ଲୁଡୋ ଖେଳରେ ହରାଇ ଦେବାରୁ ପତ୍ନୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲେ

ଭଦୋଦରା: ମହାମାରୀ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ଏହି ସମୟରେ ବିନା କାମରେ କେହି ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଫଳରେ ଲକ୍ଡାଉନ୍ ସମୟରେ ସମସ୍ତେ ପ୍ରାୟ ନିଜ ନିଜ ଘରେ ରହୁଛନ୍ତି। ଆଉ ଏହି ଲକ୍ଡାଉନ୍ ସମୟ ଅତିବାହିତ କରିବା ପାଇଁ ଅନ୍ଲାଇନ୍ ଲୁଡୋ ଖେଳ ଏକ ମାଧ୍ୟମ ସାଜିଛି। ଯୁବବର୍ଗଠୁ ଆରମ୍ଭ କରି ବୃଦ୍ଧ ଓ ଦମ୍ପତ୍ତି ମଧ୍ୟ ମଜି ଯାଉଛନ୍ତି ଏହି ଅନ୍ଲାଇନ୍ ଲୁଡୋ ଖେଳରେ।
ହେଲେ ଗୁଜୁରାଟର ଭଦୋଦରାଠାରେ ଏହି ଅନ୍ଲାଇନ୍ ଲୁଡୋ ଖେଳ ଏକ ପରିବାର ପାଇଁ ଅସନ୍ତୋଷ କାରଣ ସାଜିଛି। ଅନଲାଇନ୍ ଲୁଡୋ ଖେଳରେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପରାସ୍ତ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି। ତେବେ କଥା କେବଳ ସେତିକିରେ ସରି ନଥିଲା। ସ୍ୱାମୀର ମାଡରେ ପତ୍ନୀର ମେରୁଦଣ୍ଡ ଭାଙ୍ଗିଯାଇଥିବା ଜଣାପଡିଛି। ସେହିପରି ମାମଲା ଗୁରୁତର ହେବାରୁ ପତ୍ନୀଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି।
୧୮୧ ଅଭୟ ହେଲ୍ପଲାଇନରେ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାର ତଦାରଖ କରୁଥିବା ଅଧିକାରୀ ଜଣକ କହିଛନ୍ତି ଯେ ୨୪ ବର୍ଷ ବୟସ୍କା ମହିଳା ଗୁଜୁରାଟ ଭେମାଲିର ବାସିନ୍ଦା ଅଟନ୍ତି। ସେ ଘରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରନ୍ତି। ତାଙ୍କ ସ୍ୱାମୀ ଏକ ଇଲେକ୍ଟ୍ରୋନିକ୍ କମ୍ପାନୀରେ କାମ କରନ୍ତି। ଆଜିକାଲି ଲକ୍ଡାଉନ୍ କାରଣରୁ ତାଙ୍କ ସ୍ୱାମୀ ଘରେ ରୁହୁଥିଲେ। ଲକ୍ଡାଉନ୍ ଚାଲିଥିବାରୁ ଘରେ ବସି ବସି ଦୁହେଁ ବୋର ହୋଇପଡିଥିଲେ। ପରେ ଅନଲାଇନରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ଉଭୟ ପତି ପତ୍ନୀ।
ତେବେ ପତ୍ନୀ ଏହି ଖେଳରେ କ୍ରମାଗତ ତିନିରୁ ଚାରି ରାଉଣ୍ଡ ସ୍ୱାମୀଙ୍କୁ ପରାସ୍ତ କରିଦେଇଥିଲେ। ବାରମ୍ବାର ପରାଜୟ ପରେ କ୍ରୋଧିତ ସ୍ୱାମୀ ପତ୍ନୀଙ୍କ ସହ ଝଗଡା କରିବାକୁ ଲାଗିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢିଗଲା ଯେ ଆକ୍ରମଣ ପର୍ଯ୍ୟନ୍ତ କଥା ପହଁଞ୍ଚିଥିଲା। ସ୍ୱାମୀ ପତ୍ନୀଙ୍କୁ ଏତେ ମାଡ ମାରିଥିଲେ ଯେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପରେ ଭୁଲ୍ ଜାଣି ସ୍ୱାମୀ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲେ।
Comments are closed.