ଆକ୍ରମଣ ପାଇଁ କଂଗ୍ରେସକୁ ଦାୟୀ କଲେ ଅର୍ଣବ, ୨ ଗିରଫ
![](https://www.odishalink.com/wp-content/uploads/2020/04/Arnab-Goswami-with-wife-standing-outside-police-station-after-the-alleged-attack-on-23-April-2020.jpg)
ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟାଳୟରୁ ସପତ୍ନୀକ ଘରକୁ ଫେରୁଥିବା ବେଳେ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଅର୍ଣବଙ୍କୁ ଓ୍ବାଇ-କେଟେଗୋରୀ ସୁରକ୍ଷା ମିଳୁଥିଲେ ବି ତାଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର ଯୁବ କଂଗ୍ରେସର ଦୁଇ କର୍ମୀ ତାଙ୍କ ଆକ୍ରମଣ କରିଛନ୍ତି ବୋଲି ଅର୍ଣବ ଆଜି ଅଭିଯୋଗ ବାଢ଼ିଛନ୍ତି। ପୁଲିସ ଏହି ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି।
ଅର୍ଣବ ଏ ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ୨ ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଆକ୍ରମଣ କରିଥିବା ଉଲ୍ଲେଖ କରିଛନ୍ତି। ତାଙ୍କ ସୁରକ୍ଷା କର୍ମୀ ଅନ୍ୟ ଏକ ଗାଡ଼ିରେ ତାଙ୍କ ପଛେ ପଛେ ଆସୁଥିବା ବେଳେ ବାଇକରେ ଆସିଥିବା ଯୁବକ ଦ୍ବୟ ସେମାନଙ୍କୁ ଅତିକ୍ରମ କରି ଅର୍ଣବଙ୍କ ଗାଡ଼ିକୁ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ଅନୁସାରେ ଯୁବକ ଦ୍ବୟ ଅର୍ଣବଙ୍କ କାର କାଚ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ କାର ଉପରେ କିଛି କାଳୀ ଢ଼ାଳିଥିଲା। ଆକ୍ରମଣକାରୀମାନେ କଂଗ୍ରେସ ସଦସ୍ୟ ବୋଲି ଅର୍ଣବ ଅଭିଯୋଗ କରିବା ସହ ସୋନିଆ ଗାନ୍ଧୀଙ୍କୁ କାପୁରୁଷ କହିଛନ୍ତି। ଆକ୍ରମଣରେ ଅର୍ଣବ କିମ୍ବା ତାଙ୍କ ପତ୍ନୀଙ୍କର କିଛି ହୋଇନାହିଁ।
ଅନ୍ୟପଟେ ଉଭୟ ଅଭିଯୁକ୍ତଙ୍କୁ ସେଇଠି ତୁରନ୍ତ ଅର୍ଣବଙ୍କ ସହ ଥିବା ପୁଲିସ କର୍ମୀ ଗିରଫ କରିଥିଲେ ବୋଲି ଡିସିପି ଅବିନାଶ ଠାକୁର କହିଛନ୍ତି। ଅଭିଯୁକ୍ତମାନଙ୍କର କଂଗ୍ରେସ ସହ ସମ୍ପର୍କ ଅଭିଯୋଗ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ।
Comments are closed.