କରୋନା କାମ କରିବା ଶୈଳୀକୁ ବଦଳାଇଲା, ଆମେ ଆତ୍ମନିର୍ଭରଶୀଳ ହେବା: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି। ଯାହା ଦ୍ବାରା ଗ୍ରାମର ବିକାଶ ଯୋଜନା ଉପରେ ନଜର ରହିବ।
ଏଥିସହିତ ସ୍ୱାମୀତ୍ୱ ଯୋଜନାର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାରେ ଗାଁ ଗାଁର ମ୍ୟାପିଂ କରାଯିବ। ଡ୍ରୋନ ଜରିଆରେ ଗାଁର ସମ୍ପତ୍ତି ମ୍ୟାପିଂ କରାଯିବ। ସମ୍ପତ୍ତିକୁ ନେଇ ଗାଁରେ ଥିବା ଅସନ୍ତୋଷ ଶେଷ ହେବ ଏହି ଯୋଜନା ଦ୍ବାରା। ଦେଶର ୬ଟି ରାଜ୍ୟରେ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ସାରା ଦେଶରେ ଏହା ଲାଗୁ କରାଯିବ ବୋଲି ମୋଦି କହିଛନ୍ତି।
ସମ୍ବୋାଧନ କରି ମୋଦି କହିଛନ୍ତି ଯେ, ମହାମାରୀ କରୋନା ଭାଇରସ୍ କାମ କରିବା ଶୈଳୀକୁ ବଦଳାଇ ଦେଇଛି। ମହାମାରୀ ପାଇଁ ଆମ ଆଗରେ ଅନେକ ସମସ୍ୟା ଠିଆ ହୋଇଛି ହେଲେ ଆମକୁ ଆତ୍ମନିର୍ଭଶୀଳ ହେବାକୁ ମଧ୍ୟ ଏକ ଶିକ୍ଷା ଦେଇଛି। ଦେଶ, ରାଜ୍ୟ, ଜିଲ୍ଲା ଓ ଗାଁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ମିଳିଛି। ଆତ୍ମନିର୍ଭରଶୀଳ ନହେଲେ ସମସ୍ୟା ସମାଧାନ ହେବ ନାହିଁ। ପଞ୍ଚାୟତ ମଜଭୁତ ହେଲେ ଗଣତନ୍ତ୍ର ସଶକ୍ତ ହେବ ବୋଲି ମୋଦି କହିଛନ୍ତି।
ସମୟ ଥିଲା ଦେଶର ଶହେରୁ କମ୍ ପଞ୍ଚାୟତରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ଥିଲା। ଏବେ ୧. ୨୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ପହଞ୍ଚିସାରିଛି। କେବଳ ଏତିକି ନୁହେଁ, ଗାଁମାନଙ୍କରେ କମନ୍ ସର୍ଭିସ ସେଣ୍ଟର୍ର ସଂଖ୍ୟା ତିନି ଲକ୍ଷ ଟପିଗଲାଣି ବୋଲି ମୋଦି କହିଛନ୍ତି।
ମୋଦି ଆହୁରି କହିଛନ୍ତି ଯେ, ଦେଶର ଗାଁରେ ରହୁଥିବା ଲୋକେ କରୋନାଭାଇରସ୍ର ସଂକଟ ସମୟରେ ନିଜ ସଂସ୍କାର, ନିଜ ପରମ୍ପରାରୁ କିଭଳି ଶିକ୍ଷା ପାଉଛନ୍ତି ତାହା ମଧ୍ୟ ଦୁନିଆ ଜାଣିଲା। ଗାଁମାନଙ୍କରୁ ଯାହା ଅପ୍ଡେଟ୍ ଆସୁଛି ତାହା ବଡ଼ ବଡ଼ ବିଦ୍ବାନ୍ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ। ଲୌକିକ ଦୂରତା ନିମନ୍ତେ ଗାଁ ଲୋକେ ଦୁନିଆକୁ ମନ୍ତ୍ର ଦେଇଛନ୍ତି – ‘ଦୁଇ ଗଜ ଦୂରତା’। ଏହି ମନ୍ତ୍ର ପାଳନ ନିମନ୍ତେ ଗାଁରେ ଖୁବ୍ ଧ୍ୟାନ ଦିଆଯାଉଛି।
ମହାମାରୀ ପାଇଁ ଏତେ ବଡ଼ ସଙ୍କଟ ଆସିଲା ଏଇ ଦୁଇ ତିନି ମାସରେ ଆମେ ଏ କଥା ବି ଦେଖିଲେ ଯେ ଭାରତର ନାଗରିକମାନେ ସୀମିତ ସମ୍ବଳ ମଧ୍ୟରେ ଅନେକ ପ୍ରକାର ଦୁଃସ୍ଥିତିରେ ହାର ମାନିବା ପରିବର୍ତ୍ତେ ତା’ର ମୁକାବିଲା କରୁଛନ୍ତି। ଏ କଥା ସତ ଯେ ବାଧା ଉପୁଜୁଛି, ଅସୁବିଧା ହେଉଛି, କିନ୍ତୁ, ସଙ୍କଳ୍ପର ସାମର୍ଥ୍ୟ ଦେଖାଇ ନୂତନ ଶକ୍ତି ସହ ଆଗେଇ ଚାଲି, ନୂଆ ନୂଆ ଉପାୟ ଅନ୍ବେଷଣ କରି, ଦେଶକୁ ରକ୍ଷା କରିବାକୁ ଓ ଦେଶର ଅଗ୍ରଗତି କରିବାକୁ ନିରବଚ୍ଛିନ୍ନ କାମ ଚାଲିଛି ବୋଲି ମୋଦି କହିଛନ୍ତି।
ପ୍ରଧାମନ୍ତ୍ରୀଙ୍କ ସହ ଏହି ଭିଡିଓ କନ୍ଫରେନ୍ସିଙ୍ଗ୍ରେ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ।
Comments are closed.