Odisha Link
Bridging the Missing Links in Odisha

କରୋନା ସଂକ୍ରମଣର ମାନସିକ ଦିଗ

ରୁଦ୍ରପ୍ରସନ୍ନ ରଥ

ଏବେ ସବୁଆଡ଼େ କରୋନା ବ୍ୟାପିଛି। କରୋନା ଯୋଗୁଁ ଦିନକୁ ଦିନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରାୟ ୨୦୬ ଦେଶର ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକ ଏବେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୯୦,୦୦୦ ରେ ପହଞ୍ଚିଲାଣି। ବିଶ୍ୱର ଅଧିକାଂଶ ଦେଶ ସାମାଜିକ ଦୂରତ୍ବ, ହାତଧୁଆ ଆଉ ଶ୍ୱାସ ସ୍ୱଚ୍ଛତା ଉପରେ ଜୋର ଦେଇ ଏହି ରୋଗର ଜାଲରୁ ମୁକ୍ତି ପାଇବାକୁ ବାଟ ଖୋଜୁଛନ୍ତି। ବିଶ୍ୱ ଗତ କିଛି ବର୍ଷ ମଧ୍ୟରେ ସାମନା କରିଥିବା ବିପଦମାନଙ୍କ ମଧ୍ୟରୁ ଏହା ସବୁଠାରୁ ବଡ଼ ବୋଲି କୁହାଯାଉଛି। ବର୍ତ୍ତମାନ ସ୍ଥିତି ଯାହା ଏଥିରୁ ମୁକ୍ତି ପାଇବାକୁ ଆହୁରି କିଛି ମାସ ଲାଗିଯିବ ବୋଲି ଆଶଙ୍କା ହେଉଛି।

କରୋନା ଯୋଗୁଁ ସ୍ୱାସ୍ଥ୍ୟସେବା ଉପରେ ଅତୁଳନୀୟ ଚାପ ପଡିଛି। ଅର୍ଥନୀତି ବି ପୂରା ଧିମେଇ ଯାଇଛି। ଏ ବର୍ଷ ଜିଡିପି ଅଭିବୃଦ୍ଧିହାର ୨% ରହିବ କି ନାହିଁ ସଂଦେହ। ଏହାଭିତରେ ଆହୁରି ଖରାପ ଖବର ହେଉଛି କରୋନା ଆମ ସମସ୍ତଙ୍କର ମାନସିକତାକୁ ବେଶ୍ ଆଚ୍ଛନ୍ନ କରି ରଖିଛି। ବାହାରେ ପୋଲିସ୍ ପଇଁତରା, ଘରେ ଭିତରେ ବନ୍ଦୀ ହୋଇ ରହିବାରର ଅସ୍ୱାଭାବିକ ବ୍ୟବସ୍ଥା, ପନିପରିବା, ତେଜରାତି, ସଉଦା ସରିଯିବାର ଭୟ, କେବେ ଏ ଦିନ ସବୁ ଯିବ ତାହାକୁ ଚିନ୍ତା କରି କରି ମାନସିକ ରୂପେ ମଣିଷ ଘାଣ୍ଟି ହେଉଛି। ଘରେ ରହିଲେ ବି ମଣିଷ ନିଜକୁ ସୁରକ୍ଷିତ ବୋଲି ଭାବିପାରୁନି। ଏ ସ୍ଥିତି ଯେତେ ଜଟିଳ ହୋଇ ଚାଲିଛି ମଣିଷ ନିଜ ଉପରୁ ଆସ୍ଥା ହରାଇବାର ପରି ପ୍ରତୀୟମାନ ହେଉଛି। ଅନେକ ବର୍ଷପରେ ମଣିଷକୁ ବୋଧହୁଏ ଏପରି ଏକ ପରିସ୍ଥିତିର ସାମ୍ନାକରିବାକୁ ପଡୁଛି ଯେଉଁଠି ଉଭୟ ଥିଲାବାଲା ଏବଂ ନଥିଲାବାଲା ନିଜକୁ ବେଶ୍ ଅସହାୟ ମନେ କରୁଛନ୍ତି।

ଅନ୍ୟପଟେ କରୋନା ପୀଡ଼ିତଙ୍କୁ ନେଇ ସେମାନଙ୍କୁ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ମଧ୍ୟ ଚିନ୍ତାରେ ଅଛନ୍ତି। ଇଟାଲୀରେ କେବଳ ୩୦୦୦ ପାଖାପାଖି ସ୍ୱାସ୍ଥ୍ୟକର୍ମୀ ଏବେ ସଂକ୍ରମିତ ହୋଇ ସାରିଲେଣି। ଚୀନରେ ବି ୩୩୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏ ନେଇ ସଂକ୍ରମିତ ହୋଇଗଲେଣି। ଏ ସଂକ୍ରମଣରେ କେତେ ସ୍ୱାସ୍ଥ୍ୟକର୍ମୀ ମୃତ୍ୟୁବରଣ କରିଛନ୍ତି ତାହାର କୌଣସି ସୂଚନା ନାହିଁ। ତେବେ ଏହା ନିଶ୍ଚିତ ଯେ ଏହି ସଂକ୍ରମଣ ଏବେ ଲୋକଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି। ଜର୍ମାନୀରେ ଜଣେ ରାଜନେତା ଆତ୍ମହତ୍ୟା କରିଥିବା ବେଳେ ଇଟାଲୀରେ ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଆତ୍ମହତ୍ୟା କରିଥିବାର ଖବର ସାମନାକୁ ଆସିଛି। କରୋନା ଯେହେତୁ ଏକ ବ୍ୟାପକ ସଂକ୍ରମଣ ଆଉ ଏହା ବିରୋଧରେ ଏକ ଲମ୍ବା ଲଢ଼େଇ ଲଢ଼ାଯିବାର ଅଛି ଏଣୁ ସୁସ୍ଥ ମାନସିକତା ହିଁ ଆମକୁ ଏଥିରୁ ରକ୍ଷା କରିପାରିବାରେ ସହାୟକ ହେବ।

