Odisha Link
Bridging the Missing Links in Odisha

କୋଡ଼ିଏଟି କରୋନା କାହାଣୀ

କୋଡ଼ିଏଟି କରୋନା କାହାଣୀ
ଗୌତମବୁଦ୍ଧ ଦାସ

ସାଙ୍ଗ

ଲକ୍‌ଡାଉନ୍‌ ପରେ ବହୁ କଷ୍ଟରେ ଟ୍ରକ୍‌ ଡାଲାରେ ବସି ହାଇଦ୍ରାବାଦରୁ ଫେରିଥିବା କାଳିଆ ମୁହଁ ସଞ୍ଜବେଳେ ଗାଁରେ ପଶିବା ବେଳକୁ ରାସ୍ତା ଉପ‌େର ବାଉଁଶ ଲଗା ହୋଇ ବନ୍ଦ କରାଯାଇଥିବା ଦେଖି କାବା ହୋଇଗଲା। ବ୍ୟାରିକେଡ୍‌ ସେପଟେ ମୁହଁରେ ରୁମାଲ୍ ବାନ୍ଧି ବସିଥିବା ତା’ ବୟସର ପଞ୍ଝେ ଯୁବକଙ୍କୁ ‌ ଦେଖି କାଳିଆ ପଚାରିଲା- ଏସବୁ କ’ଣ?
ସେପଟୁ ମିଳିତ ଉତ୍ତର ଆସିଲା- ଗାଁରେ ପଶି ପାରିବୁନି। ଆଗ କରୋନା ପରୀକ୍ଷା କରି ଆ‌ସେ। ତା’ପରେ ଘରକୁ ଯିବୁ।
ଛାଇ ଅନ୍ଧାର ଭିତରେ ଦୂରରୁ ହେଲେ ବି ରୁମାଲ୍ ବନ୍ଧା ମୁହଁଗୁଡ଼ିକ ଭିତରୁ କାଳିଆ ଚିହ୍ନିପାରିଲା ତା’ର ପିଲାଦିନର ସାଙ୍ଗ ବଳିଆକୁ। ଗତବର୍ଷ ବଳିଆର ବରାଦ ଅନୁସାରେ ହାଇଦ୍ରାବାଦରୁ ସେ ନୂଆ ଟଚ୍‌ ସ୍କ୍ରିନ୍‌ବାଲା ମୋବାଇଲଟେ ଆଣି ଦେଇଥିଲା। ବଳିଆ ପଇସା ଯାଚିଥିଲେ ବି ସେ ପରେ ଦବୁ କହି ଏଡ଼ାଇ ଯାଇଥିଲା।
ସେଇ ମୋବାଇଲ ନମ୍ବରରେ ଫୋନ୍ ଲଗେଇଲା କାଳିଆ। ଫୋନ୍ ରିଙ୍ଗ୍ ହେଲା। ସେପଟରୁ ବଳିଆର ରୁକ୍ଷ ସ୍ବର ଶୁଭିଲା- କ’ଣ ହେଲା?
କାଳିଆ ବ୍ୟସ୍ତ ହେ‌ଇ କହିଲା- ସାଙ୍ଗ ତୁ ଏମାନଙ୍କ ଭିତରେ ଅଛୁ ନା? ଦେଖ୍ ଏମାନେ କେମିତି ମୋତେ ଗାଁ ଭିତରକୁ ଛାଡ଼ୁ ନାହାନ୍ତି।
ବେଶ୍ କିଛି ସମୟର ନୀରବତା ପରେ ବଳିଆର ସ୍ପଷ୍ଟ ସ୍ବର ଶୁଭିଲା: ହ୍ୟ‌େଲା… ହ୍ୟା‌େଲା… ତୁ କ’ଣ କହୁଛୁ… କିଛି ଶୁଭୁନି। ବୋଧେ ନେଟ୍‌ୱର୍କ ପାଉନି। ହ୍ୟାଲୋ… ହ୍ୟାଲୋ…ଟୁଁ ଟୁଁ ଟୁଁ… ଫୋନ୍ କଟିଗଲା।

ମା’

ରାତିସାରା ଖୁଁ ଖୁଁ କାଶୁଥିଲା ବୁଢ଼ୀ। ଯେତେ କାଶିଲେ ବି ଗଳାରୁ କଫ ବାହାରୁ ନ ଥିଲା। ସତେ ଯେମିତି କଫସବୁ ସେଠି ସାପ ପରି କୁଣ୍ଡଳୀ ମାରି ବସି ଯାଇଛି। ବେଳେବେଳେ ଧଇଁ ଉଠୁଥିଲା, ଏମିତି ଲାଗୁଥିଲା ସତେ ଯେମିତି ଯେ କୌଣସି ମୁହୂର୍ତ୍ତରେ ନିଶ୍ବାସ ବନ୍ଦ ହେଇଯିବ।
ତଥାପି ଘର ପଛପଟ ବାରଣ୍ଡାରେ ଦରଛିଣ୍ଡା ମଶାରି ଭିତରେ ସେମିତି ଶୋଇ ରହିଥିଲା ବୁଢ଼ୀ। ରାତିସାରା ଯେତେ କଷ୍ଟ ହେଲେ ବି କାହାକୁ ନିଦରୁ ଡାକି ଉଠେଇ ନ ଥିଲା କି ମୋତେ ଘର ଭିତରକୁ ନେଇଯାଅ ବୋଲି କାହାକୁ କହି ନ ଥିଲା। ଘର ଭିତରେ ଚାଲୁଥିବା ଫ୍ୟାନ୍‌ର ଘଡ଼ ଘଡ଼ ଶବ୍ଦରେ ବୋଧେ ବୁଢ଼ୀର କାଶ କାହାକୁ ଶୁଭୁ ନ ଥିଲା। ସମସ୍ତେ ନିଶ୍ଚିନ୍ତରେ ନିଘୋଡ଼ ନିଦରେ ଶୋଇ ଯାଇଥିଲେ।
ଭୋର୍‌ ବେଳକୁ ପଡ଼ିଶା ଘରର ପୁତୁରାବୋହୂ ଫୁଲ ତୋଳିବାକୁ ଆସି ବୁଢ଼ୀକୁ ଏମିତି ଅବସ୍ଥାରେ ଦେଖି ପଚାରିଲା – ଖୁଡ଼ି… ତମେ ଏ ଥଣ୍ଡାରେ ଘର ଭିତରେ ନ ଶୋଇ ବାହାରେ ଶୋଇଛ ଯେ! କ’ଣ ହେଲା?
ସେମିତି କାଶୁ କାଶୁ ବୁଢ଼ୀ ଉତ୍ତର ଦେଲା- ୭ବର୍ଷ ହେଲା ସେମାନଙ୍କ ମୁହଁ ଦେଖି ନ ଥିଲି। ସେ କରୋନା ନା ଫରୋନା କ’ଣ ରୋଗ ବ୍ୟାପିଛି ବୋଲି ପୁଅ, ବୋହୂ ଓ ନାତିନାତୁଣୀଙ୍କୁ ନେଇ କାଲି ଦିଲ୍ଲୀରୁ ଆସିଛି। ପିଲାଏ କେତେଦିନ ପରେ ଟିକେ ନିଶ୍ଚିନ୍ତରେ ଶୋଇଛନ୍ତି। ମୁଁ ଘର ଭିତରେ ଶୋଇ ଏମିତି କାଶିଲେ ସେମାନଙ୍କ ନିଦ ହୁଅନ୍ତା? ‌ସେ କରୋନାଟା ମତେ ଯମ ଦୁଆରକୁ ନେଇ ଯାଆନ୍ତାନି!
ଏତିକି କହି ବୁଢ଼ୀ ପୁଣି କାଶିଲା…. ଖୁଁ ଖୁଁ ଖୁଁ।

ପାଗଳ

ଆଗରୁ ସବୁ ଠିକ୍‌ଠାକ୍ ଥିଲା। କେଉଁ ଚାଳିଆ ହୋଟେଲ କି ମନ୍ଦିର ପଛପଟେ ଡାଲି-ତରକାରୀ ଗୋଳା ଅଇଁଠା ପତରରୁ ପେଟ ପୂରି ଯାଉଥିଲା।
ହେଲେ ଏଇ ତିନି ଦିନ ହେଲା ଏମାନଙ୍କ ପେଟରେ ଦାନାଟେ ବି ପଡ଼ିନି।
ସବୁ ତ ବନ୍ଦ। କିଏ ଖାଇବାକୁ ଦବ ଏମାନଙ୍କୁ?
ମୁଣ୍ଡରେ କଉ କାଳରୁ ତେଲ ନ ଲାଗି ଜଟା ବାନ୍ଧି ଯାଇଥିବା ପୁଳାଏ କହରା କେଶ, ସଁବାଳୁଆ ଭଳି ମୁହଁ ସାରା ଚରି ଯାଇଥିବା କଣ୍ଟା କଣ୍ଟା ଟାଆଁସା ଦାଢ଼ି, ଉସମୁଳିଆ ଗନ୍ଧଉଥିବା ମଳିଚିଆ ଅଧାଛିଣ୍ଡା ପ୍ୟାଣ୍ଟସାର୍ଟ ଭିତରୁ ଏମାନଙ୍କୁ ଯିଏ ବି ଦେଖିବ, ଦୁଇ ପାଦ ପଛକୁ ହଟିଯିବ।
ଖାଁ ଖାଁ ସହରରେ ମାଳ ମାଳ ବୁଲା କୁକୁର ଓ କିଛି ନିର୍ବିକାର ଷଣ୍ଢଙ୍କ ମେଳରେ ସମ୍ଭବତଃ ଏମାନେ ହିଁ ଥିଲେ ମଣିଷଙ୍କ ଶେଷ ପ୍ରତିନିଧି।
ହଠାତ୍ ଦୁଇ ପାଗଳଙ୍କ ଭେଟ ହୋଇଗଲା ମାଷ୍ଟର କ୍ୟାଣ୍ଟିନ୍ ଛକରେ। ଅପେକ୍ଷାକୃତ ଅଭିଜ୍ଞ ଦିଶୁଥିବା ବଡ଼ ଦାଢ଼ିବାଲା ଜଣକ ସାନ ଦାଢ଼ିବାଲାକୁ ପଚାରିଲା- ଖାଇଚୁ?
ସାନ ଜଣକ ଫର୍ଚ୍ଚା ଆକାଶକୁ ଅନେଇ କିଛି ସମୟ ଭାବିଲା।
ଆଉ ଥଙ୍ଗେଇ ଥଙ୍ଗେଇ କହିଲା- ମନେ ନାହିଁ।
ଉତ୍ତର ଶୁଣି ହୋ ହୋ ‌ହସିଲା ବଡ଼ ଦାଢ଼ିବାଲା। ହସି ହସି କମ୍ପେଇଦେଲା ଗାନ୍ଧୀ ମାର୍ଗ। ଆଉ ସେମିତି ହସୁ ହସୁ କହିଲା
– ମୋର ବି ତାହେଲେ ମନେ ନାହିଁ।
‘ସୋଲେ’ର ଗବ୍ବର ସିଂ-ଶାମ୍ବା ପ‌ରି ଦୁହେଁ ଖୁବ୍ ହସିଲେ। ସତେ ‌େଯମିତି ସହରର ବହଳ ନିସ୍ତବ୍ଧତାକୁ ଚିରି ବିଦାରି ପକେଇବେ।

କଂ‌ଗ୍ରେସ ଅଫିସ ଗଳିରେ ବିଧାନସଭା ଆଡ଼କୁ ମୁହଁ କରି ଶୋଇଥିବା କୁକୁର ତିନିଟା ଚମକି ପଡ଼ି ଏମାନଙ୍କୁ ଅନେଇଲେ। ବୋଧହୁଏ ଏମାନଙ୍କ ହସର କାରଣ ଠଉରେଇ ପାରୁନଥିଲେ ସେମାନେ। ଭୁକିବାର ଇଚ୍ଛା ଥିଲେ ବି ଭୁକିବାକୁ ଜୁ ନଥିଲା। ତେଣୁ ପୁଣି ଚୁପ୍‌ଚାପ୍ ମୋଡ଼ିମାଡ଼ି ଶୋଇଗଲେ।

