହିଛି ଯେ କୋଭିଡ -୧୯ ପାଇଁ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ଜେନେରାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ମୃତ୍ୟୁ ବରଣ କରିଛନ୍ତି। ଜିତୁ ନାଁରେ ପରିଚିତ ଡାକ୍ତର ଜିତେନ୍ଦ୍ର ୧୯୯୦ ଦଶକ ମଧ୍ୟଭାଗରୁ କାର୍ଡିଓ-ଥୋରାସିକ୍ ସର୍ଜରୀ ବିଭାଗରେ କାର୍ଯ୍ୟ କରୁଥିଲେ।
ବ୍ରିଟେନର ଡାକ୍ତରଖାନାରେ ହଜାର ହଜାର ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଆଗ ଧାଡିରେ ସେଠାକାର ଜାତୀୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ଡାକ୍ତର ଏବଂ ନର୍ସମାନେ ଅଛନ୍ତି। ଭାରତରେ ଯୋଗ୍ୟତା ହାସଲ ପରେ ବ୍ରିଟେନରେ ଯୋଗ୍ୟତା ହାସଲ କରି ସେଠାକାର ଜାତୀୟ ସ୍ୱାସ୍ଥ୍ୟ ସେବା ଡାକ୍ତରମାନଙ୍କ ମଧ୍ୟରେ ଭାରତୀୟମାନେ ହେଉଛନ୍ତି ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ। ଡାକ୍ତର ରାଥୋଡଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି।
Comments are closed.