ଘରେ ବସି ବସି ସମୟ କାଟିବା ଯେତିକି କଷ୍ଟ ତାହା ଠାରୁ କାହିଁ କେତେଗୁଣରେ କଷ୍ଟକାମ ଆପାତକାଳୀନ ସ୍ଥିତିରେ କାମ କରୁଥିବା ବିଭାଗୀୟ କର୍ମଚାରୀମାନେ କରୁଛନ୍ତି। ଶହ ଶହ ଲୋକଙ୍କୁ ନିରନ୍ତର ସେବା ଯୋଗାଇଲା ବେଳେ ସେମାନେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କେଉଁଠି ଲୋକ ତାଙ୍କୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ସେମାନେ ଲୋକଙ୍କଠାରୁ ଢେଲାପଥର ମାଡ଼ ଖାଉଛନ୍ତି। ଏପରି ସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚି ନିୟମିତ ଆଉ ନିରନ୍ତର ସେବା ଯୋଗାଇବା ପାଇଁ ଜଣେ ମାନସିକ ସ୍ତରରେ ସୁସ୍ଥ ସବଳ ହେବା ନିହାତି ଦରକାର। ପଛକୁ ଫେରୁଥିବା ବ୍ୟକ୍ତି କିମ୍ବା ଏ ପରିସ୍ଥିତିରେ କାମ କରିବାକୁ ମାନସିକ ରୁପେ ନିଜକୁ ପ୍ରସ୍ତୁତ କରିପାରୁନଥିବା ବ୍ୟକ୍ତି ଜଣଙ୍କ ଏହି ଲଢ଼େଇରେ ସତରେ ପଛରେ ପଡ଼ିଯିବ।

ଆମେ ଜାଣିଛେ ଯେ ସୁସ୍ଥମାନସିକତା ଅନେକ ରୋଗକୁ ରୋକିବାରେ ଏବଂ ଶରୀରକୁ ଶୀଘ୍ର ଭଲକରିବାରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଥାଏ। “ମୁଁ ନିଜେ ଭଲ ହୋଇପାରିବି’’ ଏହି ମାନସିକତା ରହିଲେ ହିଁ ଜଣେ ଭଲ ହେଉ ବା ନ ହେଉ ଅନ୍ତତଃ ରୋଗ ବିରୋଧରେ ଲଢ଼େଇ କରିବାରେ ସହାୟତା ପାଏ। କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ଏହି ମାନସିକତା ହିଁ ପ୍ରଧାନ ଅସ୍ତ୍ର ହେବା ଆବଶ୍ୟକ। କରୋନାରେ ସଂକ୍ରମିତ ହେବାର ବାସ୍ତବିକତାକୁ ଗ୍ରହଣକରି ଏହା ବିରୋଧରେ ଶକ୍ତି ଯୁଟେଇବାର ମାନସିକତା ରଖିଲେ ହିଁ କରୋନା ବିରୋଧରେ ଲଢ଼େଇ କରିହେବ।

ନିଜକୁ ମାନସିକ ରୂପେ ଶକ୍ତିଶାଳୀ କରି ଗଢ଼ି ତୋଳିଲେ ହିଁ ଏହି ସଂକ୍ରମଣକୁ ରୋକିହେବ। ଲକ୍ ଡାଉନ୍ ସମୟରେ ଘରୁ ଆଦୌ ନ ବାହାରିବା ପାଇଁ ଚେଷ୍ଟା କରିବା, ଘରେ ବନ୍ଦ ଥିବାବେଳେ ପିଲାଙ୍କ ସହ ଖେଳିବା, ମହିଳାଙ୍କୁ କାମରେ ସାହାଯ୍ୟ କରିବା, ବରିଷ୍ଠମାନଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବା ଆଦି କାମ କରିବା ପାଇଁ ପ୍ରସ୍ତୁତ କରିବା ଇତ୍ୟାଦି ମାନସିକତା ସୃଷ୍ଟିର ଏକ ଏକ ସୋପାନ। ପୁଣି ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ଏବଂ ନର୍ସମାନେ ମଧ୍ୟ ଏ ନେଇ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ମନେ ରଖିବା ଦରକାର ଯେ ଦେଶ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି ଏବଂ ଏହି ସମୟରେ ସେମାନଙ୍କୁ ହିଁ କାମ ପାଇଁ ଡକା ଯାଇଛି ଯେଉଁମାନେ ଏଥିପାଇଁ ଯୋଗ୍ୟ। ଏହି ପରିସ୍ଥିତି ଆଜି ନ ହେଲେ କାଲି ଚାଲିଯିବ, କିନ୍ତୁ ଏଥିପାଇଁ ଜଣେ ପ୍ରସ୍ତୁତ ରହିଲେ ହିଁ ଏହି କାର୍ଯ୍ୟଜନିତ ଚାପକୁ କମ୍ କରାଯାଇ ପାରିବ।

Comments are closed.