ପ୍ରେମିକା

ଘରେ ସମସ୍ତେ ଶୋଇ ପଡ଼ିଥିଲେ। ସେ କିନ୍ତୁ ଚେଇଁଥିଲା। କାରଣ ସେ ଜାଣିଥିଲା ରୋହନ ନିଶ୍ଚୟ ରାତିରେ ଫୋନ୍ କରିବ।
ରାତି ଠିକ୍ ସାଢ଼େ ବାରଟାରେ ହ୍ବାଟ୍‌ସଆପ୍୍‌ ଟିଂ ଟିଂ ହେଲା
– ହାୟ ବେବି, କେମିତି ଅଛ?
– ଜ‌ାନୁ…. ତୁମେ କେମିତି ଅଛ? ମୋତେ ମିସ୍ କରୁଛ ନା?
-ହଁ ବେବି, ତୁମକୁ ବହୁତ ମିସ୍‌ କରୁଛି। ତୁମେ ହଷ୍ଟେଲ ଛାଡ଼ି ଗାଁକୁ ଯିବା ପରଠୁ ମୋତେ ଜମା ଭଲ ଲାଗୁନି।
– ଜାନୁ, ଏ କରୋନାଟା ଆର ଜନ୍ମରେ ମୋ ସଉତୁଣୀ ଥିଲା। ଦେଖୁନ କେମିତି ଆମକୁ ଅଲଗା କରିଦେଲା।
– ବେବି, ତୁମକୁ ଗୋଟେ ସର୍‌ପ୍ରାଇଜ୍ ଦେବି?
– ସର୍‌ପ୍ରାଇଜ୍? କ’ଣ ସର୍‌ପ୍ରାଇଜ୍?
– ବେବି, ଭୁବନେଶ୍ବରରେ ତିନିଟା ପଜିଟିଭ୍ ବାହାରିଲାଣି। ସେଇ କର କ୍ଲିନିକ୍ ପଛପଟ କଲୋନିରେ ପରା ଆମେ ରହୁଥିଲୁ। ତେଣୁ ମୁଁ ବି ଆଜି ସନ୍ଧ୍ୟାରେ ଗାଁକୁ ପଳାଇ ଆସିଛି। କାଲି ସକାଳେ ତୁମେ ନଦୀ ପାଖକୁ ଚାଲିଆସ, ସେଇଠି ବସି ଗପିବା।
– ଜାନୁ, ଘର ଲୋକ କ’ଣ ଛାଡ଼ିବେ? ଏବେ କରୋନା ପାଇଁ ଗୋଡ଼େ ଗୋଡ଼େ ଜଗିଛନ୍ତି ପରା।
– ବେବି, ମୁଁ ତୁମ ପାଇଁ ଗୋଟେ ଗିଫ୍ଟ ବି ଆଣିଛି। ଗିଫ୍ଟ କ’ଣ ଜାଣିଲେ ତୁମେ ଖୁସ୍‌ ହେଇଯିବ; ଆଉ ନିଶ୍ଚୟ ଗୋଟେ ଲିପ୍ କିସ୍‌ ଦେଇଦେବ।
-ଆଗ କ’ଣ ଆଣିଛ କହୁନ?
-କଉଠି ମିଳୁ ନ ଥିଲା। ବହୁତ ଖୋଜି ଖୋଜି ଗୋଟେ ମେଡିକାଲ ଷ୍ଟୋର୍‌ରୁ ସାନିଟାଇଜରଟା ବ୍ଲାକ୍‌ରେ କିଣିଛି… ଖାସ୍‌ ତମ ପାଇଁ।
– ହଉ ହେଲା। କାଲି ନଦୀକୂଳକୁ ମୁଁ ଯିବି। କିନ୍ତୁ ତମେ ଆସିବା ଦରକାର ନାହିଁ। ତମ ଚାକର ଟୋକା ହାତରେ ସାନିଟାଇଜରଟା ପଠେଇ ଦବ। ମୁଁ ତା’ହାତରେ ତୁମ ପାଖକୁ ଗୋଟେ ଫ୍ଲାଇଂ କିସ୍ ପଠେଇ ଦେବି।ଖୁସି ‌ତ ଜାନୁ?

ଦାଦନ

ଧୁ ଧୁ ଖରାରେ ମୁଣ୍ଡ ଉପରେ ସୂର୍ଯ୍ୟକୁ ବେଖାତିର କରି କଳା ପିଚ୍‌ ପଚ୍‌ ରାସ୍ତା ଉପରେ ଅବିରାମ ଚାଲିଥିଲେ ଦୁଇ ପ୍ରାଣୀ। ଚାଳିଶ ଛୁଇଁ ନଥିଲେ ବି ବୁଢ଼ା ଭଳି ଦିଶୁଥିବା କୃଷ୍ଣ ଶବର, ସାଙ୍ଗରେ ମଳିଚିଆ ସୂତା ଶାଢ଼ିରେ ଝାଳ ପୋଛୁଥିବା କୃଷ୍ଣର ସ୍ତ୍ରୀ ନିଆଶି। ଦୁହିଁଙ୍କ ପିଠିରେ ଲଦା ହୋଇଥିଲା ଦୁଇଟି ବଡ଼ ବଡ଼ ବୋକଚା। କୃଷ୍ଣର ଗୋଟିଏ କାନ୍ଧରେ ବସି ଚାରି ବର୍ଷର ପୁଅ ରାସ୍ତାକଡ଼ରେ କାତରେଇ ପଡ଼ିଥିବା କୁକୁରକୁ ଜୁଳୁଜୁଳୁ ଅନେଇଥିଲା; ଅନ୍ୟ କାନ୍ଧରେ ଝୁଲୁଥିଲା ତା’ର ସବୁଦିନିଆ ସାଥୀ ଟାଙ୍ଗିଆଟାଏ। ଆଉ ମା’ କାଖରେ ୯ ମାସର ଛୁଆଟା ମଝିରେ ମଝିରେ ରାହା ଧରି କାନ୍ଦୁଥିଲା।
ବିଶାଖାପାଟଣା ସହରତଳିର ଇଟାଭାଟିରେ କାମ କଲାବେଳେ କେହି ଜଣେ ସେମାନଙ୍କୁ କହିଥିଲା; ସବୁ ବନ୍ଦବାନ୍ଦ ହୋଇଗଲାଣି। ଠିକାଦାର ଘରକୁ ପଳେଇଛି। ତମେ ବି ପଳା।
ପ୍ରାୟ ନିରବରେ କାମ କରି ଯାଉଥିବା କୃଷ୍ଣ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲା
– କାଁ ହେଲା?
ଉତ୍ତର ମିଳିଥିଲା- ଜା‌ଣିନ କି? କରୋନା ପରା ମାତିଛି।
କରୋନା କ’ଣ ନ ଜାଣିଥିଲେ ବି ଏ କଥା ଶୁଣି କୃଷ୍ଣ ପାଦ ତଳୁ ମାଟି ଖସିଗଲା। ଏଇତ ଦି’ ମାସ ତଳେ ଦାଦନ ପାଇଁ ଭିଟାମାଟି ଛାଡ଼ିଥିଲା ସେ। ଏବେ ପିଲାଛୁଆଙ୍କୁ ନେଇ ସହର ଛାଡ଼ିବାକୁ ହେବ? ତେବେ କୁଆଡ଼େ ଯିବ ସେ?
ଏଠି ତ ତା’ର କେହି କୁଆଡ଼େ ନାହାନ୍ତି। ତେଣୁ ପୁଣି ଗାଁକୁ ଫେରିଯିବା ଛଡ଼ା ଅନ୍ୟ ବାଟ ନ ଥିଲା। ତେବେ ଫେରିବା ଲାଗି ବସ୍‌, ଟ୍ରେନ୍ କିଛି ନଥିଲା। ତେଣୁ ସେବେଠୁ ସେମାନେ ଚା‌ଲିବା ଆରମ୍ଭ କରିଥି‌ଲେ। ରାସ୍ତାକଡ଼ରେ ଉଜୁଡ଼ା ଧାନ କ୍ଷେତ, ଲଣ୍ଡା ପାହାଡ଼, ପତ୍ରଝଡ଼ା ଜଙ୍ଗଲ ଆଦି ଅତିକ୍ରମ କରି ପାଦେ ପାଦେ ଆଗେଇ ଚାଲିଥିଲେ। ଅନ୍ଧାର ହେଲେ ରାସ୍ତାକଡ଼ ଦୋକାନ ପିଣ୍ଡା କି ଗଛତଳେ ଲୁଗା ମେଲାଇ ଶୋଇ ପଡ଼ୁଥିଲେ। ସକାଳେ ଶୁଖିଲା ମୁଢ଼ି ଗଣ୍ଡେ ପାଟି‌େର ପକେଇ, ଦି ଢୋକ ପାଣି ପିଇ ପୁଣି ଚାଲିବା ଆରମ୍ଭ କରୁଥିଲେ।
ୟ‌ା’ ଭିତରେ ସେମାନେ କେଇ ଶହ କିଲୋମିଟର ଚାଲି ଚାଲି ଓଡ଼ିଶା ସୀମା ଭିତ‌ରକୁ ଆସି ସ‌ାରିଥିଲେ। ତେବେ କୃଷ୍ଣ ଏତିକି ଜାଣିଥିଲା ଗାଁରେ ପହଞ୍ଚିବାକୁ ହେଲେ ଆହୁରି ପ୍ରାୟ ୨/୩ ଦିନ ଚାଲିବାକୁ ପଡ଼ିବ।
ଚାଲି ଚାଲି ଥକି ପଡ଼ିଥିବା କୃଷ୍ଣ-ନିଆଶି ରାସ୍ତାକଡ଼ରେ ଝଙ୍କାଳିଆ ଗଛଟେ ଦେଖି ଟିକେ ବସି ପଡ଼ିଲେ। ବୋତଲରୁ କେଇ ‌ଢୋକ ପାଣି ପିଇ ମୁହଁରୁ ଝାଳ ପୋଛିଲା ନିଆଶି।
ଆଉ କୃଷ୍ଣକୁ ପ୍ରଶ୍ନିଳ ଆଖିରେ ଅନେଇ ପଚା‌ରିଲା-
– କରୋନା ମାତିଛେ ବୋଲି କହୁୂଥିଲ ପରେ? କାଏଁଯେ ଏତେ ଦୂର ଚାଲ୍‌ଲା ପରେ ତାର୍‌ ସାଙ୍ଗେ ଭେଟ୍‌ ନାଇଁ ହେଲା?
ପ୍ରଶ୍ନ ଶୁଣି କଟମଟ କରି ନିଆଶିକୁ ଅନେଇଲା କୃଷ୍ଣ। ଝାଳରେ ଓଦା ହୋଇଯାଇଥିବା ମୁହଁଟା ତା’ର ଆହୁରି ଲାଲ୍ ପଡ଼ିଗଲା। ସେ ଗୋଟିଏ ହାତରେ ଟାଙ୍ଗିଆଟାକୁ ଶକ୍ତ କରି ମୁଠାଇ ଧରି କହିଲା- ସେ କରୋନା ମୋର୍‌ ହାତେ ଘାଏ ପଡ଼୍‌ତା କାଏଁ; ତାର୍‌ ଦେହେ-ମୁଡ୍‌ ମୁଇଁ ଅଲ୍‌ଗା କରିଦେତି।

ଭିକାରି

ଚାରି ଦିନ ହେଲା ସାରା ସହର ଲକ୍‌ଡାଉନ୍। କେହି କୁଆଡ଼େ ନାହାନ୍ତି। ଉଦୁଉଦିଆ ଖରାବେଳଟାରେ ବି ରାସ୍ତାଘାଟ ଶୂନ୍‌ଶାନ୍। ଭୁବନେଶ୍ବର ତ ନୁହେଁ; ପୂରା ଭୂତ ସହର।
ରାସ୍ତାରେ ପହରା ଦେଉଥିବା ପୁଲିସ କନେଷ୍ଟବଳ ଆଖିରେ ପଡ଼ିଲା ରାମ ମନ୍ଦିର ସାମ୍ନା ରାସ୍ତାକଡ଼ରେ ଷଣ୍ଢଟେ ପାକୁଳି କରୁଛି। ଦୁଇ ତିନିଟା ବୁଲା କୁକୁର ଭୋକ ଜ୍ବାଳାରେ ମଲା ଭଳି ଶୋଇଛନ୍ତି। ଆଉ ପାଖରେ ବୁଢ଼ାଟିଏ ଚୁପ୍‌ଚାପ୍ ବସିଛି।
କନେଷ୍ଟବଳ ଚିଲେଇଲା-
-ଏୟ ବୁଢ଼ା! ଏଠି କାହିଁକି ବସିଛୁ? ଜାଣିନୁ କି ଲକ୍‌ଡାଉନ୍ ବୋଲି?
– ହଁ ଜାଣିଛି। ଲକ୍‌ଡାଉନ୍ ମାନେ ପୂରା ବନ୍ଦ।
– ଯଦି ଜାଣିଛୁ ଏଠି କାହିଁକି ବସିଛୁ? ସେ ବାଗ୍‌ଚୀ ପରା କହିଛି କରୋନା ବେଳେ କେହି ବାହାରକୁ ବାହାରିବେନି। ଗଲୁ ଏଠୁ ନା ଦେଖିବୁ?
– କଉଠି ଯିବି ଆଜ୍ଞା, କାହିଁକି ଯିବି କହୁନା?
– ଆରେ ଶଳା! ଥଟ୍ଟା କରୁଛୁ? ଘରକୁ ଯାଇ ଏକାନ୍ତବାସରେ ରହୁନୁ?
-ଆଜ୍ଞା, ତମେ ଯାହା କହୁଛ ସେଇଆ ତ କରୁଛି। ତମେ ଯାହା ମତେ ଡିଷ୍ଟର୍ବ କରୁଛ।
ଏତିକି କହି ଚୁପ୍ ହେଇଗଲା ବୁଢ଼ା ।
କନେଷ୍ଟବଳ ବି ନିରବ ରହିଲା। ବୋଧେ ଆଉ କିଛି କହିବାକୁ ଭାଷା ପାଇଲାନି।

