ପାଲଘର ଘଟଣାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦାୟୀ କଲେ ସନ୍ଥ ସମାଜ, ସିବିଆଇ ତଦନ୍ତ ଦାବି
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ତାରିଖରେ ୨ ଜଣ ଜୁନାଗଡ଼ ଆକଡ଼ା ସନ୍ଥ ଓ ତାଙ୍କ ଡ୍ରାଇଭରଙ୍କୁପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ସନ୍ଥ ସମାଜ। ଏ ନେଇ ହିନ୍ଦୁ ଧର୍ମ ଆଚାର ସଭା ପକ୍ଷରୁ ସନ୍ଥମାନେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ ଖୋସିଆରୀଙ୍କୁ ଏକ ଦାବି ପତ୍ର ପଠାଇଛନ୍ତି। ପତ୍ରରେ ପରୋକ୍ଷରେ ଭିଡ଼ହତ୍ୟା ଘଟଣା ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦାୟୀ କରାଯାଇଛି।
ପତ୍ରରେ ସାଧୁମାନେ ଉଲ୍ଲେଖ କରିଛନ୍ତି ଯେ ପାଲଘର ଅଞ୍ଚଳ ପୂର୍ବରୁ ଦେଶବିରୋଧୀ କାମ ପାଇଁ ଜଣାଶୁଣା, ଏହି ଅଞ୍ଚଳରେ ସିଏଏ ବିରୋଧରେ ଜୋରଦାର ବିରୋଧ ହୋଇଥିଲା। ଦୁଇ ସନ୍ଥ ଓ ତାଙ୍କ ଡ୍ରାଇଭରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ଟାଳଟୁଲ ନୀତି ଅବଲମ୍ବନ କରିବା ସହ ଅସଲ ଅପରାଧୀ ବିରୋଧରେ କୌଣସି ମାମଲା କରିନାହାନ୍ତି ବୋଲି ପତ୍ରରେ ସନ୍ଥମାନେ ଲେଖିଛନ୍ତି।
ଜୁନାଗଡ଼ ଆଖଡ଼ା ମୁଖ୍ୟ ବରିଷ୍ଠ ସନ୍ଥ ଅବଧେଶାନନ୍ଦ ଗିରିଙ୍କ ନେତୃତ୍ବରେ ସାଧୁମାନେ ଏହି ପତ୍ର ରାଜ୍ରପାଳଙ୍କୁ ପଠାଇଛନ୍ତି। ଗିରି କହିଛନ୍ତି ପାଲଘର ଅଞ୍ଚଳରେ ୨୦୧୯ ଡିସେମ୍ବରରେ ୧୨ ଜଣ ଓ ଗତ ଫେବ୍ରୁଆରୀରେ ୨୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ ହୋଇଥିଲେ। ଏବେ ବି ସେ ଅଞ୍ଚଳରେ ବହୁ ସଂଖ୍ୟାରେ ଦେଶବିରୋଧୀ ତତ୍ତ୍ବ ରହିଥିବା ସେ ଦାବି କରିଛନ୍ତି। ରାଜ୍ୟ ସରକାର ଜାଣିଶୁଣି କିଛି ନିର୍ଦ୍ଦିଷ୍ଟ ନାମକୁ ଏଫ୍ଆଇଆର୍ରୁ ବାଦ ଦେଇଛନ୍ତି ବୋଲି ଚିଠିରେ ଅଭିଯୋଗ କରାଯାଇଛି। ଦୁଇ ସାଧୁ ଓ ତାଙ୍କ ଡ୍ରାଇଭରଙ୍କ ହତ୍ୟାକାଣ୍ଡ ଏକ ବୃହତ୍ତ ଷଡ଼ଯନ୍ତ୍ରର ଅଂଶବିଶେଷ ଓ ଏହା ବିରୋଧରେ ଦୃଢ଼ ତଦନ୍ତ ଜରୁରୀ ବାାଲି ସାଧୁମାନେ ରାଜ୍ୟପାଳଙ୍କ ପାଖରେ ଅନୁରୋଦ ରଖିଛନ୍ତି।
ସେମାନଙ୍କର ରାଜ୍ୟ ସରକାରଙ୍କ ଉପରେ ଭରସା ନାହିଁ ବୋଲି ସାଧୁମାନେ ଲେଖିଛନ୍ତି। ହତ୍ୟାକାଣ୍ଡର ବିଭତ୍ସତା ଓ ରାଜ୍ୟସରକାରଙ୍କ ହାଲକା ମନଭାବରୁ ଏହା ସ୍ପଷ୍ଟ ଏବଂ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ର ସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସନ୍ଥ ସମାଜ ଅନୁରୋଧ କରିଛନ୍ତି।
ପାଲଘର ଆକ୍ରମଣରେ ମୃତ ଦୁଇ ସନ୍ଥ କଳ୍ପବୃକ୍ଷ ଗିରି (୭୦) ଓ ସୁଶୀଳ ଗିରି (୩୫) ଉଭୟେ ଜୁନାଗଡ଼ ଆଖଡ଼ା ସଂପ୍ରଦାୟର ସାଧୁ। ଜୁନାଗଡ଼ ଆଖଡ଼ା ହିନ୍ଦୁ ସାଧୁ ସମାଜ ମଧ୍ୟରେ ଏକ ଉଚ୍ଚସମ୍ମାନ ପ୍ରାପ୍ତ ଜଣାଶୁଣା ସଂପ୍ରଦାୟ। କୁମ୍ଭ ମେଳାରେ ପ୍ରଥମେ ଗଙ୍ଗାରେ ବୁଡ଼ ନେବାକୁ ଜୁନାଗଡ଼ ଆଖଡ଼ାକୁ ଅନୁମତି ମିଳିଛି। ମ୍ବାଇ ଆସି ବହୁ ସଂଖ୍ୟାରେ ଆଖଡ଼ା ସନ୍ଥ ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଧମକ ଦେଇଛନ୍ତି।
ଅନ୍ୟପଟେ ପାଲଘର ଭିଡ଼ହତ୍ୟା ଘଟଣାକୁ ନେଇ ସର୍ବ ଭାରତୀୟ ଆଖଡ଼ା ପରିଷଦ ସଭାପତି ନରେନ୍ଦ୍ର ଗିରିଙ୍କୁ ଭେଟିବେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜଣାଇଛନ୍ତି।
Comments are closed.