Odisha Link
Bridging the Missing Links in Odisha

କରୋନା ପ୍ରକୋପ: ସରପଞ୍ଚଙ୍କୁ ସର୍କାରଙ୍କ କଲେକ୍ଟର-ଲଲିପପ୍

ଶଙ୍କର୍ଷଣ ପରିଡ଼ା

ସଂକୀର୍ଣ୍ଣ, ସଂକୁଚିତ ଓ ସାମୟିକଭାବେ ରାଜ୍ୟସରକାର ପଞ୍ଚାୟତକୁ ଯେଉଁ କ୍ଷମତା ଦେଇଛନ୍ତି ତାହାର ବାସ୍ତବତାକୁ ଉପଲବ୍ଧି କରି ସାମ୍ବିଧାନିକ ବିଧି ଆଧାରରେ ”ପଞ୍ଚାୟତକୁ କ୍ଷମତା ଓ ଲୋକଙ୍କୁ କ୍ଷମତା” ଅର୍ପଣ କରାଗଲେ ତାହା ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁକୁଟରେ ଆଉ ଏକ ପ୍ରଶଂସାର ପର ଯୋଡ଼ିଦେବ।

କରୋନା ମହାମାରୀ ମହାଯୁଦ୍ଧ ପରିପ୍ରେକ୍ଷୀରେ ସମ୍ପ୍ରତି ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କୁ ରାଜ୍ୟ ସରକାରଙ୍କ ସାମୟିକ ଭାବେ କଲେକ୍ଟର କ୍ଷମତା ପ୍ରଦାନରେ ଆମର ତଥାକଥିତ ବୁଦ୍ଧିଜୀବୀଙ୍କ ନାସିକା କୁଞ୍ଚନ ଓ କେତେକ ଚିର-ପ୍ରତିକ୍ରିୟାଶୀଳ ସାମ୍ବାଦିକଙ୍କ ମତାମତକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତାହେଲେ ଏହାଠୁ ବଳି ଲଜ୍ଜା ଓ ଅନୁଶୋଚନାର ବିଷୟ କିଛି ନାହିଁ।

“ଭାରତ ବର୍ଷର ଆତ୍ମା ଗାଁ’ରେ ଅଛି ଏବଂ ଗାଁ’ର ସର୍ବାଙ୍ଗୀନ ବିକାଶ ନ ହେଲେ ଦେଶ ଓ ଜାତିର ସାମଗ୍ରିକ ପ୍ରଗତି କୌଣସି କାଳେ ସମ୍ଭବପର ନୁହେଁ” ବୋଲି ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ। ତାଙ୍କର ଏହି ଉକ୍ତି ଓ ବିକଳ୍ପ ବିହୀନ ଗ୍ରାମ ସ୍ୱରାଜ ବ୍ୟବସ୍ଥାକୁ ଫଳପ୍ରସୂ କରିବା ପାଇଁ ପ୍ରାୟ ତିନି ଦଶନ୍ଧି ତଳେ ୧୯୯୩ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ଆଧାରରେ କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ପଞ୍ଚାୟତର ପରିକଳ୍ପନାକୁ ଆଇନରେ ପରିଣତ କରାଯାଇ ସାମୂହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟାକୁ ସୁନିଶ୍ଚିତ କରାଗଲା। ପ୍ରାନ୍ତୀୟ ସରକାର ମାନଙ୍କର କ୍ଷମତା ବିକେନ୍ଦ୍ରିକରଣ ପ୍ରକ୍ରିୟାରେ ଟାଳଟୁଳ ନୀତି ଓ ଅଭ୍ୟାସଗତ ବିଳମ୍ବିତ ପ୍ରକ୍ରିୟାକୁ ପ୍ରତିହତ କରିବା ନିମନ୍ତେ ସମ୍ବିଧାନର ୫ମ ଅନୁଚ୍ଛେଦରେ କେନ୍ଦ୍ର ସରକାରଙ୍କୁ ପ୍ରଦତ୍ତ କ୍ଷମତା ବଳରେ ୧୯୯୬ ମସିହାରେ PESSA ଆଇନ ପ୍ରଣୟନ କରାଯାଇ ଦେଶର ସମସ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଗଲା ଏବଂ ଅଣସରଂକ୍ଷିତ ତଥା ଅଣଆଦିବାସୀ ଅଧ୍ୟୁଷିତ ଅଂଚଳମାନଙ୍କ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେଲା। ଆମ୍ଭ ରାଜ୍ୟ ଓଡ଼ିଶାରେ ଏଥିନିମିତ୍ତ ୨୦୦୩ ମସିହାରେ କ୍ଷମତା ବିକେନ୍ଦ୍ରିକରଣ ଓ ଦାୟିତ୍ୱ ନିର୍ବାହ ସମ୍ପର୍କିତ ଏକ ଗତିବିଧି ଚିତ୍ର (Activity Mapping) ପ୍ରଣୟନ କରାଗଲା।