ରାନୀ ପଣ୍ଡା

ସଭା ସମିତି ସବୁ ବନ୍ଦ। ଘରୁ ପଦାକୁ ଗୋଡ଼ କାଢ଼ି ହଉନି। ଲୋକେ ଘରକୁ ଆସୁ ନାହାନ୍ତି। ଭୁବନେଶ୍ବର କ୍ଲବ୍ ଯାଇ ହଉନି, କିଟି ପାର୍ଟି ବି କରି ହଉନି। ଏମିତି କ’ଣ କେହି ‌ସଭ୍ୟ ସମାଜରେ ବଞ୍ଚେ?
ଫଁ ଫଁ ହେଲେ ମାଡାମ୍‌। ସକାଳୁ ସପ୍ତମ ଥର ପାଇଁ ଉଷୁମ ଚା’ ତକ ଘଟ୍‌ ଘଟ୍‌ ହୋଇ କଣ୍ଠସ୍ଥ କଲେ। ଆଉ ଟିଭି ରିମୋର୍ଟଟାକୁ ସଶବ୍ଦରେ ଚଟାଣ ଉପରେ କଚାଡ଼ି ଦେଲେ।
ସତରେ ଚାରି ଦିନ ହେଲା ଘର ଭିତରେ ରହି ରହି ମୁଣ୍ଡ ଖରାପ ହୋଇଗଲାଣି। ଟିଭିରେ ସେ କରୋନା ନ୍ୟୁଜ୍ ଦେଖି ଦେଖି ଚିଡ଼ ଚିଡ଼ ଲାଗୁଛି। ଖବରକାଗଜଟା ବି ଘରକୁ ଆସୁନି। ଆସିଲେ କଉ ଲାଭ ଯେ? ସଭା ସମିତି ହଉ ନ ଥିବାରୁ ସେ ସଂକ୍ରାନ୍ତ କିଛି ନ୍ୟୁଜ୍ ନାହିଁ କି ନିଜ ଫଟୋ ମଧ୍ୟ ଆସିବାର ନାହିଁ।
ସତରେ ଏବେ ମଣିଷର ସୋସାଲ ଲାଇଫ୍‌ ବୋଲି କିଛି ନାହିଁ। ଆଗରୁ ରାତି ପାହିଲେ କେତେ ଲୋକ ଘରକୁ ଆସୁଥିଲେ। କିଏ କ୍ୟାଣ୍ଡେଲ୍ ରାଲି ପାଇଁ ଡାକୁଥିଲା ତ କିଏ ସାହତ୍ୟ ସଭାକୁ। ଦି ପହରରେ ବିଉଟି ପାର୍ଲର କି ନୂଆ ରେସ୍ତୋରାଁ ଉଦ୍‌ଘାଟନ ‌କରିବାକୁ ପଡ଼ୁଥିଲା, ପୁଣି ସନ୍ଧ୍ୟାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି। ବେଳେବେଳେ କେଉଁ ଧର୍ଷିତା ନାବାଳିକାର ବୟାନ ଆଣିବାକୁ ଖାସ୍‌ ବାନ୍ଧବୀମାନଙ୍କ ଗହଣରେ କନ୍ଧମାଳ କି କୋରାପୁଟ ଯିବାକୁ ପଡ଼ୁଥିଲା। ଏସି କାର୍‌ରେ ବାଟସାରା ଗୁଲିଗପ, ଗୁପ୍‌ଚୁପ୍‌, ନନ୍‌ଭେଜ୍‌ ଜୋକ୍ସ, ଆଉ ବିଭିନ୍ନ ମୁଦ୍ରାରେ ସେଲ୍‌ଫି। କେତେ ମଜା ଆସୁଥିଲା ସତରେ। ମଝିରେ ମଝିରେ ଟିଭିବାଲା ବତର୍କ ପାଇଁ ଡାକୁଥିଲେ। ତେଣୁ ରାଜ୍ୟସ୍ତରୀୟ ସମାଜସେବୀ ବୋଲି ଗୋଟେ ପରିଚୟ ବି ମିଳି ଯାଇଥିଲା ଇତିମଧ୍ୟରେ।
ହେଲେ କରୋନା ସବୁ ମାଟିରେ ମିଶେଇ ଦେଲା। ଚାରି ଦିନ କାଳ ଗୃହବନ୍ଦୀ ରହିବା ପରେ ‌ପୁଣିଥରେ ଗୋଟେ ସୁଯୋଗ ମିଳିଥିଲା ନ୍ୟୁଜ୍‌ରେ ଆସିବାର। ପ୍ଲାନ୍ ଥିଲା-‘କରୋନା ଗୋ’ ପ୍ଲାକାର୍ଡ଼ ଧରି ସେମାନେ ସହର କେନ୍ଦ୍ରସ୍ଥଳରେ ଗୋଟେ ସଚେତନତା ରୢାଲି କରିବେ, ଆଉ ସେଠୁ ସିଧା ତୃତୀୟ ମହଲାକୁ ଯାଇ କରୋନା ମୁକାବିଲା ପାଇଁ ସିଏମ୍‌ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାର ଗୋଟେ ଚେକ୍‌ ଦେବେ। ଗଗଲ୍‌ସ ସହ ମାସ୍କ ଲଗା ମୁହଁର ଫଟୋ ଉଠିଥାନ୍ତା। ଟିଭିକୁ ବାଇଟ୍‌ ବି ଦିଆ ହେଇଥାନ୍ତା। ପରଦିନ ପେପର୍-ଟିଭି ସବୁ ଛାଇ ଯାଇଥାନ୍ତା।
ହେଲେ ଏ ଯାତ୍ରାବାଲୀ ଆଇଟମ୍ ଡ୍ୟାନ୍‌ସର ରାନୀ ପଣ୍ଡା ସବୁ ମାଟି କରିଦେଲା। କଉଁଠି ଥିଲା କେଜାଣି ଆଗୁଆ ଯାଇ କରୋନା ପାଇଁ ୫୦ ହଜାର ଟଙ୍କାର ଚେକ୍ ଧରେଇଦେଲା।

କୁକୁର

ବାବୁଙ୍କ ଉଚ୍ଚା ପାଚେରି ସେପଟୁ ପୁଣିଥରେ ଶୁଭିଲା- ଭୋ…ଭୋ…ଭୋ…ଭୋ…
ଯେତେବେଳେ ସେ ବାଘ ଭଳି ଦିଶୁଥିବା ଝିମ୍‌ କଳା ବିଲାତି କୁକୁରଟା ଭୁକେ; ପାଚେରି ସେପଟେ ଦିନ ତମାମ ବୀରଦର୍ପରେ ଏପଟ ସେପଟ ହେଉଥିବା ତିନି ଚାରିଟି ବୁଲା କୁକୁରଙ୍କ ଛାତି ଧଡ଼ପଡ଼ ହୁଏ। ଲାଙ୍ଗୁଡ଼ ଆପଣା‌ଛାଏଁ ଜାକି ହେଇଯାଏ।
ହେଲେ ଆଜି କାହିଁକି କେଜାଣି ସେମାନେ ସମ୍ମିଳିତ ଭାବେ ବାବୁଙ୍କ ବିଲାତିକୁ ଜବାବ ଦେଲେ- ଭୁକ୍..ଭୁକ୍..ଭୁକ୍‌..ଭୋ………
ବାବୁଙ୍କ ବିଲାତି ରାଗିଗଲା। ଏଡ଼େ ସାହସ?
ଆହୁରି ଜୋର୍‌ରେ ଭୁକିଲା। ଘର ଭିତରୁ ଗର୍ଜନ ତର୍ଜନ କରି ଡରେଇବାକୁ ଚେଷ୍ଟା କଲା।
ଏମାନେ ବି ନଛୋଡ଼ବନ୍ଦା।
ଏମିତି ଭୁକାଭୁକି ଭିତରେ ବାବୁଙ୍କ ଚାକର ଟୋକାର ନିଦ ଭାଙ୍ଗିଗଲା। କଉ ପକ୍ଷକୁ ଚୁପ୍ ନ କରି ବିଲାତି-ବୁଲାଙ୍କ ଭିତରେ ଏ ଅପ୍ରତ୍ୟାଶିତ ମୁକାବିଲାର ରହସ୍ୟ ଭେଦ କରିବାକୁ ଚେଷ୍ଟା କଲା ସେ।
ବେଶ୍‌ କିଛି ସମୟ ଭାବିବା ପରେ ସେ ବୁଝିଗଲା-
କରୋନା ଭୟରେ ବାବୁ ଓ ମା’ ତାଙ୍କ ଗେହ୍ଲା ବିଲାତିକୁ ଛାଡ଼ି ଗାଁକୁ ପଳେଇଛନ୍ତି। ତେଣୁ ଆଜି ବିଲାତି ଅନାଥ।
ଆଉ ପାଚେରି ସେପଟେ ଧୂଳି ରାସ୍ତାରେ ଗଡ଼ୁଥିବା ସେମାନେ ତ ଜନ୍ମରୁ ଅନାଥ। ତେଣୁ ଆଜି ବୋଧେ ସେମାନେ କିଛି ଫରକ୍ ବାରି ପାରୁନାହାନ୍ତି।
ଏମିତି ଏକ ନିଷ୍କର୍ସରେ ପହଞ୍ଚି ପାରିଥିବାରୁ ଗଡ଼ ଜିତିଲା ଭଳି ଚାକର ଟୋକା ମୁହଁରେ ହସ ଖେଳିଗଲା। ଦୁଇ ପକ୍ଷର ଭୁକାଭୁକି ଏବେ ତା’କୁ ବେଶ୍ ଭଲ ଲାଗିଲା। କାରଣ ଏଇ ମୁହୂର୍ତ୍ତରେ ବାବୁ ଓ ନିଜ ଭିତରେ ବି ସେ କିଛି ଫରକ୍ ଦେଖୁ ନ ଥିଲା। ମନେ ମନେ କରୋନାକୁ ଧନ୍ୟବାଦ ଦେଇ ଘୋଡ଼ିଘାଡ଼ି ହୋଇ ଶୋଇପଡ଼ିଲା ସେ।

