କରୋନା: ରାଜ୍ୟରେ ଆଉ ୫ ଆକ୍ରାନ୍ତ ଚିହ୍ନଟ, ମୋଟ ୭୯

ଭୁବନେଶ୍ବର: ରାଜ୍ୟରେ ଆଉ ୫ କରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍।
ଏହି ୫ ଜଣ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଫଳରେ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ରହିଥିଲେ।
ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୭୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୫୩ ଜଣ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
୨ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ। ଗୋଟିଏ ପଟେ ରାଜ୍ୟରେ ଲକଡାଉନ୍ କୋହଳ କରିବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଆଜି ପୁଣି ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Comments are closed.