ପଞ୍ଚାୟତରାଜ ବ୍ୟବସ୍ଥା ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ହେଇଥିବାରୁ ୨୦୦୫ ମସିହାରେ ଏହାର ଉପଯୁକ୍ତ କାର୍ଯ୍ୟାନ୍ଵୟନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହେଲା। ତଦନୁଯାୟୀ ଓଡ଼ିଶା ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ବିଷୟ ଓ ୨୧ଟି ବିଭାଗକୁ କ୍ଷମତା ହସ୍ତାନ୍ତର କଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ୭୩ ତମ ସମ୍ବିଧାନ ସଂଶୋଧନ ଆଧାରରେ ଚୁକ୍ତିବଦ୍ଧ ରହିଲେ। ଅଥଚ ଆଶ୍ଚର୍ଯ୍ୟଜନକ ଭାବରେ କ୍ଷମତା ବିକେନ୍ଦ୍ରିକରଣ ସମ୍ପର୍କିତ ଆମର ତଥାକଥିତ ବୁଦ୍ଧିଜୀବୀ ଓ ବିଜ୍ଞ ସାମ୍ବାଦିକ ମାନଙ୍କର ବିସ୍ମୟ ବିମୁଢ଼ ପ୍ରଶ୍ନାକୁଳତା ଓ ତଦ୍‌ଜନିତ ଟାହିଟାପରା ସାମ୍ପ୍ରତିକ ସମୟର ଜାତୀୟ ଲଜ୍ଜା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆମର ବିଧାନସଭା ଓ ଲୋକସଭା ଲୋକମାନଙ୍କର ସଭା ନୁହେଁ। ଏହା ଲୋକ ପ୍ରତିନିଧି ମାନଙ୍କର ସଭା। ପ୍ରାନ୍ତୀୟ ରାଜ୍ୟ କିମ୍ବା ସମଗ୍ର ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କୁ ଏକତ୍ରିତ କରି ବିଧାନସଭା କିମ୍ବା ସଂସଦ ଭବନରେ ସାମୁହିକ ଶାସନ ଓ ସାମୁହିକ ବିକାଶର ନକ୍ସାଙ୍କନ କରିବା ସମ୍ଭବପର ନୁହେଁ। ସାମୁହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟାକୁ କ୍ରିୟାଶୀଳ କରି ଲୋକମାନଙ୍କୁ ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥାରେ ଭାଗିଦାରୀ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ବିକଳ୍ପ ବିହୀନ ଗ୍ରାମସ୍ୱରାଜ ବ୍ୟବସ୍ଥାକୁ ଆପଣେଇ ନେବା ନିମନ୍ତେ ଚଉଠ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ପୂର୍ବେ ୭୩ତମ ସମ୍ବିଧାନ ସଂଶୋଧନ ଆଧାରରେ ୧୯୯୩ ମସିହାରେ କ୍ଷମତା ବିକେନ୍ଦ୍ରିକରଣ ବ୍ୟବସ୍ଥାକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିସାରିଛି।