ଚଉକି

ଶୁଣିଲେଣି? ଚାରିଦିନ ହେଲା ବୁଢ଼ାର ପତ୍ତା ନାହିଁ। ମୋବାଇଲ୍ ସୁଇଚ୍‌ ଅଫ୍‌। କୁଆଡ଼େ ଯାଇଛି କେହି ଟେର୍ ପାଉନାହାନ୍ତି।
ହଁ, ସେଇଠୁ କ’ଣ ହେଲା? ବନ୍ଦ‌୍‌ବାନ୍ଦ୍‌ ଅଛି ତ, ତେଣୁ ବୁଢ଼ା ଟିକେ ରେଷ୍ଟ ନେଉଥିବ ଆଉ କ’ଣ?
ନାଇଁ ଆଜ୍ଞା, ଠିକ୍ ଚାରିଦିନ ତଳେ ହିଁ ବୁଢ଼ା ସିଙ୍ଗାପୁରରୁ ପୁଅ ପାଖରୁ ଫେରିଥିଲା। ଏମ୍‌ଏଲ୍‌ଏ କ୍ବାର୍ଟର୍ସକୁ ଫେରି ଜର ଜର ଲାଗୁଛି ବୋଲି କହୁଥିଲା। ନାକରୁ ପାଣି ବୋହୁଥିଲା, ଖୁଁ ଖୁଁ କାଶୁଥିଲା। ମୁଁ ଯାହା ଖବର ପାଇଲି ବୁଢ଼ାର କୁଆଡ଼େ ପଜିଟିଭ୍ ବାହାରିଛି। ଶାସକ ଦଳର ଏମ୍‌ଏଲ୍‌ଏ ବୋଲି ସରକାର ଖବର ଲୁଚେଇଛନ୍ତି। ବୁଢ଼ାକୁ ବି।
ବୁଢ଼ା କ୍ୟାମ୍ପ୍‌ର ବିଶ୍ବସ୍ତ ଖବ୍‌ରି ମୁହଁରୁ ଏଭଳି ଗୋପନ ସୂଚନା ପାଇ ଚଉକିରୁ ଏକପ୍ରକାର ଉଛୁଳି ପଡ଼ିଲେ ପଣ୍ଡା ବାବୁ। ଯଦି ସତରେ ସଂକ୍ରମିତ ହୋଇ ଯାଇଥିବ, ତେବେ ତ ବୁଢ଼ା ଗଲା। ସେ ମୋଟା ବୁଢ଼ାର ବ୍ଲଡ୍‌ପ୍ରେସର୍, ଡାଇବେଟିସ୍‌, କଲେଷ୍ଟେରଲ୍ ସବୁ ଅଛି। ଗୋଟେ କିଡ୍‌ନି ବି କୁଆଡ଼େ କାମ କରୁନି। ଏମିତିରେ ଯଦି ପଜିଟିଭ୍ ହୋଇଥିବା ନା…ତାହେଲେ ବାଇ ଇଲେକ୍‌ସନ୍ ପକ୍କା। ହେ ପ୍ରଭୁ….। ପଣ୍ଡାବାବୁ ମନେ ମନେ କୁରୁଳି ଉଠିଲେ।
ଓଃ….ଏଥର ଇଲେକ୍‌ସନ୍‌ରେ କମ୍‌ ପରିଶ୍ରମ କରିଥିଲେ କି ସେ? ପାର୍ଟି ଟିକେଟ୍‌ ଦେଲା, ମାଲ୍‌ ବି ବହୁତ ଛାଡ଼ିଥିଲେ। ହେଲେ ୮୨ ବର୍ଷରେ ବି ଶଳା ବୁଢ଼ା ଜିତିଗଲା। ଆଉ ମାତ୍ର ଦେଢ଼ଶ’ ଭୋଟ ଅଧିକା ପାଇଥିଲେ ଆଜି ତା’ ଜାଗାରେ ପଣ୍ଡାବାବୁ ଏମ୍‌ଏଲ୍‌ଏ ହୋଇଥାନ୍ତେ। ୟାକୁ ଇ କହନ୍ତି ଦୁର୍ଭାଗ୍ୟ।
ପଣ୍ଡାବାବୁ ଚଳଚଞ୍ଚଳ ହୋଉ ଉଠିଲେ। ଖବ୍‌ରି ହାତରେ ଟଙ୍କା ବିଡ଼ାଏ ଗୁଞ୍ଜି ଦେଇ କହିଲେ- ମୋତେ ସେ ଶୁଣାକଥା ଶୁଣାନା। ଯା..ବୁଢ଼ା ଘରକୁ ଯାଇ ପତ୍ତା ଲଗା। ସତରେ ପଜିଟିଭ୍‌ ନା ନାହିଁ?
ଦିନତମାମ ଉଦ୍‌ବିଗ୍ନ ରହିଲେ ପଣ୍ଡାବାବୁ। ସନ୍ଧ୍ୟା ସରି ରାତି ହେଲା। ଖବ୍‌ରି କିଛି ଖବର ଦଉନି। ଆଠ ଦଶଥର ଫୋନ୍ ଲଗେଇଲେଣି, କିନ୍ତୁ ନଟ୍‌ ରିଚେବୁଲ୍।
ରାତି ପ୍ରାୟ ୧୧ଟାରେ ଫୋନ୍ କଲା ଖବ୍‌ରି
– ସାର୍ ବ୍ୟାଡ୍ ନିଉଜ୍‌।
– କ’ଣ ହେଲା ପଜିଟିଭ୍‌ ତ? ବୁଢ଼ାଟା ଖସିଗଲା କି?
-ନାଇଁ ସାର୍। ବୁଢ଼ା ଘରକୁ ଯାଇଥିଲି। ସେଠି ତ ପାଇଲିନି। ତା’ପରେ ଫାର୍ମ ହାଉସ୍‌କୁ ଗଲି। ଦେଖିଲା ବେଳକୁ ବୁଢ଼ା ଫାର୍ମ ହାଉସ୍‌ରେ ବସି ହ୍ବିସ୍କି ସାଙ୍ଗକୁ ଚିକେନ୍ କଷା ଖାଉଛି। ଆଉ ରେଡିଓରେ ମହମ୍ମଦ ରଫିର ଗୀତ ଶୁଣୁଛି। ପଜିଟିଭ୍‌ ନା ଫଜିଟିଭ୍‌।
ରାଗରେ ମୋବାଇଲ୍‌ଟାକୁ କଚାଡ଼ିଦେଲେ ପଣ୍ଡାବାବୁ।

ଗୁଜବ

ସେମାନେ ସମସ୍ତେ ଦଳ ବାନ୍ଧି ଚାଲିଥିଲେ। କାନ୍ଧରେ ବ୍ୟାଗ୍‌, ହାତରେ ପାଉଁରୁଟି, ପାଣି ବୋତଲ। ତିନି ଦିନ ହେଲା ଏତେ ବାଟ ଚାଲିଲେଣି ଯେ ଗୋଡ଼ ଆଉ ଉଠୁ ନ ଥାଏ। ହାତ ଛିଡ଼ି ପଡ଼ିଲା ଭଳି ଲାଗୁଥାଏ। ତଥାପି ସେମାନେ ଚାଲିବା ବନ୍ଦ କରି ନ ଥିଲେ। କାରଣ ସନ୍ଧ୍ୟା ପୂର୍ବରୁ ଆନ୍ଧ୍ର ସୀମା ପାରି ହୋଇ ନ ଗଲେ ସୀମା ସିଲ୍ ହେଇଯିବ, ପୁଲିସ ସେମାନଙ୍କୁ ଅଟକେଇ ଦେବ।
ଏ ଖବର ସେମାନେ ଆଗରୁ ପାଇ ସାରିଥାନ୍ତି। ଆଉ କ’ଣ ନୂଆ ଖବର ଆସିବ ବୋଲି ସେମାନେ ମଝିରେ ମଝିରେ ମୋବାଇଲ ଅଣ୍ଡାଳୁଥାନ୍ତି।
ଏତିକିବେଳେ ସୁନିଲର ହ୍ବାଟ୍‌ସଆପ୍‌ରେ ନୂଆ ମ୍ୟାସେଜ୍ ଆସିଲା।
– ରାତି ପାହିଲା ବେଳକୁ କରୋନା ଭାରତ ଛାଡ଼ି ପାକିସ୍ତାନ ମାଡ଼ିଯିବ।
ସୁନିଲ ଚିତ୍କାର କଲା- ରୁହ ବେ…। ବଡ଼ ଖବର ଅଛି।
ସମସ୍ତଙ୍କ ପାଦ ଅଟକିଗଲା। ଭିଡ଼ ଭିତରୁ ଜଣେ ପଚାରିଲା- କ’ଣ ହେଲା?
ସୁନିଲ ମ୍ୟାସେଜ୍‌ଟିକୁ ବଡ଼ପାଟିରେ ପଢ଼ିଲା
– ଯଦି ସେଦିନ ଭଳି ସମସ୍ତେ ଶଙ୍ଖ, ଥାଳି, ଘଣ୍ଟ ବଜାଇବ, କରୋନା ରାତି ଭିତରେ ଭାରତ ଛାଡ଼ି ପାକିସ୍ତାନରେ ପଶିଯିବ।
ଭିଡ଼ ଭିତରୁ ପୁଣି ଜଣେ ପଚାରିଲା- ଏ କଥା କିଏ କହିଲା?
ସୁନିଲ ଉତ୍ତର ଦେଲା- ଖୋଦ୍ ୟୁପିର ବାବା କହିଛନ୍ତି ପରା। ତାଙ୍କୁ ଏମିତି ସ୍ବପ୍ନାଦେଶ ହୋଇଛି।
ସମସ୍ତେ ନୀରବ ରହିଲେ କିଛି ସମୟ। ଆଗକୁ ଚାଲିବେ ନା ସେଇଠି ବସି ପଡ଼ିବେ, ତାହା ସ୍ଥିର କରି ପାରୁ ନଥିଲେ।
ଭିଡ଼ ଭିତରୁ ପୁଣି ଆବାଜ୍ ଆସିଲା-ସତରେ ମୋ ଇଣ୍ଡିଆ ମହାନ।
ଚାଲ ବେ…। ଶଙ୍ଖ, ଥାଳି, ଘଣ୍ଟ, ଘଣ୍ଟା, ମୃଦଙ୍ଗ ସବୁ ବଜେଇବା। ନଗର କୀର୍ତ୍ତନ ବି କରିବା।
କରୋନା ପାକିସ୍ତାନ ଯିବା ଆଗରୁ ଲାଜରେ ଆତ୍ମହତ୍ୟା କରିଦବ।

ମାସ୍କ

ଆଠ ଦିନ ହେଲା ସୋ’ ରୁମ୍ ବନ୍ଦ ଅଛି। ସବୁ କର୍ମଚାରୀଙ୍କୁ ଆସିବାକୁ ମନା କରାଯାଇଛି। ଏମିତିରେ ବି ଲକ୍‌ଡାଉନ୍ ପୂର୍ବରୁ ସ୍ଲୋ ଡାଉନ୍ ଯୋଗୁଁ କଉ କାର୍ ବିକ୍ରି ହଉଥିଲା ଯେ?
ସଂଗୀତା ଘରେ ବସି ବସି ବୋର୍ ହଉଥିଲା। ଏତିକିବେଳେ ବସ୍‌ଙ୍କ ଫୋନ୍ ଆସିଲା।
-ସଂଗୀତା ଗାଡ଼ି ପଠଉଛି। ଅଧଘଣ୍ଟା ଭିତରେ ଅଫିସ ଚାଲିଆସ।
ସଂଗୀତା ହଠାତ୍‌ ଏଭଳି ଡାକରା ପାଇ ଆଶ୍ଚର୍ଯ୍ୟ ହୋଇଗଲା।
କିନ୍ତୁ ବସ୍ ସେପଟରୁ ବୁଝାଇଦେଲେ- ବୁଝିଲ…ଏଭଳି ସଂକଟ ବେଳେ ଆମର ତ ପୁଣି କିଛି ସାମାଜିକ ଦାୟିତ୍ବ ଅଛି। ତେଣୁ ଆମେ ଗୋଟେ ରିଲିଫ୍‌ ଅଭିଯାନ ଆରମ୍ଭ କରୁଛୁ। ପୁଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ୫ ହଜାର ମାସ୍କ ଓ ସାନିଟାଇଜର୍ ବାଣ୍ଟିବୁ। ସବୁ ମାଲ୍ ଆସି ସାରିଛି। କାଲିଠୁ ଆରମ୍ଭ କରିବା। ଅଫିସକୁ ଆସିଯାଅ, ଏଇଠି ବସି ସବୁ ପ୍ଲାନ୍ କରିବା।
ସଂଗୀତା ଖୁସି ହୋଇଗଲା। ବସ୍‌କୁ ବି ମନେ ମନେ ଧନ୍ୟବାଦ ଦେଲା। ଲୋକଟାର ପ୍ରକୃତରେ ହୃଦୟ ଅଛି। ଏ ଦୁଃସମୟରେ ଲୋକଙ୍କୁ ସହାୟତା କରିବାକୁ ଏତେ କଥା କରୁଛି।
ସଂଗୀତା ଅଫିସରେ ପହଞ୍ଚିଲା ବେଳକୁ ବସ୍‌ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ସାରିଥିଲେ। ମିଟିଂ-ପ୍ଲାନିଂ ପରେ ଡାଟା ଏଣ୍ଟ୍ରି କାମରେ ଲାଗି ପଡ଼ିଲା ସଂଗୀତା। ଦିପହର ଯାଇ ସଞ୍ଜ ହେଲା। ସଂଗୀତାର କାମ ସରୁ ନ ଥାଏ। ଜଣକ ପରେ ଜଣେ ଅନ୍ୟମାନେ ବିଦାୟ ନେଇ ଯାଉଥାନ୍ତି। କାଚ ଘରେ ବସି ବସ୍‌ ବି ଲାପ୍‌ଟପ୍‌ରେ କ’ଣ ଗୋଟେ କାମରେ ବ୍ୟସ୍ତ ଥାଆନ୍ତି।
ହଠାତ୍ ଚେଆର ପଛରେ କାହା ହାତର ସ୍ପର୍ଶରେ ଚମକି ପଡ଼ିଲା ସଂଗୀତା। ଗୋଟେ ମାସ୍କପିନ୍ଧା ମୁହଁ ତା’ ଉପରେ ଝୁଙ୍କି ପଡ଼ି କାନ୍ଧ ଦୁଇଟିକୁ ଧୀରେ ଧୀରେ ଆଉଁସୁଥାଏ। ଲୋକଟିର ଗରମ ନିଶ୍ବାସ ତା’ ଦେହରେ ‌କଣ୍ଟା ଭଳି ଫୋଡ଼ି ହୋଇ ଯାଉଥାଏ।
ବିଜୁଳି ଭଳି ନିଜ ଚେଆରରୁ ଉଛୁଳି ପଡ଼ିଲା ସଂଗୀତା। ଆଉ ଗୋଟିଏ ଝଟ୍‌କାରେ ସେହି ମାସ୍କପିନ୍ଧ‌‌ା ମୁହଁଟାକୁ ରାମ୍ପୁଡ଼ି ବିଦାରି ପକାଇଲା। ମୁହଁରୁ ମା‌ସ୍କଟା ଖସି ପଡ଼ିଲା ବେଳକୁ ସଂଗୀତା ଦେଖିଲା ତା’ ମୁନିଆ ନଖର ତୀକ୍ଷ୍‌ଣ ଦଂଶନରେ ଦୁର୍ବୃତ୍ତର ମୁହଁରୁ ବୁନ୍ଦା ବୁନ୍ଦା ରକ୍ତ ଝରି ଆସୁଛି।
ଅଫିସ ଭିତରୁ ଦୌଡ଼ି ପଳାଇ ଆସିଲା ବେଳକୁ ସଂଗୀତା ଲକ୍ଷ୍ୟ କଲା ଝରି ଆସୁଥିବା ରକ୍ତକୁ ରୁମାଲ୍‌ରେ ପୋଛୁଥିଲେ ବସ୍‌।

