ଦିଲ୍ଲୀ: ମୁଠାଏ ଦାନା ପାଇଁ ସକାଳୁ ସଂଧ୍ୟା ଯାଏଁ ଧାଡ଼ିରେ ଶ୍ରମିକ

ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଦାଦନ ଶ୍ରମିକଙ୍କ ଯାତନାଜର୍ଜର ଜୀବନର ଆଉ ଗୋଟିଏ ଚିତ୍ର ସାମନାକୁ ଆସିଛି। ପେଟର ଭୋକ ମେଣ୍ଟାଇବା ପାଇଁ ଗ୍ରୀଷ୍ମର ଧୁ ଧୁ ଖରାରେ ସକାଳୁ ସଂଧ୍ୟା ଯାଏଁ ଠିଆ ହେବାକୁ ପଡ଼ୁଛି। ଭୋକର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି ଦିଲ୍ଲୀରେ।
ଦୈନିକ ୧୦ ଲକ୍ଷ ଲୋକଙ୍କୁ ମାଗଣା ଖାଇବା ଦିଆଯାଉଛି ବୋଲି ଦିଲ୍ଲୀ ସରକାର ଦାବି କରୁଥିଲେ ହେଁ କେତେକ ସ୍ଥାନରେ ଖାଦ୍ୟ ପାଇଁ ଏଭଳି ପ୍ରତିଯୋଗିତା ଦେଖିବାକୁ ମିଳିଛି। ସକାଳ ୬ଟାରୁ ଲୋକେ ହାଣ୍ଡି ଡେକଚି ଧରି ସାମାଜିକ ଦୂରତ୍ବ ବଜାୟ ରଖି ଧାଡ଼ିରେ ଠିଆ ହୋଇ ରହୁଛନ୍ତି। ମଧ୍ୟାହ୍ନ ଭୋଜନ ଦିଆଯିବାର ବେଳ ଯେତେ ଯେତେ ପାଖେଇ ଆସୁଛି ଧାଡ଼ି ସେତେ ଲମ୍ବା ହେବାରେ ଲାଗୁଛି। କେତେକ ସ୍ଥାନରେ ଧାଡ଼ିରେ ଠିଆ ହୋଇଥିବା ସବୁ ଲୋକଙ୍କ ଭାଗ୍ୟରେ ଖାଦ୍ୟ ବି ଯୁଟୁନାହିଁ। କାହାକୁ ଅଧା ପେଟ ଖାଦ୍ୟ ମିଳୁଛି ତ ଆଉ କାହାକୁ ଆଦୌ ମିଳୁନାହିଁ।
ଏନ୍ଡିଟିଭିର ଏକ ରିପୋର୍ଟ ଅନୁସାରେ ଦିଲ୍ଲୀର ବାଦଲି ଅଞ୍ଚଳରେ ୧,୨୦୦ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିବା ବେଳେ ଧାଡ଼ିରେ ଠିଆ ହେଉଛନ୍ତି ୨,୦୦୦ରୁ ଅଧିକ । ରୋହିଣି ଅଞ୍ଚଳରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିବା ବେଳେ ଧାଡ଼ିରେ ରହୁଛନ୍ତି ୬୦୦-୭୦୦ ଲୋକ।
ସୁବୁଠୁ ଦୁଃଖଦ ଏହା ଯେ ମଧ୍ୟାହ୍ନଭୋଜନ ଖାଇବାର ସୁଯୋଗ ପାଉନଥିବା ବହୁ ଲୋକ ସେଇ ଧାଡ଼ିରେ ପୁଣି ରାତିଭୋଜନ ପାଇଁ ଅପେକ୍ଷା କରି ରହୁଛନ୍ତି। ରାତିଭୋଜନ ସଂଧ୍ୟା ୫ଟାରେ ବଣ୍ଟାଯାଏ।
Comments are closed.