କରୋନା: ଆମେରିକାରେ ଫସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର
![](https://www.odishalink.com/wp-content/uploads/2020/04/Sunil-Arora.gif)
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ଲକ୍ଡାଉନ୍। ଏପରିକି ବିମାନ ସେବା ବନ୍ଦ କରାଯାଇଛି ଏହି ସମୟରେ। ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କରୋନା କଟକଣା କାରଣରୁ ଆମେରିକାର ମିଚିଗାନରେ ଫସି ରହିଛନ୍ତି।
ସେ ବ୍ୟକ୍ତିଗତ କାରଣରୁ ଗତ ମାର୍ଚ୍ଚ ୭ରେ ଆମେରିକା ଯାଇଥିଲେ। ଏବଂ ସେ ଏପ୍ରିଲ ୪ରେ ଭାରତ ଫେରିବା ପାଇଁ ଟିକେଟ କରିଥିଲେ। ହେଲେ କରୋନା କାରଣରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ରଦ୍ଦ କରାଯାଇଥିବାରୁ ସେ ଆମେରିକାରୁ ଫେରିପାରି ନାହାନ୍ତି। ବ୍ୟକ୍ତିଗତ କାରଣରୁ ଛୁଟିରେ ଆମେରିକା ଯିବା ନିମନ୍ତେ ସେ ନିୟମ ମୁତାବକ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ନେଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।
ଦେଶ ବର୍ତ୍ତମାନ ଜଟିଳ ସମୟରେ ଗତି କରୁଥିବାରୁ ବରିଷ୍ଠ ପଦାଧିକାରୀମାନେ ତତ୍ପର ହୋଇ ପଡିଛନ୍ତି। ନିର୍ବାଚନ କମିଶନ(ଇସି)ର ମଧ୍ୟ କେତେକ ଆବଶ୍ୟକତା ପଡିଛି। ଆରୋରା ଆମେରିକାରୁ ରହି ଭିଡିଓ କନ୍ଫରେନ୍ସିଂ ଏବଂ ଫୋନ କଲ୍ ଯୋଗେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। କରୋନା ନିମନ୍ତେ ନିର୍ବାଚନ କମିଶନର ଅଧିକାରୀମାନଙ୍କର ୩୦ ପ୍ରତିଶତ ଦରମା କାଟ୍ ଲାଗି ନିଷ୍ପତ୍ତି ହୋଇଥିଲା। ଆରୋରା ଆମେରିକାରେ ରହି ଏହି ନିଷ୍ପତ୍ତି ନେଇଥିଲେ। ନିର୍ବାଚନ କମିଶନର ଅଶୋକ ଲାଭାସା, ସୁଶିଲ ଚନ୍ଦ୍ରା ଏବଂ ଉପ ନିର୍ବାଚନ କମିଶନର ବୁଧବାର ଆରୋରାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।
Comments are closed.