ସ୍ପେସାଲ୍ ଚା’

ଏମିତି ଆଗରୁ କେବେ ହୋଇ ନ ଥିଲା। ୬ ଦିନ ହେଲା ସାରା ଦେଶ ବନ୍ଦ, ତେଣୁ ତା’ ଦୋକାନ ବନ୍ଦ, ଖଟି ବି ବନ୍ଦ। ଚା’ଦୋକାନୀ ପାଗ୍‌ଲା ଘରେ ରହି ରହି ସତକୁ ସତ ପାଗଳ ହେବାକୁ ବସିଲାଣି।
ହୋଲି ହଉ କି ଦୁର୍ଗାପୂଜା, ମହରମ୍‌ ହଉ କି ରାମନବମୀ ସବୁ ପର୍ବପର୍ବାଣୀରେ ବି ଷ୍ଟେସନ୍‌ ଛକରେ ପାଗ୍‌ଲାର ଚା’ ଦୋକାନ ଖୋଲା ରହେ। ସ୍ପେସାଲ୍ ଚା’ ପାଇଁ ସାରା ସହରରେ ତା’ର ନାଁ ଡାକ୍‌ ଅଛି। ସେଇଥିପାଇଁ ତ ସହରର କୋଉ କୋଉ କୋଣରୁ ଆସି ଲୋକେ ସକାଳେ ସନ୍ଧ୍ୟାରେ ତା’ ଦୋକାନରେ ଚା’ ପିଅନ୍ତି, ଖଟି କରନ୍ତି। ଖଟିରେ ନେତା, ସାମ୍ବାଦିକ, ସାହତ୍ୟିକ, ନାଟୁଆ ସଭିଏଁ ଭିଡ଼ ଜମାନ୍ତି। ସାହିତ୍ୟଠୁ ନେଇ ସାହିନବାଗ୍‌ ଯାଏ ଆଲୋଚନା ଏମିତି ଲମ୍ବିଯାଏ ଯେ ଚା’ ପରେ ଚା’ ବରାଦ ବଢ଼ିଯାଏ। ଆଲୋଚନାରୁ ବିଶେଷ କିଛି ବୁଝି ପାରୁ ନ ଥିଲେ ବି ପାଗ୍‌ଲା ଖୁସି ହୁଏ। କାରଣ ଏସବୁ ତା’କୁ ଭଲ ଲାଗେ।
ଏଇ କରୋନା ଖବରଟା ଯେତେବେଳେ ନୂଆ ନୂଆ ଆସିଲା, ତା’କୁ ଭାରି ମଜା ଲାଗୁଥିଲା। କିନ୍ତୁ ସେ ଯେଉଁଦିନ ଖଟିରୁ ଶୁଣିଲା ଯେ କ‌ାଲିଠୁ ଦୋକାନ ବଜାର ସବୁ ତାଲାବନ୍ଦ ରହିବ; ତା’ ମନଟା ପାଣିଚିଆ ହେଇଗଲା।
ସେବେଠାରୁ ଗୃହବନ୍ଦୀ ହୋଇ ରହିଛି ପାଗ୍‌ଲା। କିନ୍ତୁ ୬ ଦିନ ପରେ ଆଉ ସମ୍ଭାଳି ପାରିଲାନି। ସକାଳୁ ସକାଳୁ ଯାଇ ଦୋକାନ ଖୋଲିଦେଲା। ଗ୍ରାହକ କେହି ଆସିବାର ନ ଥିଲେ ବି ସସ୍‌ପେନ୍‌ରେ କ୍ଷୀର-ଚିନି- ଚା’ ପକେଇ ସ୍ପେସାଲ୍ ଚା’ ବନେଇଲା। ଗ୍ଲାସ୍‌ଗୁଡ଼ିକୁ ଧୁଆଧୋଇ କରି ଆଗରେ ରେଡି କରି ରଖିଲା।
ଏତିକିବେଳେ ସାଇରନ୍ ବଜେଇ ଖଟି ଆଗରେ ପୁଲିସ ଗାଡ଼ିଟିଏ ଅଟକିଲା। ଗାଡ଼ି ଭିତରୁ ଧପ୍‌ଧାପ୍ ହୋଇ ୪/୫ ଜଣ ପୁଲିସ ତା’ ଆଡ଼କୁ ମାଡ଼ି ଆସିଲେ।
-ଆବେ ପାଗଳଟା କିରେ? ଲକ୍‌ଡାଉନ୍ ବୋଲି ଜାଣିନୁ କି?
ଡରି ନ ଯାଇ ପାଗ୍‌ଲା ଉତ୍ତର ଦେଲା- ଜାଣିଛି ସାର୍।
ସେମାନେ ଆଉ କିଛି କହିବା ପୂର୍ବରୁ ପାଗ୍‌ଲା କହି ଚାଲିଲା
– ସେଇଥିପାଇଁ ତ ସକାଳୁ ସକାଳୁ ଚାଲି ଆସିଲି। ଭାବିଲି ଆପଣମାନେ ଦିନ-ରାତି ଡ୍ୟୁଟି କରୁଛନ୍ତି। ଗରମ ଚା’ ଟିକେ ଦରକାର ହେଉଥିବ ନା?
– ଏଇ ନିଅନ୍ତୁ ସାର୍‌।
ସମସ୍ତଙ୍କ ହାତକୁ ଗୋଟିଏ ପରେ ଗୋଟିଏ ସ୍ପେସାଲ ଚା’ ବଢ଼ାଇ ଦେବା ଭିତରେ ଖୁସିରେ ଗଦ୍‌ ଗଦ୍ ହୋଇ ପାଗ୍‌ଲା ଭାବୁଥିଲା
୬ ଦିନ ପରେ ସେ କରୋନାକୁ ହରେଇ ଦେଇଛି।

ସଂଗରୋଧ

ବାହାରେ ସିନା ଖାଁ ଖାଁ, କିନ୍ତୁ ଛଅ ଦିନ ହେଲା ପ୍ରଫେସର ମହାନ୍ତିଙ୍କ ଘରଟା ଉଠୁଛି ପଡ଼ୁଛି। ଆସିବ ଆସିବ କହି ୫ ବର୍ଷ ହେଲା ଘରକୁ ଆସି ପାରୁ ନ ଥିବା ବଡ଼ କମ୍ପାନିର ସିଇଓ ବଡ଼ପୁଅ ବାଙ୍ଗାଲୋରରୁ ସପରିବାର ଘରକୁ ଆସିଛି। ସାନପୁଅ ବି କରୋନା ବ୍ୟାପିବାର ଠିକ୍ ପୂର୍ବରୁ ଇଣ୍ଡିଆ ଆସିଥିଲା ଯେ ଆଉ ଜର୍ମାନୀ ଫେରି ପାରୁନି। ଏଇଠି ‌ଘରେ ରହି ଅଫିସ କାମ କରୁଛି।
ସାନପୁଅର ଦୁଇ ଛୋଟ ଛୋଟ ପୁଅ-ଝିଅ ସକାଳୁ ରାତି ପର୍ଯ୍ୟନ୍ତ ଘର ଭିତରେ ସେମାନଙ୍କ ଉତ୍ପାତ ଜାରି ରଖିଛନ୍ତି। ସନ୍ଧ୍ୟାରେ ତିନି ମହଲା ଛାତ ଉପରେ ବସି ଜହ୍ନ ଓ ତାରାମାନଙ୍କୁ ସତେ ‌େଯମିତି ପ୍ରଥମ ଥର ପାଇଁ ଦେଖୁଛନ୍ତି। ଆଉ କ’ଣ ସବୁ ଜର୍ମାନ ଭାଷା କଥା ହେଉଛନ୍ତି। ବଡ଼ପୁଅର ଝିଅଟା ତ ‘ହ୍ୟାରି ପୋର୍ଟର’ ସିରିଜ୍ ଧରି ବସିଛି ଯେ ଖାଇବାକୁ ଡାକିଲେ ବି ଉଠୁନି। ଆଉ ସବୁଠୁ ସାନ ଗୁଲୁଗୁଲିଆ ଝିଅଟା ଜେଜେ-ଜେଜେମା ଉପରେ ଲଦି ହୋଇ କେତେବେଳେ ବିଚିତ୍ର ଖେଳ ସବୁ ଦେଖଉଛି ତ ପୁଣି କେତେବେଳେ ହସି ହସି ଗଡ଼ିଯାଉଛି।
ପ୍ରଫେସର ମହାନ୍ତି ଏ କଥା ବି ଲକ୍ଷ୍ୟ କଲେଣି; ପୁଅ-ବୋହୂ-ନାତିନାତୁଣୀଙ୍କୁ ପାଇ ଅହଲ୍ୟାଙ୍କ କ୍ରୋନିକ୍ ଅଣ୍ଟାବ୍ୟଥା ବି କୁଆଡ଼େ ଉଭାନ ହୋଇଯାଇଛି।
ସନ୍ଧ୍ୟାରେ ସମସ୍ତଙ୍କ ସହ ଛାତ ଉପରେ ବସି ମସଲା ମୁଢ଼ି ଖାଇଲା ବେଳେ ବଡ଼ପୁଅ କଥା ପକେଇଲା- ଯାହା କୁହ ବାପା। ଏତେଦିନ କ୍ବାରାଣ୍ଟିନ୍‌ର ରହିବା ଭାରି କଷ୍ଟ।
ସାନପୁଅ ପାଳି ଧରିଲା- ମୋର ତ ମୁଣ୍ଡ ଖରାପ ହୋଇଯିବ ଲାଗୁଛି। ଓଃ…ହରିବୁଲ୍।
ଦୁହିଁଙ୍କୁ ସମର୍ଥନ କରି ବୋହୂମାନେ ବି ମୁଣ୍ଡ ହଲାଇଲେ।
ଏତିକିବେ‌େଳ ବଡ଼ ନାତୁଣୀ ପଚାରିଦେଲା- ଆଚ୍ଛା ଜେଜେ, ଏ କ୍ବାରାଣ୍ଟିନ୍ ତୁମକୁ କେମିତି ଲାଗୁଛି?
ମୃଦୁ ମୃଦୁ ହସିଲେ ପ୍ରଫେସର ମହାନ୍ତି। କିଛି କହିବାକୁ ଚାହୁଁଥିଲେ, କିନ୍ତୁ କହି ପାରିଲେନି। କହି ବା ଲାଭ କ’ଣ?
ଏମାନେ କେମିତି ବୁ‌ଝନ୍ତେ ଯେ ବର୍ଷ ବର୍ଷ ଧରି ନିଃସଙ୍ଗ ଜୀବନ ଜିଉଁଥିବା ତାଙ୍କ ପରି ବୁଢ଼ାବୁଢ଼ୀଙ୍କ ପାଇଁ ଏ ୨୧ ଦିନିଆ ‘ସଂଗରୋଧ’ର ଅନୁଭବ କେଡ଼େ ଚମତ୍କାର!!

