୧୦ ମାସ ପରେ ଚର୍ଚ୍ଚାରେ ବିଜୁ ଯୁବ ବାହିନୀ: ଚୋରା ମଦ ପାଇଁ ସଂପାଦକ ଗିରଫ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁବ ବାହିନୀ ନିଜ ଅସ୍ତିତ୍ବ ହରାଇବା ପରି ମନେ ହେଉଥିବା ବେଳେ ଏବେ ଆପରାଧିକ କାରଣରୁ ଏହି ସଂଗଠନ ପୁଣି ଚର୍ଚ୍ଚାକୁ ଆସିଛି। ବିଜୁ ଯୁବ ବାହିନୀର ଜଣେ ପଞ୍ଚାୟତ ପ୍ରମୁଖଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ନିଶା ଠାରୁ ଦୂରେି ରହିବା ଲାଗି ଶପଥ ନେଇଥିବା ଏହି ଯୁବକ ଜଣକ ଲକ୍ଡାଉନ୍ ସମୟରେ ଚୋରାରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ କୁଟାସିଂହା ପଞ୍ଚାୟତରେ। ଗିରଫ ଯୁବକଙ୍କ ନାମ ସୁବାସ ଭୁଏ। ସେ କୁଟାସିଂହା ବିଜୁ ଯୁବ ବାହିନୀର ସଂପାଦକ ଅଛନ୍ତି। ସେ ଦେଶୀ ରନ୍ଧାମଦ ବିକ୍ରି କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଲୋଇସିଂହା ଅବକାରୀ ବିଭାଗ। ଶନିବାର ଦିନ ଅବକାରୀ ବିଭାଗ ଚଢ଼ାଉ କରି ସୁବାସଙ୍କ ଠାରୁ ୧୦ ଲିଟର ମଦ ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିଛି। ଲକ୍ଡାଉନ୍ ବେଳେ ମଦ ଦୋକାନ ବନ୍ଦ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରାମଦ ବିକ୍ରି ହେବା ଖବର ଗଣମାଧ୍ୟମରେ ଆସୁଛି।
ବିଜୁ ଯୁବ ବାହିନୀ ୨୦୧୮ ମସିହାରେ ଗାନ୍ଧୀ ଜୟନ୍ତୀରେ ରାଜ୍ୟ ବ୍ୟାପି ”ନିଶାକୁ ନା” କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ଠାରୁ ଦୂରେଇ ରହିବା ପାଇଁ ଶପଥ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବିଭିନ୍ନ ସମୟରେ ସମାଜସେବା, ରକ୍ତଦାନ ଶିବିର ଆଦି ଆୟୋଜନ କରିଥିବା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଏହି ଅନୁଷ୍ଠାନ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ସ୍ଥାଣୁ ପାଲଟିଯାଇଛି। ୨୦୧୯ ଫେବ୍ରୁଆରୀରେ ୮୦ ଜଣିଆ ଯୁବ ବାହିନୀ ଦଳ ସିଙ୍ଗାପୁର ଭ୍ରମଣରେ ଯାଇଥିଲେ। ତେବେ ନିର୍ବାଚନ ପରେ ହଠାତ ଧୀରେ ଧୀରା ବାହିନୀର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ଏହାର ଓ୍ବେବସାଇଟ୍ ଓ ଟୁଇଟର ହାଣ୍ଡଲରୁ ଜଣାପଡ଼ୁଛି। ୨୦୧୯ ଜୁନ୍ ୨୭ ତାରିଖରେ ବିଜୁ ଯୁବ ବାହିନୀ ଟୁଇଟରରେ ଶେଷ ପୋଷ୍ଟ କରିଛନ୍ତି ଯେଉଁଥିରେ “ନିଶାକୁ ନା” ଲେଖା ହୋଇଥିବା ବେଳେ ଭୁବନେଶ୍ବର ମହାନଗର ଅଞ୍ଚଳରେ ଛାତ୍ରଛାତ୍ରୀମାନେ ନିଶା ବିରୋଧରେ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି।
ଏହା ଭିତରେ ୧୦ ମାସ ବିତି ଯାଇଥିବା ବେଳେ ଆଉ ବିଜୁ ଯୁବ ବାହିନୀର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନି।
Comments are closed.