ପ୍ରଥମଥର: ମହାମାରୀ କରୋନା କବଳରେ ପୋଷା ବିଲେଇ

ନ୍ୟୁୟର୍କ: ମହାମାରୀ କରୋନା ଭାଇରସ୍କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହିି ମହାମାରୀ କବଳରେ ଏପର୍ଯ୍ୟନ୍ତ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ। ମଣିଷ ସମାଜ ପାଇଁ ଘାତକ ସାଜିଥିବା କରୋନା ଭାଇରସର ଲକ୍ଷଣ ଏବେ ପଶୁପକ୍ଷୀଙ୍କ ନିକଟରେ ଦେଖିବାକୁ ମିଳିଛି। ପୂର୍ବରୁ ଆପଣ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ଶୁଣିଥିଲେ। ହେଲେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ମଣିଷ ଠାରୁ ପୋଷା ବିଲେଇ କରୋନା ସଂକ୍ରମିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଆମେରକା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।
ଆମେରିକାର ନ୍ୟୁୟର୍କ ରାଜ୍ୟରେ ଦୁଇଟି ପୋଷା ବିରାଡ଼ି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଥିବା କଥା ବୁଧବାର ଦିନ ଫେଡେରାଲ୍ ଅଧିକାରୀମାନେ କହିଛନ୍ତି। କୌଣସି ଗୃହପାଳିତ ଜନ୍ତୁଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଆସିବାରେ ଏହା ହେଉଛି ଆମେରିକାରେ ପ୍ରଥମ ଘଟଣା।
ଏହି ୨ ବିଲେଇ ନ୍ୟୁୟର୍କର ଅଲଗା ଅଲଗା ଅଞ୍ଚଳର। ଏହି ବିଲେଇମାନେ ସାମାନ୍ୟ ଶ୍ବାସ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସଂପୂର୍ଣ୍ଣ ସୁସ୍ଥ ହେବାର ଆଶଙ୍କା ରହିଛି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ ସେମାନେ ନିଜ ପରିବାର କିମ୍ବା ପଡ଼ୋଶୀ ଲୋକଙ୍କଠାରୁ ଦ୍ବାରା ସଂକ୍ରମିତ ହୋଇଥାଇ ପାରନ୍ତି। ଦୁହେଁ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଉଛି ।
ପ୍ରଥମ ବିଲେଇଟି ରହୁଥିବା ଘରର ମାଲିକ କିଛି ଦିନ ତଳେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ବିଲେଇଟି ଅନେକ ସମୟରେ ବାହାରେ ଓ ଆଖପାଖ ଘରକୁ ବୁଲିବାକୁ ଯାଏ। ତେଣୁ ଏହି ସମୟରେ ସେ କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥାଏ ବୋଲି ସୂଚନା ରହିଛି।
ଦ୍ୱିତୀୟ ବିଲେଇଟି ରହୁଥିବା ଘରର ମାଲିକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କ ଶରୀରରୁ ଭାଇରସ ବିଲେଇ ଶରୀରକୁ ଯାଇଛି। ଏହି ଘରେ ଆଉ ଏକ ବିଲେଇ ରହୁଥିଲା। କିନ୍ତୁ ତା’ ଶରୀରରେ କୌଣସି ଭୂତାଣୁ ଠାବ ହୋଇନାହିଁ।
ମଣିଷ-ପ୍ରାଣୀ ସ୍ବାସ୍ଥ୍ୟ ବିଜଡ଼ିତ ସ୍ବାସ୍ଥ୍ୟ ସମସ୍ୟା ନିମନ୍ତେ କାର୍ଯ୍ୟରତ ସିଡିସି ଅଧିକାରୀ ଡାକ୍ତର କେସି ବାର୍ଟନ୍ ବେରାବେସ୍ କହନ୍ତି, ପଶୁପକ୍ଷୀମାନେ ଆଦୌ କରୋନା ସଂକ୍ରମଣକୁ ବୃଦ୍ଧି କରିପାରନ୍ତି ନାହିଁ। କରୋନା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହୁଏ। ହେଲେ ପଶୁପକ୍ଷୀମାନେ କରୋନାର ବାହକ ନୁହନ୍ତି। କରୋନାରେ ସଂକ୍ରମଣ ହେଉଥିବା ପଶୁପକ୍ଷୀମାନଙ୍କୁ ଲୋକେ ଘରେ ରଖି ବି ଚିକିତ୍ସା କରିପାରିବେ। ଏଥିରେ ଆଦୌ ବିପଦ ନାହିଁ। ତେଣୁ ନିଜର ପୋଷା ପଶୁପକ୍ଷୀଙ୍କୁ ନେଇ କେହି ବି ଚିନ୍ତିତ ହୁଅନ୍ତୁ ନାହିଁ କିମ୍ବା ସେମାନଙ୍କ ପରୀକ୍ଷା ପାଇଁ ହସ୍ପିଟାଲରେ ଭିଡ଼ କରନ୍ତୁ ନାହିଁ।
Comments are closed.