ଯୋଦ୍ଧା

ଟିଭିରେ ତୁହାକୁ ତୁହା କରୋନା ନ୍ୟୁଜ୍ ଦଉଥିଲା।
ସ୍ପେନ୍‌ରେ ଗୋଟିଏ ଦିନରେ ୫୮୯ ମୃତ। ଇଟାଲିରେ ମୃତ୍ୟୁ ସଂଖ୍ୟା ୧୨ ହଜାର ଟପିଗଲା। ଆମେରିକାରେ ଲକ୍ଷେ ୮୮ ହଜାର ଆକ୍ରାନ୍ତ।
ଏବେ ତ ଟିଭି ଖୋଲିଲେ ହିଁ ଏମିତି ‌େଯତେ‌ସବୁ ଛାତି ଥରାଇଲା ଭଳି ଖବର। ଭୟରେ ମିସେସ୍ ତ୍ରିପାଠୀ ନ୍ୟୁଜ୍ ଚାନେଲ୍ ବଦଳାଇ ଅନ୍ୟ ଚାନେଲ୍ ଲଗାଇ ଦିଅନ୍ତି।
ଯେବେଠୁ ଡାକ୍ତର ତ୍ରିପାଠୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି, ମିସେସ୍ ତ୍ରିପାଠୀଙ୍କ ନିଦ ହଜିଯାଇଛି। ଚାରି ଦିନ ହେଲା ସେ ଘରକୁ ଆସିନାହାନ୍ତି। ଖିଆପିଆ, ବିଶ୍ରାମ ସବୁକିଛି ସେହି ହସ୍ପିଟାଲରେ। ମଝିରେ ମଝିରେ ସେ କେବଳ ଘରକୁ ‌େଫାନ୍ କରୁଛନ୍ତି। ଆଉ କିଛି ଖବର ମିଳିବା ମୁସ୍କିଲ।
ଆଜି କିନ୍ତୁ ଚାନେଲ୍ ବଦଳାଇଲାବେଳେ ହଠାତ୍ ମିସେସ୍ ତ୍ରିପାଠୀଙ୍କ ହାତ ଅଟକି ଗଲା। ଗୋଟେ ନ୍ୟୁଜ୍ ଚାନେଲ୍‌ରେ ଆଙ୍କର୍ କହି ଚାଲିଥିଲା- ଇଟାଲିରେ କରୋନା ଚିକିତ୍ସା କରୁଥିବା ୬୦୦ରୁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ପ୍ରାଣ ହରାଇଲେଣି। ଚୀନ୍‌ରେ ୩୩୦୦ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ସଂକ୍ରମିତ। ଜର୍ମାନିରେ ବି ଡାକ୍ତରମାନେ ବଳି ପଡ଼ୁଛନ୍ତି….।
ହେ…ଭଗବାନ। ଭାରତରେ ଏମିତି ହେଲେ କ’ଣ ଅବସ୍ଥା ହେବ? ଏଠି ତ ଡାକ୍ତରଙ୍କ ପାଇଁ ହସ୍ପିଟାଲରେ ସୁରକ୍ଷିତ କିଟ୍‌ ବି ଉପଲବ୍ଧ ନାହିଁ। ଜୀବନକୁ ବାଜି ଲଗେଇ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି।
ଏଇ କଥା ଭାବୁ ଭାବୁ ମିସେସ୍ ତ୍ରିପାଠୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିଗଲା ଅାଖିରୁ ଧାର ଧାର ଲୁହ ଗଡ଼ି ଆସିଲା।
ହଠାତ୍ ପଛରେ ୬ ବର୍ଷର ପୁଅ ପିଣ୍ଟୁକୁ ଦେଖି ତରବରରେ ଆଖିରୁ ଲୁହ ପୋଛି ପକେଇଲେ ମିସେସ୍ ତ୍ରିପାଠୀ। ଟିଭିର ଚାନେଲ୍ ବି ବଦଳାଇଦେଲେ।
ପିଣ୍ଟୁ ଆଖିରୁ କିନ୍ତୁ ମା’ ଆଖିର ଲୁହ ଲୁଚି ପାରିଲା ନାହିଁ।
ମା’ଙ୍କ ଆଖିରେ ଆଖି ରଖି ପିଣ୍ଟୁ କହିଲା- ତୁମେ କାହିଁକି ବ୍ୟସ୍ତ ହଉଛ ମମ୍ମି? ଡାଡି ପରା ଯୁଦ୍ଧକୁ ଯାଇଛନ୍ତି? ସେ ନିଶ୍ଚିୟ ଜିତିକି ଆସିବେ। ଆଉ ମୁଁ ବି ବଡ଼ ହେଲେ ଡାଡିଙ୍କ ଭଳି ଡାକ୍ତର ହେବି।
ଗଭୀର ଆବେଗରେ ପିଣ୍ଟୁକୁ କୋଳେଇ ନେଇ ଛାତିରେ ଜାବୁଡ଼ି ଧରିଲେ ମିସେସ୍ ତ୍ରିପାଠୀ।

ଈଶ୍ବର

କରୋନା ଯୋଗୁଁ ଗୋଟିଏ ଦିନରେ ତିନି ଜଣଙ୍କର ମୃତ୍ୟୁ ହୋଇଗଲା। ଜଣେ ସ୍ବଘୋଷିତ ଧର୍ମଗୁରୁ, ଜଣେ ଡାକ୍ତର ଏବଂ ଗୋଟେ ବୁଲା କୁକୁର।
କହିବା ବାହୁଲ୍ୟ କୁକୁରଟି କରୋନା ବ୍ୟାପିବା ପରେ ଲକ୍‌ଡାଉନ୍ ଜନିତ ଅନାହାର ମୃତ୍ୟୁର ଶିକାର ହୋଇଥିଲା।
ସେମାନେ ସମସ୍ତେ ଯମପୁର ଅଭିମୁଖେ ଯାଉଥିଲେ। ବାଟରେ ଈଶ୍ବରଙ୍କ ସହ ଭେଟ ହୋଇଗଲା। ଈଶ୍ବର ସେମାନଙ୍କୁ ଅଟକାଇ କହିଲେ, ମୁଁ ତୁମକୁ ପୁନର୍ଜୀବନ ‌େଦବାକୁ ଚାହେଁ। ତେବେ ଆଗେ କୁହ ଆଉ ଥରେ ବଞ୍ଚିବା ସୁଯୋଗ ପାଇଲେ ତୁମେ କ’ଣ କରିବ?
କେହି ‌କିଛି କହିବା ପୂର୍ବରୁ ତରବର ହୋଇ ସ୍ବଘେ‌ାଷିତ ଧର୍ମଗୁରୁ କହିଲେ,
-ପ୍ରଭୁ, ମୁଁ ତୁମର କେତେ ଗୁଣଗାନ ନ କରିଛି? ଦେଶବିଦେଶ ବୁଲି ପ୍ରବଚନ ଦେଉଥିଲି। କିନ୍ତୁ ଦିଲ୍ଲୀର ଗୋଟେ ଧର୍ମସଭାରୁ ଯୋଗ ଦେଇ ଫେରିବା ପରେ ପରେ ମୋତେ କରୋନା ହେଲା। ଏମିତି କରି ଠିକ୍ କଲନି। ଅ‌ାଉ ଥରେ ସୁଯୋଗ ମିଳିଲେ ଆହୁରି ବଡ଼ ଧର୍ମସଭା କରିବି, ହଜାର ହଜାର ଲୋକଙ୍କୁ ଡାକି ପ୍ରବଚନ ଦେବି। କ’ଣ ଖୁସି ତ?
ସବୁ ଶୁଣି ଈଶ୍ବର ମୃଦୁ ମୃଦୁ ହସିଲେ। କିଛି କହିଲେ ନାହିଁ।
ଏଥର କୁକୁରର ପାଳି ପଡ଼ିଲା । ସେ ବଲବଲ ହୋଇ ଈଶ୍ବରଙ୍କ ମୁହଁକୁ ଅନେଇଲା।
କିଛି ସମୟ ଭାବି କହିଲା- ପ୍ରଭୁ ଏ ବାବୁ ଯାହା କରନ୍ତି, ମୁଁ ବି ସେଇଆ କରେ। କିନ୍ତୁ ମୋ ନିଜ ଭାବରେ ଆଉ ଭାଷାରେ। ମଣିଷମାନେ ବୁଝି ପାରନ୍ତି ନାହିଁ। ଆମକୁ ମାରି ଗୋଡ଼ାନ୍ତି। ମୋତେ ସୁଯୋଗ ମିଳିଲେ ମୁଁ ୟ‌ାଙ୍କଠୁ ବି ଆପଣଙ୍କ ମହିମା ଅଧିକ ବଖାଣିବି।
ଈଶ୍ବର ଏଥର ଡାକ୍ତରଙ୍କ ମୁହଁକୁ ଅନେଇଲେ। ଡାକ୍ତର ବେଶ୍ କିଛି ସମୟ ନିରବ ରହିଲା ପରେ ସାହସ ଜୁଟାଇ କହିଲେ- ଆପଣ ଯିଏ ବି ହୁଅନ୍ତୁ; ଆପଣ ପୁନର୍ଜୀବନ ଦେଇ ପାରିବେ କି ନାହିଁ ମୋର ସ‌ନ୍ଦେହ ଅଛି। ଯଦି ସତରେ ଆପଣ ଈଶ୍ବର ତାହେଲେ ଅଗଣିତ ନିରୀହ ଜୀବନ ଏମିତି କଲବଲ ହୋଇ ମରୁଥିବାବେଳେ ଆପଣ ନିଜର କେଉଁ ବଡ଼ପଣ ଦେଖାଉଛନ୍ତି?
ଈଶ୍ବର ପୁଣି ହସିଲେ। ସ୍ବଘୋଷିତ ଧର୍ମଗୁରୁ ଓ କୁକୁରଙ୍କୁ ଅନେଇ କହିଲେ- ତଥାସ୍ତୁ। ତୁମ ଦୁହିଁଙ୍କୁ ପୁନର୍ଜୀବନ ଅବଶ୍ୟ ମିଳିବ। ତେବେ ତୁମ ଦୁହିଁଙ୍କ ଶରୀର ଓଲଟପାଲଟ ହୋଇଯିବ। ଆଉ ଏ ‘ବିଦ୍ରୋହୀ ଆତ୍ମା’ ଡାକ୍ତରକୁ ତା’ ବିଦ୍ରୋହର ଫଳ ମିଳିବ। ସେ ପୁନର୍ଜୀବନ ପାଇ ପୁଣିଥରେ ତା’ କର୍ମସ୍ଥଳୀକୁ ଫେରିଯିବ ଏବଂ ଦିନରାତି କରୋନା ରୋଗୀଙ୍କ ସେବାରେ ନିୟୋଜିତ ହେବ।
ଈଶ୍ବରଙ୍କ ଏଭଳି ଘୋଷଣା ଶୁଣିବା ପରେ
କୁକୁର ଉଲ୍ଲସିତ ହୋଇ ଦୁଇ ତିନି ଥର ଭୁକି ପକାଇଲା।
ଧର୍ମଗୁରୁ କାନ୍ଦ କାନ୍ଦ ଦେଖାଗଲେ।
ଡାକ୍ତର ନିର୍ବିକାର ରହିଲେ।
ଈଶ୍ବର ମୃଦୁ ମୃଦୁ ହସି ଉଭାନ ହୋଇଗଲେ।

