ଆଗାମୀ ୧ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ ହେବ କୋଭିଡ ହସ୍ପିଟାଲ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୫୬ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ୧୮ ଜଣ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଏଭଳି ସମୟରେ ରାଜ୍ୟରେ ମହାମାରୀ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ଆଲୋଚନା କରିଛନ୍ତି।
ମଙ୍ଗଳବାର ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ପଚାରି ବୁଝିଥିଲେ। ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ନିମ୍ନଗାମୀ ହେଉଛି ଓ ଏହା ରାଜ୍ୟ ପାଇଁ ଭଲ ଲକ୍ଷଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନ ଓ ପୁଲିସ ଅଧିକାରୀ, ସଫେଇ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ରାଜ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନରେ ଯେମିତି ବାଧା ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ କହିଛନ୍ତି। ବିଶେଷକରି କୃଷିଜାତ ଦ୍ରବ୍ୟ ପରିବହନରେ ଆଦୌ ବାଧା ନହେବ ସେଥିଲାଗି ଯତ୍ନବାନ ହେବାକୁ କହିଛନ୍ତି ନବୀନ।
କରୋନାକୁ ନେଇ ଆଗୁଆ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଏବେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ କୋଭିଡ୍ ହସ୍ପିଟାଲ ତିଆରି କରିବେ। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏସଂପର୍କିତ ଘୋଷଣା କରିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି ହେବ। ସେହି ହସ୍ପିଟାଲ ଗୁଡ଼ିକରେ କରୋନାକୁ ଲଢିବା ପାଇଁ ସମନ୍ତି ପ୍ରକାରର ସୁବିଧା ମାନ ରହିବ। ସେପଟେ ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ ହଜାରଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.