ବାହାର ରାଜ୍ୟରେ ଓଡ଼ିଆ: ବସ୍ ନୁହେଁ, ଅର୍ଥ ପଠାଅ
ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ।
୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି ଓଡ଼ିଆଙ୍କ ସଭାରେ ଉଦ୍ବୋଦନ ଦେଇଥିଲେ। କେବଳ ସୁରତରେ ୭ ଲକ୍ଷରୁ ଅଧିକ ଓଡ଼ିଆ ଅଛନ୍ତି ବୋଲି ସେତେବେଳେ କହାଯାଇଥିଲା। ଏ ସଂଖ୍ୟା ଏବେ ହୁଏତ ବଢ଼ି ଯାଇଥିବ। ଏମାନଙ୍କ ଭିତରୁ କିଛି ଲକ୍ଡାଉନ୍ ପୂର୍ବରୁ ରାଜ୍ୟକୁ ଆସି ଯାଇଥିବେ। ତଥାପି ଯଦି ସେତେବେଳର ତଥ୍ୟକୁ ବିଶ୍ବାସ କରାଯାଏ ସୁରତରେ କେବଳ ୫ ଲକ୍ଷରୁ ଅଧିକ ଓଡ଼ିଆ ଥିବେ। ଦେଶର ଅନ୍ୟ ସ୍ଥାନ କଥା ଛାଡ଼ନ୍ତୁ।
ଗୁଜରାଟରୁ ବସ ଯୋଗେ ଶ୍ରମିକଙ୍କୁ ଆଣିବା ସରକାରଙ୍କର ଏକ ମୁର୍ଖାମୀ ବୋଲି ମୋର ବ୍ୟକ୍ତିଗତ ମତ।
ସାଧାରଣ ଭାବେ ହିସାବ କଲେ ସାମାଜିକ ଦୂରତା ରଖି (ଦୁଇ ବା ତିନିଟିକିଆ ସିଟ୍ରେ ଜଣେ) ଗୋଟିଏ ବଡ଼ ବସ୍ରେ ୨୦ ଜଣ ଆସିପାରିବେ। ୨୦ ଜଣଙ୍କୁ ଆଣିବା ପାଇଁ ଗୋଟିଏ ବସ୍କୁ ଯିବା-ଆସିବା ଦୁଇଗୁଣା ରାସ୍ତାରେ (ସୁରତ-ଭୁବନେଶ୍ବର-ସୁରତ) ସର୍ବନିମ୍ନ ପ୍ରାୟ ୩,୫୦୦ କିଲୋମିଟର ରାସ୍ତା ଯାତ୍ରା କରିବାକୁ ପଡ଼ିବ। ଓଡ଼ିଶା ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମର ସ୍ଥିରୀକୃତ ଦର ସବୁଠୁ କମ ଅଣ-ବାତାନୁକୂଳିତ ୫୨ ସିଟ୍ ଆସନ ବିଶିଷ୍ଟ ସାଧାରଣ ବସ୍ ପାଇଁ କିଲୋମିଟର ପିଛା ୩୬.୪୦ ଟଙ୍କା। ଏହା ବାଦ ଡିଟେନ୍ସନ୍ ଚାର୍ଜ ଘଣ୍ଟାକୁ ୧୩୦ ଟଙ୍କା ରହିଛି, ଏହାକୁ ଛାଡ଼ନ୍ତୁ। ଘରୋଇ ଗାଡ଼ି କ୍ଷେତ୍ରରେ ଏ ଦର ଆହୁରି ଅଧିକ।
ଯଦି କେବଳ କିଲୋମିଟର ପିଛା ଦର ହିସାବ କରାଯାଏ, ତେବେ ୨୦ ଜଣ ଲୋକଙ୍କୁ ସୁରତରୁ ଭୁବନେଶ୍ବର ପହଞ୍ଚାଇବା ପାଇଁ ୧,୨୭,୪୦୦ ଟଙ୍କା ଖର୍ଚ୍ଚ ହେବ। ଅର୍ଥାତ୍ ଗୋଟିଏ ଲୋକକୁ କେବଳ ଓଡ଼ିଶାରେ ପହଞ୍ଚାଇ ଦେବା ପାଇଁ ୬,୩୭୦ ଟଙ୍କା ଖର୍ଚ୍ଚ ହେବ। ଏହା ବାଦ ୩ ଦିନର ଯାତ୍ରାରେ ସେମାନଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଅତି କମରେ ୬୩୦ଟଙ୍କା ବୋଲି ଧରାଯାଉ। ଏହା ବାଦ ସେମାନଙ୍କୁ ଗାଁରେ ପହଞ୍ଚାଇବା ପାଇଁ ହାରାହାରି ମୁଣ୍ଡପିଛା ୫୦୦ ଟଙ୍କା (କାହା ପାଇଁ ୧୦୦ କାହା ପାଇଁ ୧,୫୦୦ ଲାଗିପାରେ) ଖର୍ଚ୍ଚହେବ। ଗାଁରେ ସେମାନଙ୍କୁ ୧୪ ଦିନ କ୍ବାରାଣ୍ଟିନ୍ରେ ରଖାଯିବ। ଦିନକୁ ଖାଇବା ଖର୍ଚ୍ଚ ୬୦ ଟଙ୍କା ହିସାବରେ ୮୪୦ ଟଙ୍କା ଓ କ୍ବାରାଣ୍ଟିନ୍ ସେଣ୍ଟର ପ୍ରସ୍ତୁତ ପାଇଁ ଧରନ୍ତୁ ଜଣ ପିଛା ୫,୦୦୦ ଟଙ୍କା କର୍ଚ୍ଚ ହୋଇଥି। ଏ ସବୁ କାମ ତଦାରଖ କରିବା ପାଇଁ ସରକାରୀ କଳକୁ ଜଣ ପିଛା ଆଉ ୬୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଧରିନେବା।
ଏହିପରି ଜଣ ପିଛା ମୋଟ ୧୪,୦୦୦ ଟଙ୍କା ବା ତହିଁରୁ ଅଧିକ ଖର୍ଚ୍ଚ ହେବ। କେବଳ ସେତିକି ନୁହେଁ, ସେମାନଙ୍କ ପଞ୍ଜିକରଣ, ସେମାନଙ୍କୁ ଆଣିବା, ତଇଥାନ କରିବା, ଉପଯୁକ୍ତ ସେବା ଯୋଗାଇବା, କ୍ବାରାଣ୍ଟିନ୍ରେ ରଖିବା, ସନ୍ଦେହ ହେଲେ ଚିକିତ୍ସା କରିବା ଆଦିରେ କେତେ ଲୋକବଳ ଓ ଅର୍ଥବଳ ଲାଗିବ ତାହା ଅନୁମାନ ବାହାରେ।
ମୋର ଆକଳନ ଭୁଲ ହୋଇପାରେ। କିନ୍ତୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେବ ନିଶ୍ଚୟ। ମୋର ବ୍ୟକ୍ତିଗତ ମତ- ଶ୍ରମିକଙ୍କୁ ତରବର ଭାବରେ ଏବେ ଫେରାଇ ନଆଣି ସେମାନେ ରହୁଥିବା ସ୍ଥାନରେ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ ସୁବିଧା ସୁଯୋଗ ପହଞ୍ଚାଇ ଦିଆଯାଉ ବା ଉପରୋକ୍ତ ଅର୍ଥରାଶି କିସ୍ତି କିସ୍ତି କରି ସେମାନଙ୍କୁ ପ୍ରଦାନ କରାଯାଉ। ବାହାର ରାଜ୍ୟରେ ଜଣେ ଏକଲା ମଣିଷ ୧୪,୦୦୦ ଟଙ୍କାରେ ସର୍ବନିମ୍ନ ସୁବିଧା ସହ ଅତି କମରେ ୩ ମାସ ଚଳିପାରିବ। ସେମାନଙ୍କୁ ଦରମା ବା କାମ ମିଳିବା ଯାଏଁ ଅତି କମରେ ୫-୧୦ ହଜାର ଟଙ୍କା ସହଯୋଗ ରାଶି ଦିଆଯାଇ ପାରେ।
୨୦୧୮ ଡିସେମ୍ବର ମାସରେ ନବୀନ ପଟ୍ଟନାୟକ ସୁରତ ଗସ୍ତରେ ଯାଇଥିବା ବେଳେ ସେଠାରେ ୧୦ କୋଟି ଟଙ୍କା ବ୍ୟୟରେ ଏକ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ। ଯଦି ତାହା ନିର୍ମାଣ ହୋଇଥାଏ, ଉପରେ ପରାମର୍ଶ ଦିଆଯାଇଥିବା କାମ ପାଇଁ ସେହି କେନ୍ଦ୍ରକୁ ବ୍ୟବହାର କରାଯାଇପାରେ। ସେଠାରେ କିଛି ସରକାରୀ ଅଧିକାରୀ ରହି ବ୍ୟବସ୍ଥା ତଦାରଖ କରିପାରିବେ। ଯଦି ନ ହୋଇଛି, ତେବେ ଅନ୍ୟ କୌଣସି ସ୍ଥାନକୁ ଏକ ଅସ୍ଥାୟୀ ଅଫିସ ଭାବେ ବ୍ୟବହାର କରାଯାଇପାରିବ।
ଆଶା ସରକାର ଏ ଦିଗରେ ବିଚାର କରିବେ।
Comments are closed.