ବିଶ୍ବରେ ୨୦ ଲକ୍ଷ କରୋନା ଆକ୍ରାନ୍ତ, ପ୍ରତି ୧୬ ଜଣରେ ଜଣେ ମୃତ

ଓଏଲ୍ ବ୍ୟୁରୋ: ଆଜି ବିଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ଏ ରିପୋର୍ଟ ଲେଖାହେବା ବେଳକୁ ବିଶ୍ବରେ ମୋଟ ୨୦ ଲକ୍ଷ ୮ ହଜାର ୧୬୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧,୨୭,୧୫୨ ଜଣଙ୍କର ଅଦ୍ୟାବଧି ମୃତ୍ୟୁ ହୋଇ ସାରିଲାଣି। ଯଦି ହାରାହାରି ମୃତ୍ୟୁ ସଂଖ୍ୟା ହିସାବ କରାଯାଏ ତେବେ ବିଶ୍ବରେ ପ୍ରାୟ ପ୍ରତି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପ୍ରତି ୪ ଜଣରେ ଜଣେ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ବିଶ୍ବରେ ଏଯାବତ ମୋଟ ୪,୮୬,୨୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।
ଆମେରିକାରେ ସର୍ବାଧିକ ୬,୧୪, ୨୪୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬,୦୬୪ ଜଣଙ୍କର ମୃତ୍ୟୁ ହେଲାଣି। ଅର୍ଥାତ ଆମେରିକାରେ ପ୍ରତି ୨୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଭାରତରେ ଏଯାଏଁ ୧୧,୪୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୭୭ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ଭାରତରେ ପ୍ରତି ୩୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଇତାଲିରେ ମୃତ୍ୟୁହାର ସର୍ବାଧିକ ରହିଛି। ଏଠାରେ ପ୍ରତି ୮ ଜଣରେ ଜଣେ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଇଟାଲିରେ ଆଜି ସୁଦ୍ଧା ୧,୬୨,୪୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧,୦୬୭ ଜଣଙ୍କର ମୃତ୍ୟୁ ହେଲାଣି।
Comments are closed.