ଉତ୍ତର ଓଡ଼ିଶା: କୋଭିଡ଼ ହସ୍ପିଟାଲ ନିରୀକ୍ଷଣ କଲେ ମୁଖ୍ୟଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା ସଦର ମହକୁମାରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବାରେ ଲାଗିଛି।
ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ‘୫ଟି’ ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର ଓ ବାରିପଦା ଅଞ୍ଚଳକୁ ଯାଇ କୋଭିଡ ହସ୍ପିଟାଲର କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି। କେନ୍ଦୁଝରରେ ଉତ୍କଳ ହସ୍ପିଟାଲ ଓ ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ଏହି କୋଭିଡ଼ ୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲୁଛି। ଏହି ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦଶଟି ICU ସହ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି। ଜିଲ୍ଲାରେ ଯୋଡ଼ା ଠାରେ ମଧ୍ୟ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ୧୯ ହସ୍ପିଟାଲ ଆରମ୍ଭ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଏହି ଗ୍ରସ୍ତ ସମୟରେ ଲକଡାଉନ ସରିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ହସ୍ପିଟାଲ ନିରୀକ୍ଷଣ ପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି।
ସେହିପରି ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ବାରିପଦାରେ ନିର୍ମାଣାଧିନ କୋଭିଡ-୧୯ ହସ୍ପିଟାଲ୍କୁ ଗସ୍ତ କରି ଭିତ୍ତିଭୂମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
Comments are closed.