ଦେଶର ୩୨୫ଟି ଜିଲ୍ଲାରେ କରୋନା ସଂକ୍ରମଣ ନାହିଁ
ନୂଆଦିଲ୍ଲୀ: ପ୍ରତିଦିନ ଭଳି ଆଜି ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ, ଦେଶରେ ଲକ୍ଡାଉନ୍ର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି। ଦେଶରେ ୩୨୫ଟି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ମାମଲା ଜଣାପଡ଼ିନାହିଁ। ଭାରତରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧୨,୩୮୦ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୧୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୪୧ଟି ନୂଆ ମାମଲା ଜଣାପଡ଼ିଛି ଓ ୩୭ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି।
ସଚିବ ସୂଚନା ଦେଇଛନ୍ତି ଯେ, କୋଭିଦ୍ -୧୯ ମହାମାରୀ ପାଇଁ ପ୍ରସ୍ତୁତ ହେଉଥିବା ଯୋଜନାକୁ ଜିଲ୍ଲା ସ୍ତରରେ ଆଲୋଚନା କରାଯାଇଥିଲା। ସେ କହିଛନ୍ତି ଯେ ଦୁଇଟି ଚାଇନାର କମ୍ପାନୀରୁ ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ସମେତ ଭାରତ ପାଞ୍ଚ ଲକ୍ଷ ଟେଷ୍ଟ କିଟ୍ ପାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଡକ୍ଟର ରମଣ ଆର ଗଙ୍ଗାଖେଡକର କହିଛନ୍ତି ଯେ, ପ୍ରାରମ୍ଭିକ ନିରାକରଣ ପାଇଁ ରାପିଡ୍ କୋଭିଡ୍ -୧୯ ପରୀକ୍ଷା କିଟ୍ ବ୍ୟବହାର କରାଯିବ ନାହିଁ। ଏହା କେବଳ ମହାମାରୀ ଉଦ୍ଦେଶ୍ୟରେ ବ୍ୟବହୃତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆହୁରି ସଚିବ ଶ୍ରୀ ଅଗ୍ରଓ୍ବାଲ କହିଛନ୍ତି ଯେ, ଦେଶର ୨୭ଟି କରୋନା ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ମାମଲା ଆସିନାହିଁ। ସେ କହିଛନ୍ତି ଯେ ଗତ କାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଓ ହଟସ୍ପଟଗୁଡ଼ିକରେ କିପରି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଆଲୋଚନା କରିଛନ୍ତି। ସଂଗଠନର ପୋଲିଓ ସତର୍କତା ନେଟଓ୍ୱର୍କ ବ୍ୟବହାର କରି ହଟସ୍ପଟଗୁଡ଼ିକ ଉପରେ ନଜର ରଖାଯିବ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ଦେଶର କେତେକ ସ୍ଥାନରେ ହୋଇଥିବା ସୋସିଆଲ ଡିଷ୍ଟାନ୍ସିଂ ନିୟମର ଉଲ୍ଲଙ୍ଘନ ଘଟଣା, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଉପରେ ନଜର ରଖାଯାଇଛି। ଏସବୁ ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତି ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିଏମଆରର ବୈଜ୍ଞାନିକ ଡ.ଆର.ଗଙ୍ଗାଖେଡକର କହିଛନ୍ତି ଯେ ଏବେ ସୁଦ୍ଧା ଦେଶରେ ମୋଟ ୨ ଲକ୍ଷ ୯୦ ହଜାର ନମୁନା ପରୀକ୍ଷଣ କରାଯାଇଛି। ଗତକାଲି ୩୦ହଜାର ୪୩ଟି ପରୀକ୍ଷଣ କରାଯାଇଛି।
Comments are closed.