ଛିଙ୍କ

ସମସ୍ତଙ୍କୁ ଚଟାଣରେ ଗୋଲ୍‌ କାଟି ଏକ ମିଟର ଦୂରତାରେ ଠିଆ କରାଯାଇଥିଲା। ଫାଟକରେ ପଶିବା ପୂର୍ବରୁ ସଭିଏଁ ଯେମିତି ହ୍ୟାଣ୍ଡ୍‌ୱାସ୍‌ରେ ଭଲଭାବେ ହାତ ଧୁଅନ୍ତି, ତାହା ନିଶ୍ଚିତ କରାଯାଇଥିଲା। ସମସ୍ତେ ମୁହଁରେ ରୁମାଲ ବା ମାସ୍କ ଲଗାଇଥିଲେ।
ପ୍ରାୟ ଘଣ୍ଟାଏ କାଳ ସାବଧାନ ମୁଦ୍ରାରେ ଏମିତି ଛିଡ଼ା ହେଇ ରହିଲା ପରେ ମାଲିକଙ୍କ ମର୍ସିଡିଜ୍ ଗେଟ୍‌ ପାଖରେ ଲାଗିଲା। ସିକ୍ୟୁରିଟି ଗାର୍ଡ଼ ଦ୍ବୟ ସଲାମ୍‌ ଠୁଙ୍କିଲେ। ଅଫିସର ବଡ଼ ବାବୁମାନେ ଗେଟ୍‌ ପାଖକୁ ଦୌଡ଼ିଗଲେ, ଆଉ ଉପଯୁକ୍ତ ସାମାଜିକ ଦୂରତ୍ବ ବଜାୟ ରଖି ମାଲିକଙ୍କୁ ହଲ୍ ଭିତରକୁ ପାଛୋଟି ଆଣିଲେ।
ମାଲିକ ସମସ୍ତଙ୍କ ଉପରେ ଆଖି ବୁଲାଇ ଆଣି ଦୁଇ ଥର ନିଶ ସାଉଁଳାଇଲେ। ଆଉ ବିନା ଭୂମିକାରେ ସରକାରଙ୍କ କରୋନା ଗାଇଡ୍‌ଲାଇନ୍ ବିଷୟରେ ସବୁ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେବାକୁ ଆରମ୍ଭ କଲେ।
-ଦେଖ…ଏଣିକି ସବୁ କରୋନା ନିୟମ କଡ଼ାକଡ଼ି ଲାଗୁ ହେବ। ଯିଏ ଉଲ୍ଲଂଘନ କରିବ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଅଫିସକୁ ସମସ୍ତେ ମାସ୍କ ପିନ୍ଧି ଆସିବ। ବାରମ୍ବାର ହାତ ଧୋଇବ। ପରସ୍ପରଠାରୁ ସାମାଜିକ ଦୂରତା ରକ୍ଷା କରିବ। ଥଣ୍ଡା ଲାଗିଲେ, ଜର କି କାଶ ହେଲେ ଜଣାଇବ। ମୁହଁରେ ରୁମାଲ୍ ଦେଇ କାଶିବ। କେହି ବି ବିନା କାରଣରେ ଛିଙ୍କିବ ନାହିଁ……।
ୟା…ଛୁଁ….
କର୍ମଚାରୀଙ୍କ ଭିଡ଼ ଭିତରୁ କେହି ଜଣେ ‌ ‌େଜାର୍‌ରେ ଛିଙ୍କିଦେଲା।
ମାଲିକ ରାଗରେ ଲାଲ୍‌ ପଡ଼ିଗଲେ। ଏଡ଼େ ବହପ….ସେ ଛିଙ୍କିବାକୁ ମନା କରୁ କରୁ ଛିଙ୍କି ଦେଲା? କିଏ ଜାଣେ ସେ କରୋନାର ବାହକ ହୋଇ ନଥିବ ବୋଲି?
ମାଲିକଙ୍କ ରାଗ ଦେଖି ବଡ଼ ବାବୁମାନେ ବ୍ୟସ୍ତ ହୋଇପଡ଼ିଲେ।
କିଏ ସେ… କିଏ ସେ… ବୋଲି କହି ଅପରାଧୀକୁ ଧରିବା ଲାଗି ଝାମ୍ପି ପଡ଼ିଲେ। ହଲ୍‌ଟା ସାରା ଦରାଣ୍ଡି ଦେଇଗଲେ।
ମାଲିକ ଫଁ ଫଁ ହେଲେ….। ମିଳିଲା କି ସେ ପାଷାଣ୍ଡ?
ଖୋଜିବାରେ ବିଫଳ ବଡ଼ ବାବୁମାନେ କାନ୍ଦ କାନ୍ଦ ଦେଖାଗଲେ।
ଏତିକିବେଳେ ଆହୁରି ଜୋର୍‌ରେ ଶୁଭିଲା- ୟା…..ଛୁଁ…।
ସମସ୍ତେ ଚମକି ପଡ଼ିଲେ, ହଲ୍‌ କମ୍ପି ଉଠିଲା। ପୁଣି କିଏ ଛିଙ୍କିଲା?
ଶବ୍ଦକୁ ଅନୁସରଣ କରି ସମସ୍ତଙ୍କ ନଜର ଆସି କେନ୍ଦ୍ରୀଭୂତ ‌େହଲା ମାଲିକଙ୍କ ଉପରେ। ମାଲିକ ପକେଟ୍‌ରୁ ରୁମାଲ ବାହାର କରି ନାକ ପୋଛୁଥିଲେ।

ଜନ୍ନତ

ସଲିମ୍ ଯେଉଁଦିନ ରାଉରକେଲାରୁ ଦିଲ୍ଲୀ ଯିବାକୁ ଉତ୍କଳ ଏକ୍ସପ୍ରେସ୍‌ରେ ବସିଲା, ଅମ୍ମି ତା’କୁ ବାରମ୍ବାର କହିଥିଲା- ବେଟା ଅପ୍‌ନା ଖୟାଲ୍ ରଖିବୁ।
କା‌ରଣ ସତର ବର୍ଷର ସଲିମ୍ ପ୍ରଥମ ଥର ପାଇଁ ଦିଲ୍ଲୀ ଯା‌ଉଥିଲା। ନିଜାମୁଦ୍ଦିନ ମରକଜ୍‌ରେ ତବ୍‌ଲିଘ ଜମାତ୍ ପାଇଁ ବସ୍ତିର କେତେଜଣ ବାହାରିଥିଲେ। ତେଣୁ କୁତବମୀନାର, ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍‌ ଦେଖିବା ଲୋଭରେ ଦିଲ୍ଲୀ ଯିବାକୁ ସେ ବି ହଁ ମାରି ଦେଇଥିଲା। ସେମାନେ ପ୍ରତିଶ୍ରୁତି ଦେଇଥିଲେ ତିନି ଦିନର ଜମାତ୍‌ ପରେ ସବୁ ବୁଲି ଦେଖାଇବେ।
ସମ୍ମିଳନୀରେ ଦେଶ ବିଦେଶରୁ ଆସିଥିବା ମୌଲବୀମାନେ କ’ଣ ସବୁ କହୁଥିଲେ ତ‌ା’ର ବିନ୍ଦୁବିସର୍ଗ ବୁଝି ପାରି ନଥିଲା ସଲିମ୍।
ଖାଲି ଏତିକି ବୁଝିଥିଲା- ଜୀବନରେ ଭଲ କାମ କଲେ ଜନ୍ନତ ମିଳିବ। ଆଉ ଖରାପ କାମ କଲେ ଜହନ୍ନମ୍।
ଏ କଥା ତ ଅମ୍ମି କେତେଥର କଥା ଛଳରେ ତା’କୁ କହିଛି। ଫରକ୍ କେବଳ ଏତିକି, ସେ କେବେ ଅମ୍ମିର କଥାକୁ ଗୁରୁତ୍ବ ଦେଇନି।
ଆଜି କିନ୍ତୁ ଅମ୍ମିର ସବୁ କଥା ତା’ର ଭାରି ମନେ ପଡ଼ୁଛି। କାରଣ ପଜିଟିଭ୍ ଆସିବା ପରେ ଚଉଦ ଦିନ ହେଲା ଗୋଟେ ଅନ୍ଧାରିଆ ଘରେ ତା’ ଭଳି ୪୦/୫୦ଜଣଙ୍କୁ ଗାଈଗୋରୁ ଭଳି ବନ୍ଦୀ କରି ରଖାଯାଇଛି।
ଦେହରେ ଜର ଖଇ ଫୁଟୁଛି। ତଣ୍ଟିରେ କଣ୍ଟା ଭଳି କିଛି ଗୋଟେ ଯେମିତି ଅଟକି ଯାଇ ପ୍ରବଳ ଦରଜ ହେଉଛି। ଆଉ ଶୁଖିଲା କାଶରେ ‌ଗଳାର ଶିରା ପ୍ରସିରା ଛିଡ଼ି ହୋଇଗଲା ଭଳି ଲାଗୁଛି।
ଓଃ… ଜହନ୍ନମ୍ ଆଉ କ’ଣ କି?
ଶୋଇ ଶୋଇ ସଲିମ୍‌ ମନେ ପକାଇଲା, ତା’ର ଏଇ ସତର ବର୍ଷର ଜୀବନ ଭିତରେ ସେ ଏମିତି କିଛି ଖରାପ କାମ ତ କରିନି? ତା’ ଗଳିର ସବ୍‌ନମ୍‌କୁ ଲୁଚେଇ ଲୁଚେଇ କାଡବରି ଚକ୍‌ଲେଟ୍‌ ଦେବା କ’ଣ ଏତେ ଖରାପ କାମ?
ଆଉ ଆଗକୁ ଚିନ୍ତା କରି ପାରିଲାନି ସଲିମ୍। ତା’ ମୁଣ୍ଡ ଭିତରେ କିଏ ଯେମିତି କାନଫଟା ସାଉଣ୍ଡ‌ ଦେଇ ଡିଜେ ବଜଉଛି। ତା’ ଆଖି ଆଗରେ ଭାସି ଉଠିଲା ଅମ୍ମିର ନମାଜ ପଢ଼ିବା ବେଳର ସେ ସୌମ୍ୟ ଶାନ୍ତ ମୁହଁ, ଛଳଛଳ ଆଖି, ଦୁଇ ସମର୍ପିତ ହାତ, ଆଉ ସାରା ପୃଥିବୀକୁ ନାନାବାୟା ଗୀତ ଗାଇ ଶୁଆଇ ପକାଇଲା ଭଳି ଗୋଟେ ପଣତ ଘେରା ସୁରକ୍ଷିତ କୋଳ।
ଦୁଇ ହାତରେ ମୁଣ୍ଡଟାକୁ ଚାପି ଧରି ସଲିମ୍ ଚିତ୍କାର କଲା
– ଅମ୍ମି। ମୁଁ ତୋ ପାଖକୁ ଯିବି। ମୋର ଜନ୍ନତ ଦରକାର ନାହିଁ।