ଓଡ଼ିଶାର ନିୟମଗିରି ଏହାର ଜ୍ୱଳନ୍ତ ଉଦାହରଣ, ଯାହାର ଗ୍ରାମସଭାର ନିର୍ଣ୍ଣୟ ରାଜ୍ୟ ସରକାରଙ୍କ ନିଷ୍ପତି ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ଉଭୟକୁ ପ୍ରତ୍ୟାଖ୍ୟାନ କରିବାରେ ସମର୍ଥ ହେଇଥିଲା। ଜାତି, ଧର୍ମ, ବର୍ଣ୍ଣ ଓ ଭାଷାକୁ ନେଇ ବହୁଧା ବିଭାଜିତ ଭାରତବର୍ଷ ଭଳି ଏକ ବିଶାଳ ଭୂଖଣ୍ଡରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବର୍ତ୍ତେ ଲୋକଶାସନ ଓ ଲୋକଯୋଜନା ପ୍ରଣୟନ ନିମନ୍ତେ ଲୋକମାନଙ୍କୁ ଆଇନଗତ ଅଧିକାର ଅର୍ପଣ କରାଯାଇଅଛି। ‘କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ପଞ୍ଚାୟତ”କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇ ଶୀତତାପ ନିୟନ୍ତ୍ରିତ ଆବଦ୍ଧ କୋଠରୀର ଅମଲାତାନ୍ତ୍ରିକ ନିୟନ୍ତ୍ରଣରୁ ଯୋଜନାକୁ ମୁକ୍ତ କରାଯିବା ସହିତ ଗାଁ ଲୋକଙ୍କୁ ଗ୍ରାମୀଣ ବିକାଶର ନକ୍ସାଙ୍କନ ଦାୟିତ୍ୱ ଦିଆସରିଛି ଓ ଏହାକୁ ପ୍ରତିପାଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାଧ୍ୟ ରହିବେ ବୋଲି ଆଇନରେ ବ୍ୟବସ୍ଥା ଅଛି।

ପ୍ରାୟ ତିନି ଦଶନ୍ଧି ଧରି ବିଚିତ୍ର ବିରୋଧାଭାସର ସମସ୍ତ ବିଲକ୍ଷଣ ଏବେ ପ୍ରାନ୍ତୀୟ ସରକାରମାନଙ୍କ ଠାରେ ପ୍ରବଳ ମାତ୍ରାରେ ଉପଲବ୍ଧ।

ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ବ ବେଳେ ୨୦୦୯ ଗାନ୍ଧୀ ଜୟନ୍ତୀ ଠାରୁ ୨୦୧୦ ଗାନ୍ଧୀ ଜୟନ୍ତୀ ଯାଏଁ ଗ୍ରାମସଭା ବର୍ଷ ପାଳନ କରାଯାଇଥିବା ବେଳେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ବେଳେ ୨୦୧୯ ଏପ୍ରିଲ ୧୪ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ଠାରୁ ମଇଁ ୫ ତାରିଖ ଯାଏଁ କେନ୍ଦ୍ର ସରକାର ଗ୍ରାମସ୍ୱରାଜ ଅଭିଯାନ ଜାରିରଖି ଥିଲେ। ସମତାଳରେ ଓଡ଼ିଶାରେ ରାଜ୍ୟ ସରକାର “ଆମ ଗାଆଁ ଆମ ବିକାଶ” ଯୋଜନାରେ ପଞ୍ଚାୟତର ବିକାଶ ଓ ଜନମନହାରି ଯୋଜନା ପ୍ରଣୟନ କରିବାରେ ବ୍ୟସ୍ତଥିଲେ। ବହୁ ପ୍ରଚାରିତ ‘ସାମୁହିକ ଶାସନ ଓ ସାମୁହିକ ବିକାଶ’ ପ୍ରକ୍ରିୟାରୁ ଓହରି ଆସି ଓଲଟ ଗତିରେ କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ପଞ୍ଚାୟତର କ୍ଷମତା ହଡ଼ପ ଯୋଜନାରେ ସରକାର ମାନେ ଗୋଟାପଣେ ନିଜକୁ ନିୟୋଜିତ କରିଥିଲା ବେଳେ ୨୭ ବର୍ଷର ଏଇ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଗଣ ନା ଗଣମାଧ୍ୟମ କେହିହେଲେ ଉଁ ଚୁଁ ହେବାର ଶୁଣା ଯାଉନାହିଁ। ଚିର ଜାଗ୍ରତ ଦୃଷ୍ଟି ହିଁ ଗଣତନ୍ତ୍ରର ବାସ୍ତବ ମୂଲ୍ୟବୋଧ। ଗ୍ରାମସ୍ୱରାଜ ସମ୍ପ୍ରତି ମହାତ୍ମା ଗାନ୍ଧୀଙ୍କ ପରିକଳ୍ପନା, ସ୍ବପ୍ନ କି ସମ୍ଭାବନାର କଥା ନୁହେଁ; ଏହା ଏକ ପ୍ରଣୀତ ବିଧିବିଧାନ, ପ୍ରଚଳିତ ଆଇନ ଓ ଗଣତାନ୍ତ୍ରିକ ଅଧିକାରର କଥା ଯାହା ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରମାଣ କରିସାରିଛନ୍ତି। ଗ୍ରାମସ୍ୱରାଜ ସରକାରଙ୍କ ଜନମନୋହରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ନହେଇ ପ୍ରୟୋଗାତ୍ମକ ମୂଲ୍ୟବୋଧରେ ପରିଣତ ହେବା ନିମନ୍ତେ ଆମର ଗଣ ଓ ଗଣମାଧ୍ୟମର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଅନ୍ତତଃପକ୍ଷେ ଆଶା କରିବି ଓଡ଼ିଶାର କ୍ରିୟାଶୀଳ ଗଣମାଧ୍ୟମ ଓ ଏହାର ସତୀର୍ଥ ଅଂଶୀଦାର କାର୍ଯ୍ୟକର୍ତ୍ତା ସାମ୍ବାଦିକ ବନ୍ଧୁବର୍ଗ ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ପ୍ରସଙ୍ଗରେ ତାଙ୍କର ସୁଚିନ୍ତିତ ମତାମତ ଦେବା ସହିତ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାରେ ସମର୍ଥ ହେବେ।

ଗ୍ରାମପଞ୍ଚାୟତ ହେଉଛ ତୃଣମୂଳ ସରକାର ଏବଂ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅଧିକ ଶକ୍ତିଶାଳୀ। ସାମୟିକ ଓ ସଂକୀର୍ଣ୍ଣ ଭାବେ ରାଜ୍ୟସରକାର ପଞ୍ଚାୟତକୁ ଯେଉଁ କ୍ଷମତା ଦେଇଛନ୍ତି ତାହାର ବାସ୍ତବତାକୁ ଉପଲବ୍ଧି କରି ସମ୍ବିଧାନ ଆଧାରରେ ପଞ୍ଚାୟତକୁ ଅସଲ କ୍ଷମତା ଓ ଲୋକଙ୍କୁ କ୍ଷମତା ଅର୍ପଣ କରାଗଲେ ତାହା ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁକୁଟରେ ଆଉ ଏକ ପ୍ରଶଂସାର ପର ଯୋଡ଼ିଦେବ। ତାହା ହିଁ ହେବ ବିଜୁ ବାବୁଙ୍କର ପଞ୍ଚାୟତିରାଜ ଓ କ୍ଷମତାବିକେନ୍ଦ୍ରୀକରଣ ସ୍ବପ୍ନର ସମର୍ଥ ରୂପାୟନ।

ଶଙ୍କର୍ଷଣ ପରିଡ଼ା ଜଣେ ରାଜନେତା, ଚିନ୍ତକ ଓ କବି। ସେ ଓଡ଼ିଶା ଗ୍ରାମ ସ୍ବରାଜ ଅଭିଯାନର ଅନ୍ୟତମ ପ୍ରତିଷ୍ଠାତା।

(ମତାମତ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ)

Comments are closed.