ଓଡ଼ିଶାରେ କରୋନା: ୬୭୩୪ ନମୁନା ପରୀକ୍ଷଣ, ୬୦ ଆକ୍ରାନ୍ତ, ୧୯ ସୁସ୍ଥ, ୧ ମୃତ

ଭୁବନେଶ୍ବର: ଦେଶରେ କରୋନାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବେଶ୍ ଭଲ ବୋଲି ସରକାର କହିଥିବା ବେଳେ ଏପ୍ରିଲ ୧୫ ତାରିଖ ସଂଧ୍ୟା ସୁଦ୍ଧା ରାଜ୍ୟରେ ୬୭୩୪ ଜଣଙ୍କର ନମୁନା ପରୀକ୍ଷଣ ହୋଇଛି। ଏମାନଙ୍କ ମଧ୍ୟରୁ ୬,୬୭୪ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ମାତ୍ର ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ୬୦ ଜଣଙ୍କ ମଧ୍ୟରୁ ୮ଟି ଜିଲ୍ଲାରୁ ୧୪ ଜଣ ହୋଇଥିବା ବେଳେ ବାକି ୪୬ ଜଣ ହେଉଛନ୍ତି ଖୋର୍ଧା ଜିଲ୍ଲା ଭୁବନେଶ୍ବର ସହରର।
ରାଜ୍ୟରେ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୪୦ ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟରେ ଜଣେ ବି ରୋଗୀ ଚିହ୍ନଟ ହୋଇନାହାନ୍ତି। ଆକ୍ରାନ୍ତଙ୍କ ତୁଳନାରେ ରାଜ୍ୟରେ ସୁସ୍ଥହାର ହେଉଛି ୩୨ ପ୍ରତିଶତ, ମୃତ୍ୟୁହାର ୧.୭ ପ୍ରତିଶତ।
ଦେଶରେ ସୁସ୍ଥ ହାର ୧୨ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ୩ ପ୍ରତିଶତ ରହିଛି। ଦେଶର ସୁସ୍ଥ ହାର ତୁଳନାରେ ଓଡ଼ିଶାର ସୁସ୍ଥ ହାର ୩ ଗୁଣା ହୋଇଥିବା ବେଳେ ରାଜ୍ୟର ମୃତ୍ୟୁ ହାର ମଧ୍ୟ ଦେଶର ପ୍ରାୟ ଅଧା।
Comments are closed.