ପଜିଟିଭ୍‌

ଲକ୍‌ଡାଉନ୍‌ ୬/୭ଦିନ ହେଲା ଟିଭିରେ ସିନେମା ଦେଖି ଦେଖି ଆଉ ମୋବାଇଲ ଘାଣ୍ଟି ଘାଣ୍ଟି ବିରକ୍ତ ଲାଗିବାରୁ ଆୟୁଷ ଭାବିଲା ଆଜି କିଛି ନୂଆ କରିବ।
ତେଣୁ ସେ ବଡ଼ି ଭୋର୍‌ ନିଦରୁ ଉଠିପଡ଼ିଲା। ୟୁ-ଟ୍ୟୁବ୍ ଦେଖି ଟିକେ ‌ଯୋଗ, ପ୍ରାଣାୟାମ କଲା; ଯଦିଓ ପ୍ରାଣାୟାମରେ ନିଶ୍ବାସ କେଉଁ ନାକରେ ଛାଡ଼ି କେଉଁ ନାକରେ ନେବାକୁ ହେବ ତାହା ଠିକ୍ ଠିକ୍ ବୁଝି ନଥିଲା। ତା’ପରେ ତୁଳସୀପତ୍ର, ମହୁ, ଅଦାରସ ମିଶେଇ ଖାଇଲା। ଆଉ ଜଳଖିଆରେ ଗଜାମୁଗ, ବୁଟ, ପେସ୍ତା ସାଙ୍ଗକୁ ଅପଲ୍, ପିଜୁଳି, କଳା ଅଙ୍ଗୁର ଅାଦି ଖାଇ ଏକଦମ୍ ଫ୍ରେସ୍ ହୋଇଗଲା। ତା’ପରେ ସକାଳର ଏଇ ନିଆରା ଅନୁଭବକୁ ଅନ୍ୟମାନଙ୍କୁ ସେଆର କରିବା ପାଇଁ ସେଇ ମୁହୂର୍ତ୍ତରେ ‌ନେଇଥିବା ଏକ ସେଲ୍‌ଫିକୁ ପଦେ କମେଣ୍ଟ ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ କରିଦେଲା।
ବଡ଼ି ‌େଭାରରୁ ଉଠି ପ୍ରଥମ ଥର ଲାଗି ଯୋଗ-ପ୍ରାଣାୟାମ ଆଦି କରିଥିବାରୁ ଆୟୁଷକୁ ନିଦ ଲାଗିଲା। ତେଣୁ ସେ ମୋବାଇଲ ସୁଇଚ୍‌ଅଫ୍ କରି ନିଘୋଡ଼ ନିଦରେ ଶୋଇପଡ଼ିଲା। ପ୍ରାୟ ଦୁଇ ଘଣ୍ଟା ପରେ ନିଦ ଭାଙ୍ଗିଲା ବେଳକୁ ଦିନ ୧୧ଟା ବାଜିଲାଣି।
ଓଃ …କି ଶାନ୍ତି। ସେ ଏତେ ସମୟ ଶୋଇପଡ଼ିଲା, ଅଥଚ ସମୟ ଜାଣି ପାରିଲାନି। ନିଦରୁ ଉଠି ମୋବାଇଲଟା ଖୋଲିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଗଲା ଆୟୁଷ। – ଏ କ’ଣ? ତା’ ପୋଷ୍ଟିଂରେ ଅଢ଼େଇ ଶ’ କମେଣ୍ଟ?
-ଗେଟ୍‌ ୱେଲ୍ ସୁନ୍….ୱିସିଂ ୟୁ ଏ ସ୍ପିଡି ରିକୋଭାରି….କିଛି ଚିନ୍ତା କରନି….ସବୁ ଠିକ୍ ହେଇଯିବ…..ଭଗବାନ ଅଛନ୍ତି…. ୧୦୪କୁ କଲ୍‌ କର…. ବ୍ରାଭୋ ବ୍ରଦର୍‌….
ଏମିତି ସବୁ କମେଣ୍ଟ ପଢ଼ି ନିର୍ବାକ୍ ହୋଇଗଲା ଆୟୁଷ।
ଏତିକିବେଳେ ଫୋନଟା ବାଜି ଉଠିଲା। ସେପଟରୁ ଅସ୍ତବ୍ୟସ୍ତ ହୋଇ ମମ୍ମି ଫୋନ୍ କରୁଥିଲେ- କ’ଣ ହୋଇଛି ତୋର? କୁଆଡ଼େ ବାହାରକୁ ଯାଇଥିଲୁ କି ୟା’ ଭିତରେ? ଟେଷ୍ଟ୍ କରିଥିଲୁ କି? ଆମକୁ କାହିଁକି କହି ନ ଥିଲୁ? ମୋବାଇଲ କାହିଁକି ସୁଇଚ୍‌ଅଫ୍‌ କରିଥିଲୁ?
ଏକା ନିଶ୍ବାସରେ ଏତେଗୁଡ଼ିଏ ପ୍ରଶ୍ନ ଫିଙ୍ଗି ଦେଇ କାନ୍ଦି ପକାଇଲେ ମମ୍ମି।
ଆୟୁଷ କ’ଣ ଉତ୍ତର ଦେବ ବୁଝି ପାରୁ ନଥିଲା। ହଠାତ୍ ସମସ୍ତେ କାହିଁକି ତା’କୁ ଅସୁସ୍ଥ ବୋଲି ଭାବୁଛନ୍ତି ସେ ବୁଝି ପାରୁ ନଥିଲା। ତେଣୁ ସେ ‌‌ରାଗରେ ଚିଲେଇ କହିଲା
– ମମ୍ମି ମୋର କିଛି ହେଇନି। ତୁ ଏମିତି କାହିଁକି ପଚାରୁଛୁ?
ସେପଟରୁ ମମ୍ମି ବାଷ୍ପରୁଦ୍ଧ କଣ୍ଠରେ ପଚାରିଲେ- ତା’ହେଲେ ତୁ ଫେସ୍‌ବୁକ୍‌ରେ ସେଲ୍‌ଫି ପକେଇ ଏମିତ କାହିଁକି ଲେଖିଲୁ?
ଏତେବେଳକେ ବୁଝିଲା ଆୟୁଷ। ସେ ଫେସ୍‌ବୁକ୍‌ରେ ପୋଷ୍ଟିଂ କରିଥିବା ସେଲ୍‌ଫି ତଳେ ପଦଟିଏ ଲେଖିଥିଲା- ଫିଲିଂ ପଜିଟିଭ୍।

ଆଇସ୍‌କ୍ରିମ୍

ଚକଲେଟ୍‌ ଖାଇବାକୁ କୋଉ ଛୁଆକୁ ବା ଭଲ ନ ଲାଗେ? ସୋନୁ କିନ୍ତୁ ଚକଲେଟ୍‌ ନୁହେଁ, ଆଇସକ୍ରିମ୍ ପାଇଁ ପାଗଳ। ପ‌ାପାଙ୍କ ସହ ଯେବେ‌ ବି ସ୍କୁଟିରେ ବଜାର ବୁଲିଯାଏ ପାପା ତା’କୁ ତା’ ଫେଭରାଇଟ୍ ଆଇସକ୍ରିମ୍ କିଣିଦିଅନ୍ତି। ଆଉ ମମ୍ମି ତ ମାସିକିଆ ସଉଦା ଆଣିବାକୁ ମଲ୍‌କୁ ଗଲେ ତା’ ପାଇଁ କପ୍‌, କୋନ୍, ଡବା ଓ ପ୍ୟାକେଟ୍‌ବାଲା ବିଭିନ୍ନ ଫ୍ଲେଭରର ଆଇସ୍‌କ୍ରିମ୍ କିଣି ଫ୍ରିଜ୍‌ରେ ସାଇତି ରଖେ। ସୋନୁ ହୋମ୍‌ୱାର୍କ ନ କଲେ, ଖାଇବାରେ ଡେରି କଲେ, ଟିଭିରେ ବେଶି କାର୍ଟୁନ ଦେଖିଲେ ପାପା-ମମ୍ମି ଦୁହେଁ ତା’କୁ ଆଇସକ୍ରିମ୍‌ର ଲୋଭ ଦେଖାନ୍ତି, ଆଉ ସୋନୁ ମାନିଯା‌ଏ।
ହେଲେ ଏଇ କେତେଦିନ ହେଲା କରୋନା ପାଇଁ ସୋନୁର ଆଇସକ୍ରିମ୍ ଖ‌ାଇବା ଉପରେ ନିଷେଧାଜ୍ଞା ଲାଗିଚି। ଟିଭିରେ ବାରମ୍ବାର ଚେତାଇ ଦେଉଛି ଥଣ୍ଡା ଲଗାଅନି କି କିଛି ଥଣ୍ଡା ଜିନିଷ ଖାଅନି। ତେଣୁ ଫ୍ରିଜ୍‌ରେ ଭଳିକି ଭଳି ଆଇସକ୍ରିମ୍ ଥୁଆ ହେଇଥିଲେ ବି ‌ସୋନୁଠୁ ସେସବୁକୁ ଅପହଞ୍ଚ ଦୂରତାରେ ସବା ଉପର ଆଇସ୍‌ ଚେମ୍ବରରେ ମମ୍ମି ଲୁଚେଇ ରଖିଛି।
ସନ୍ଧ୍ୟାରେ କିନ୍ତୁ ଗୋଟେ ଅଦ୍ଭୁତ ଘଟଣା ଘଟିଲା। କରୋନା ଯୋଗୁଁ ୭/୮ଦିନ ହେଲା ଆସୁ ନ ଥିବା କାମବାଲି ଆଣ୍ଟି ସୋନୁ ବୟସର ତା’ ପୁଅକୁ ନେଇ ଗଲା ମାସର ବକେୟା ଦରମା ନେବାକୁ ଆସିଥିଲା। ମମ୍ମି କିନ୍ତୁ ତା’ଙ୍କୁ ଘରେ ପୂରେଇଲା ନାହିଁ। ସେମିତି ଦୁଆର ମୁହଁରେ ଛିଡ଼ା କରି ଗ୍ଲୋଭ୍‌ସ ପିନ୍ଧା ହାତରେ ଦରମା ଟଙ୍କା ତକ ତାଙ୍କ ହାତରେ ଧରାଇଦେଲା।
ତେବେ ସେ ମା’ପୁଅ ନିରବରେ ଦୁଆର ମୁହଁରୁ ଫେରି ଯାଉଥିବାବେଳେ ମମ୍ମି କହିଲା- ଟିକେ ରହିଯା…ରହିଯା।
ସୋନୁ ଦେଖିଲା ମମ୍ମି ତରତର ହୋଇ ଘର ଭିତରକୁ ଫେରିଆସିଲା। ଆଉ ଫ୍ରିଜ୍‌ରେ ରଖିଥିବା ଆଇସକ୍ରିମ୍‌ ତକ ଗୋଟେ ଜରିରେ ଗୁଡ଼େଇ କାମବାଲି ଆଣ୍ଟିକୁ ଧରେଇ ଦେଇ କହିଲା- ନେଇଯା…ତୋ ପୁଅ ଖାଇବ।

କଲ୍‌ଗାର୍ଲ

ସାତ ଦିନ ହେଇଗଲା ବେପାର ପୂରା ମାନ୍ଦା।
ଚାରିଆଡ଼େ ତ ଲକ୍‌ଠାଉନ୍। ବେପାର ନା ଛେନାଗୁଡ଼ ହବ। ଯେଉଁ ଲଜ୍‌ରେ ଗୋଟିଏ ରୁମ୍‌ ତା’ର ସବୁବେଳେ ରିଜର୍ଭ ଥାଏ, ସେ ‌ଲଜ୍ ମାଲିକ ‌ବି ଫୋନ୍ କରି ଜଣେଇ ଦେଇଥିଲା- ତୁମ ସାମାନ୍ ନେଇଯାଅ। ଲକ୍‌ଡାଉନ୍ ଖୋଲିବା ପରେ ପରିସ୍ଥିତି ଦେଖି ଯାହା କରିବା।
ସହରର ଗୋଟେ କୋଣରେ ଏଇ ଧତରା ୱାର୍କିଂ ଓମେନ୍ ହଷ୍ଟେଲରେ ଖାସ୍‌ ଏଇ କାମ ପାଇଁ ରହୁଥିବା ତା’ର ଅନ୍ୟ ବାନ୍ଧବୀମାନେ ଯିଏ ଯାହାର ଘରକୁ ପଳେଇଥିଲେ। ସମସ୍ତଙ୍କର ସେଇ ଗୋଟେ ଯୁକ୍ତି- ଏ ସମୟରେ କୁଆଡ଼େ ସହଜରେ ଯାଇ ହବନି, ପୁଣି ଲୋକେ ବି ଘରୁ ବାହାରିବେନି। ଆଉ ବେପାର ହବ କେମିତି?
କିନ୍ତୁ ଅନ୍ୟମାନଙ୍କ ଭଳି ଘରକୁ ନ ଯାଇ ଏକା ରହି ଯାଇଥିଲା ରେଶ୍‌ମା। କାରଣ‌ ସେ ଜାଣିଥିଲା ଲୋକେ ଘରକୁ ନ ବାହାରି ପାରିଲେ ହିଁ କଲ୍ ବେଶି ଆସିବ। ଆଉ ସେ ସୁଯୋଗର ଭରପୂର ଫାଇଦା ଉଠେଇବ। ତେବେ ସେ ଯାହା ଭାବିଥିଲା…ସେମିତି ‌ହଉ ନ ଥିଲା।
ଏତିକିବେଳେ ରେଶ୍‌ମାର ମୋବାଇଲକୁ ଗୋଟେ ପୁରୁଣା ଗରାଖର ଫୋନ୍ ଆସିଲା।
-ହ୍ୟାଲୋ…..ଏକା ଏକା ବୋର୍ ହେଉଛି। ଆଜି ହବ?
-କ’ଣ ହୋଲ୍ ନାଇଟ୍‌?
– ହଁ… ନହେଲେ ମଜା ଆସିବନି।
-ପୂରା ତିନି ହଜାର ଲାଗିବ।
– କାହିଁକି …ଏଇ ସେଦିନ ତ ୨ରେ ରାଜି ହେଇଥିଲୁ।
– ଏବେ ପରା କରୋନା ଟାଇମ୍‌। ଜାଣିନ କି ଏବେ ଖୋଜିଲେ ବି କାହାକୁ ପାଇବନି।
ହୋ ହୋ ହୋଇ ହସିଲା ଗରାଖ। ସେପଟରୁ ଛିଗୁଲେଇ କହିଲା- ତୋର ପୁଣି କରୋନା ଟାଇମ୍‌ରେ ଦର ବଢ଼ିଗଲା? ତୁ କ’ଣ ଆଳୁ-ପିଆଜ ନା ଡାଲି-ଚାଉଳ?
ଏ ପ୍ରଶ୍ନର କିଛି ଉତ୍ତର ଦେଲାନି ରେଶମା।
ଉତ୍ସାହିତ ହୋଇ ଗରାଖ ଜଣକ ଏଥର ଆହୁରି ଜୋର୍‌ରେ ହସିଲା।
– ଆରେ ଘୁଙ୍ଗି ହୋଇଗଲୁନା କ’ଣ? କିଛି କହୁନୁ ଯେ?
ଏଥର ରେଶ୍‌ମା ବଡ଼ ପାଟିରେ ଚିଲେଇ କହିଲା
– ହଁ ଠିକ୍‌ କହିଛୁ। ମୁଁ ବି ଡାଲି-ଚାଉଳ ଭଳି ଅତ୍ୟାବଶ୍ୟକ। କିନ୍ତୁ ସାମଗ୍ରୀ ନୁହେଁ… ମଣିଷ।
ଏତକ କହି ଫୋନ୍‌ କାଟିଦେଲା ରେଶ୍‌ମା।

Comments are closed.