ମସଜିଦ୍ରେ ଲାଗୁ ହେବନାହିଁ ଲକ୍ଡାଉନ୍: ପାକିସ୍ତାନ ଉଲେମା ସଂଘ

ଓଏଲ୍ ବ୍ୟୁରୋ: ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ୍ର ରିପୋର୍ଟ ଅନୁସାରେ ଗତକାଲି ଦେଶର ପ୍ରମୁଖ ଉଲେମା ଓ ଧର୍ମଗୁରୁମାନଙ୍କ ସଭାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମସଜିଦ୍ରେ ଲକ୍ଡାଉନ୍ ନିୟମ ଲାଗୁ ହେବନାହିଁ ବୋଲି ଉଲେମାମାନଙ୍କର ସଂଘ କହିଥିବା ବେଳେ ଦୈନିକ ୫ ଥର ପ୍ରାର୍ଥନା ଓ ଶୁକ୍ରବାର ସମୁହ ପ୍ରାର୍ଥନା ବନ୍ଦ ହେବନାହିଁ ବୋଲି ଉଲେମାମାନେ ଶୁଣାଇଦେଇଛନ୍ତି। ତେବେ ଏହି ପ୍ରାର୍ଥନା ସମୟରେ ସରକାରଙ୍କର ଅନ୍ୟାନ୍ୟ କରୋନା ସମ୍ପର୍କିତ ଉପଦେଶ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।
ପାକିସ୍ତାନର ସମସ୍ତ ପ୍ରଦେଶରେ ଗତ ଦୁଇ ସପ୍ତାହ ଧରି ଲକ୍ଡାଉନ୍ ଲାଗୁ ହୋଇଥିବା ବେଳେ ମସଜିଦରେ ଦୈନିକ ପ୍ରାର୍ଥନା ବା ଶୁକ୍ରବାର ମିଳନୀ ସମୟରେ ୫ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ଲାଗି କଡ଼ାକଡ଼ି ଭାବେ ପାଳନ କରାଯାଇଛି। ତେବେ ବହୁ ମସଜିଦରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ସାମନାକୁ ଆସିଛି। କୌଣସି ମତେ ଧର୍ମୀୟ କାର୍ଯ୍ୟକ୍ରମ ବନ୍ଦ କରିବା ସପକ୍ଷରେ ନାହାନ୍ତି ପାକିସ୍ତାନର ଉଲେମା ସଂଘ।
ଗତକାଲି ବୈଠକ ପରେ ଉଲେମା ସଂଘର କର୍ମକର୍ତ୍ତା ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ବେଳେ ମଧ୍ୟ ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଆଦି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ତେବେ ଜମାତ୍-ଏ-ଉଲେମା ଇସଲାମ, ଜାମତ-ଏ-ଉଲେମା ପାକିସ୍ତାନ, ଜମା୍-ଇ-ଇସଲାମ ଓ ତନଜିମ-ଇ-ଇସଲାମ ଆଦି ସଂଗଠନର ପ୍ରତିନିଧି ମିଳିତ ଭାବେ କରାଚୀ ପ୍ରେସ୍ କ୍ଲବ୍ରେ ଗତକାଲି ସାମ୍ବାଦିକଙ୍କୁ ଭେଟିଥିଲେ। ପାକିସ୍ତାନ କେନ୍ଦ୍ର ସରିଆ କୋର୍ଟର ପୂର୍ବତନ ବିଚାରପତି ତଥା ପ୍ରସିଦ୍ଧ ଧର୍ମ ବିଦ୍ବାନ ମୁଫ୍ତି ତକି ଉସମାନି ଏଠାରେ କହିଥିଲେ ଯେ ସମସ୍ତ ନୀତିନିୟମ ପାଳନ ସହ ଦୈନିକ ପ୍ରାର୍ଥନା ଓ ଶୁକ୍ରବାର ପ୍ରାର୍ଥନା କରାଯିବ। ତେବେ ଲକ୍ଡାଉନ୍ ନିୟମ ମସଜିଦମାନଙ୍କରେ ଲାଗୁ ହେବନାହିଁ। ପ୍ରାର୍ଥନା ବେଳେ ଲୋକଙ୍କ ଭିତରେ ଓ ଧାଡ଼ି ଭିତରେ ଉଚିତ୍ ଦୂରତା ରଖାଯିବ ଓ ପ୍ରାର୍ଥନା ସରିଲେ ତୁରନ୍ତ ଘରକୁ ଫେରିଯିବାକୁ କୁହାଯିବ। ବର୍ତ୍ତମାନ ସମୟରେ ଦହନିକ ୫ ପାଳି ପ୍ରାର୍ଥନା ଜରୁରୀ ବୋଲି ସେ କହିଥିଲେ। କେନ୍ଦ୍ର ଧର୍ମୀୟ ବ୍ୟାପାର ମନ୍ତ୍ରୀ ନରୁଲ ହକ୍ କାଦ୍ରି କହିଛନ୍ତି ଯେ ଉଲେମାମାନଙ୍କ ଏ ନିଷ୍ପତ୍ତି ଉପରେ ଏପ୍ରିଲ ୧୮ ତାରିଖରେ ସରକାର ନିଜୟ ନିଷ୍ପତ୍ତି ନେବେ।
ସୂଚନାଯୋଗ୍ୟ ଭାରତ ଭଳି ମାର୍ଚ୍ଚ ମାସରେ ପାକିସ୍ତାନରେ ମଧ୍ୟ ତବ୍ଲିଘି ଜମାତ୍ ସଦସ୍ୟମାନଙ୍କ ମର୍କାଜ୍ ସେଠାକାର ସରକାରଙ୍କ ନିଦ ହଜାଇଛି। ଲାହୋରର ରାଇଓ୍ବିଣ୍ଡି ଠାରେ ଅନୁଷ୍ଠିତ ମର୍କାଜ ପାଇଁ ଦେଶବ୍ୟାପୀ ଜମାତ୍ ସଦସ୍ୟମାନଙ୍କୁ ନିନ୍ଦିତ ଓ ଉପହାସିତ ହେବାକୁ ପଡ଼ିଛି। ଗତ ସପ୍ତାହ ସୁଦ୍ଧା ପ୍ରାୟ ୪,୩୦୦ ତାବ୍ଲିଘି ଜମାତୀ ପାକିସ୍ତାନରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
Comments are closed.