Odisha Link
Bridging the Missing Links in Odisha

ପାଲଘର ଭିଡ଼ହତ୍ୟାରୁ ବର୍ତ୍ତି ଯାଇଥିବା ମହିଳା ବର୍ଣ୍ଣନା କଲେ ଛାତିଥରା ଦୃଶ୍ୟ, କହିଲେ ଗିରଫ ଲୋକେ ନିରୀହ

ପାଲଘର: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ରାତିରେ ହୋଇଥିବା ଭିଡ଼ହତ୍ୟା ବେଳେ ଜୀବନ ବଞ୍ଚାଇ ଖସିଆସିଥିବା ବିଜେପି ନେତା ତଥା ସ୍ଥାନୀୟ ସରପଞ୍ଚ ସେଦିନର ଛାତିଥରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଥିବା ବେଳେ ପୁଲିସ ଗିରଫ କରିଥିବା ୧୦୦ ବ୍ୟକ୍ତିଙ୍କ ମଧ୍ୟରେ ବହୁ ନିରୀହ ବ୍ୟକ୍ତି ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପାଲଘର ଠାରେ ଦୁଇ ହିନ୍ଦୁ ସାଧୁ ମହାରାଜ କଳ୍ପବୃକ୍ଷ ଗିରି (୭୦), ମହାରାଜ ସୁଶୀଳ ଗିରି (୩୫) ଓ ସେମାନଙ୍କ ହ୍ରାଇଭର ନୀଳେଶ ତେଲଗାଡ଼େ (୩୫)ଙ୍କୁ ସେଦିନ ରାତିରେ ସ୍ଥାନୀୟ ଲୋକେ ପିଟିପିଟି ମାରିଥିଲେ।

ପାଲଘରର ଏହି ମହିଳା ସରପଞ୍ଚଙ୍କ ନାମ ଚିତ୍ରା ଚୌଧୁରୀ। ଗଣମାଧ୍ୟମ ଆଗରେ ସେ ସେହି କାଳ ରାତ୍ରିର ଆଖିଦେଖା ଦୃଶ୍ୟ ବଖାଣିଛନ୍ତି। ପାଠକଙ୍କ ପାଇଁ ସେହି ଘଟଣାକୁ ଅଧିକ ଜୀବନ୍ତ କରି ପରସିବା ଲକ୍ଷ୍ୟରେ ଆମେ ଚିତ୍ରାଙ୍କର ବକ୍ତବ୍ୟକୁ ପ୍ରଥମ ପୁରୁଷରେ ବଖାଣିବାକୁ ଚେଷ୍ଟା କରିଛୁ।

ମୁଁ ସେଦିନ ରାତିରେ ଘରେ ଥିଲି। ମୋତେ କିଛି ଲୋକ ଆସି ଖବର ଦେଲେ ଯେ ସେମାନେ ଗୋଟିଏ ଗାଡ଼ିକୁ ଅଟକାଇଛନ୍ତି। ମୁଁ ଯେତେବେଳେ ସେଠି ପହଞ୍ଚିଲି ଗାଡ଼ିକୁ ବହୁ ଲୋକ ଘେରି ରହିଥିଲେ। ସେତେବେଳକୁ ମୁଁ ଜାଣି ନଥିଲି ଯେ ଭିତରେ ଥିବା ବ୍ୟକ୍ତିମାନେ ସନ୍ଥ। ମୁଁ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କଲି। କିନ୍ତୁ ସେମାନେ ଭିତରୁ କାରର ଦରଜା ବନ୍‌ କରି ରହିଥିଲେ। ମୁଁ ନିଶ୍ଚିତ ଥିଲି ଯେ ଲୋକେ ସେମାନଙ୍କୁ ଆକ୍ରମଣ କରିବେ ନାହିଁ। ଲୋକଙ୍କ ହାତରେ ବିଭିନ୍ନ ଅସ୍ତ୍ର ଥିଲେ ବି ମୁଁ ଆକ୍ରମଣ କରିବାକୁ ଦେଇ ନଥିଲି।

