Odisha Link
Bridging the Missing Links in Odisha

ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୫୬ ନମ୍ବର କରୋନା ପଜିଟିିଭ୍ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ସେ ଗତମାସରେ କୋଲକାତାରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଗତକାଲି ତାଙ୍କ ନମୁନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ତା’ସହିତ ସଇରପୁରର ଆଂଶିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇ ସଂପୃକ୍ତ ବ୍ୟକ୍ତି ଆଉ କାହା କାହା ସଂସ୍ପର୍ଶରେ ଆସିଥିଲେ, ତାହା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ କରୋନା ପଜିଟିଭ୍ ବ୍ୟକ୍ତି ଆଠ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି। ଏହା ପରେ ଉକ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତା’ସହିତ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରଖିଛି।

ଆଜି ସକାଳେ ଏହି ନୂଆ କରୋନା କରୋନା ପଜିଟିଭଙ୍କ ଚିହ୍ନଟ ହୋଇଥିଲା। ଏହାଫଳରେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟରୁ ସୂଚନା ମିଳିଥିଲା। ତେବେ ସେ କେଉଁ ଅଞ୍ଚଳର ତାହା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା।

ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୫ ଜଣ ଗତକାଲି ସୁସ୍ଥ ହୋଇଥିଲେ। ଏମାନେ ସମସ୍ତେ ରାଜଧାନୀର। ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀମାନଙ୍କର ନମୁନା ଗତକାଲି ନେଗେଟିଭ୍ ଆସିଥିଲା। ତେଣୁ ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୧୮ରେ ପହଞ୍ଚିଛି।

Comments are closed.