ଆଇସୋଲେସନ୍ ଓ୍ବାର୍ଡରେ ଡାକ୍ତର କଲେ ଦୁଷ୍କର୍ମ, ମହିଳା ମୃତ

ଗୟା: ବିହାରର ଗୟା ଠାରେ ଏକ ଡାକ୍ତରଖାନାର କରୋନା ଭୂତାଣୁ ସଂଗରୋଧ ଓ୍ବାର୍ଡରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହିଁ ଦୁଷ୍କର୍ମ କରିଛନ୍ତି ଓ ଏହି କାରଣରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ପୁଲିସକୁ କହିଛନ୍ତି।
ମଙ୍ଗଳବାର ଦିନ ଘଟଣା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ମହିଳାଙ୍କର ବୟସ ୨୫ ବର୍ଷ ଓ ସେ ବିବାହିତା। ସେ ନିଜର ସ୍ବାମୀଙ୍କ ସହ ପଞ୍ଜାବର ଲୁଧିଆନାରେ ରହନ୍ତି। ଲକ୍ଡାଉନ୍ ଘୋଷଣା ହେବା ପରେ ମାର୍ଚ୍ଚ ୨୫ରେ ଉଭୟେ ପତିପତ୍ନୀ ଗୟା ଫେରିଥିଲେ। ଫେରିବା ପୂର୍ବରୁ ୨ ମାସର ଗର୍ଭବତୀ ମହିଳା ଜଣକ ଲୁଧିଆନାରେ ନିଜର ଭୃଣ ନଷ୍ଟ କରିଥିଲେ। ଆବରସନ୍ କାରଣରୁ ତାଙ୍କର ରକ୍ତସ୍ରାବ ହେଉଥିବାରୁ ସ୍ବାମୀ ତାଙ୍କୁ ମାର୍ଚ୍ଚ ୨୭ରେ ସ୍ଥାନୀୟ ଅନୁରାଗ ନାରାୟଣ ମଗଧ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କୁ ଆପାତକାଳୀନ ଓ୍ବାର୍ଡରେ ରଖାଯାଇଥିଲା।
ପରେ ତାଙ୍କ ଠାରେ କରୋନା ଲକ୍ଷଣ ସନ୍ଦେହ ହେବାରୁ ମହିଳାଙ୍କୁ ଆଇସୋଲେସନ୍ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଆଇସୋଲେସନ୍ ଓ୍ବାର୍ଡରେ ରହିବା ବେଳେ ତାଙ୍କୁ ଦେଖୁଥିବା ଡାକ୍ତର ଏପ୍ରିଲ ୨ ଓ ୩ ତାରିଖ ଦୁଇଦିନ ଧରି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କର ନମୁନା ନେଗେଟିଭ୍ ଆସିବାରୁ ଏପ୍ରିଲ ୪ରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା।
ତେବେ ଘରକୁ ଆସିବା ପରେ ମହିଳା ଜଣକ ଅନ୍ୟମନସ୍କ ଓ ଭୟରେ ରହୁଥିବା ଦେଖିବାକୁୁ ପାଇଥିଲେ ପରିବାର ଲୋକ। ଏ ନେଇ ତାଙ୍କୁ ବାରମ୍ବାର ପଚରାଯିବାରୁ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିବା କଥା ପୀଡ଼ିତା କହିଥିଲେ ବୋଲି ତାଙ୍କ ଶାଶୁ କହିଛନ୍ତି। ଘରେ ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ମୃତ୍ୟୁ ହେବା ପରେ ପରିବାର ଲୋକ ପୁଲିସରେ ଏ ନେଇ ଅଭିଯୋଗ କରିଛନ୍ତି।
ପୁଲିସ ମୃତ ମହିଳାଙ୍କ ଶାଶୁଙ୍କୁ ନେଇ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଚିହ୍ନଟ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଭିକେ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଡାକ୍ତରଖାନାର ସିସିଟିଭି ଯାଞ୍ଚ କରାଯାଉଛି, ଅପରାଧ ପ୍ରମାଣିତ ହେଲେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମହିଳା ଆୟୋଗ।
NCW takes cognizance of the incident on a migrant woman in Bihar. She was at coronavirus isolation ward for suspect of COVID19, was sexually abused & died of excessive bleeding. Further alleged that the doctor attending her was responsible.
Read: https://t.co/dw2vS8yrJf pic.twitter.com/I9Olg2YYyt
— NCW (@NCWIndia) April 10, 2020
Comments are closed.