ମୁଁ ଲୋକମାନଙ୍କୁ ୩ ଘଣ୍ଟା ଯାଏଁ ଜବତ କରିଥିଲି। ଏଭଳି ପରିସ୍ଥିତିରେ ମୁଁ ଆଉ ଅଧିକ କ’ଣ ବା କରିପାରିଥାଆନ୍ତି। ମୁଁ ପୁଲିସକୁ ଜଣାଇଥିଲି, ତୁରନ୍ତ ଆସି ପରିସ୍ଥିତି ସମ୍ଭାଳ ନଚେତ୍‌ ଅଣାୟତ ହୋଇଯିବ। ପୁଲିସ ପହଞ୍ଚିବା ବେଳକୁ ଲୋକେ ଗାଡ଼ି ଭାଙ୍ଗି ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ପୁଲିସ ପହଞ୍ଚି ପଥର ମାଡ଼ରେ ଭାଙ୍ଗି ଯାଇଥିବା ଗାଡ଼ିର ଭିଡିଓ ରେକର୍ଡିଂ ଆରମ୍ଭ କଲେ। ସେତେବେଳକୁ ସେ ତିନି ଜଣ ଗାଡ଼ି ଭିତରେ ଥାଆନ୍ତି। ମୁଁ ସାଧୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲି। ଯେତେବେଳେ ପଥରମାଡ଼ ବଢ଼ିଲା, ମୁଁ ଲୋକମାନଙ୍କୁ ଅନୁରୋଧ କଲି ଗାଡ଼ିକୁ ଆକ୍ରମଣ ନ କରିବା ପାଇଁ। ସେମାନେ କିନ୍ତୁ ନିୟନ୍ତ୍ରଣ ହେବା ଅବସ୍ଥାରେ ନଥିଲେ। ସେମାନେ ଗାଡ଼ି ଭିତରେ ଥିବା ସାଧୁଙ୍କୁ ଚୋର ଚୋର ବୋଲି କହି ଚିତ୍କାର କରୁଥିଲେ। ପୁର୍ବରୁ ଆମ ଅଞ୍ଚଳରେ ପିଲାଚୋରି ହେଉଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା।

ପୁଲିସ ଜଣେ ସାଧୁ ଓ ଡ୍ରାଇଭରଙ୍କୁ ପ୍ରଥମେ ନେବାରେ ସଫଳ ହୋଇଥିଲେ। ତେବେ ଯେତେବେଳେ ପୁଲିସ ବୟସ୍କ ସାଧୁ ଜଣକୁ ନେବା ପାଇଁ ଚେଷ୍ଟା କରିଥିଲେ ଭିଡ଼ ତାଙ୍କୁ ଭୀଷଣ ଭାବରେ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡ ଫାଟି ଧାର ଧାର ରକ୍ତ ବୋହୁଥିଲା। ସେତେବେଳକୁ ଚାରିପଟୁ ପଥର ମାଡ଼ ଜାରି ରହିଥାଏ। ମୁଁ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କଲି। ପୁଲିସ ମୋତେ ସୁରକ୍ଷା ଦେଇ ନଥିଲେ ସେ ଆକ୍ରମଣରେ ମୋ ପ୍ରାଣ ବି ଯାଇଥାଆନ୍ତା। ଲୋକମାନେ ମୋତେ ଧମକାଇବା ଆରମ୍ଭ କରିଥିଲେ। ମୋ ପିଠିରେ ବି ଗୋଟିଏ ପଥର ବାଜିଥିଲା। ମୁଁ ଘରକୁ ଫେରିବା ପରେ ମୁଁ ଖାଇ ପାରି ନଥିଲି କି ଶୋଇପାରି ନଥିଲି। ମୁଁ ଏବେ ବି ଆକ୍ରମଣକାରୀ ବ୍ୟକ୍ତିଙ୍କ ଠାରୁ ଧମକଚମକ ପାଉଛି।

ମୁଁ ଅସଲ ଆକ୍ରମଣକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ପୁଲିସ ଗିରଫ କରିଥିବା ଲୋକଙ୍କ ଭିତରୁ ଅନେକେ ନିରୀହ, ସେମାନେ ଆକ୍ରମଣରେ ସାମିଲ ନଥିଲେ। ପୁଲିସ ସେମାନଙ୍କୁ ଛାଡ଼ିଦେବା ଉଚିତ। ମୁଁ ଏ ଘଟଣା ପାଇଁ ଏବେ ବି କିଛି ଗ୍ରାମବାସୀଙ୍କ ଠାରୁ ଧମକ ପାଉଛି।

ତେବେ ପୁଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଓ ଅଭିଯୁକ୍ତମାନଙ୍କର ସନ୍ଧାନରେ ଲାଗିଛି। ଡ୍ରୋନ୍‌ କ୍ୟାମେରା ବ୍ୟବହାର କରି ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚେଷ୍ଟା କରୁଛି। ପାଖ ଘଞ୍ଚ ଜଙ୍ଗଲରେ ବହୁ ସଂଖ୍ୟାରେ ଅଭିଯୁକ୍ତ ଲୁଚିଥିବାର ସୁରାକ ପାଇଛି ସ୍ଥାନୀୟ ପୁଲିସ। ଜଙ୍ଗଲ ଭିତରକୁ ଖାଦ୍ୟ ଯାଉଥିବାର ପ୍ରମାଣ ପୁଲିସ ହାତରେ ଲାଗିଛି। ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ପୁଲିସ ଦୃଢ଼ୋକ୍ତି ବାଢ଼ିଛି।

Comments are closed.