ନୟାଗଡ଼ରେ ନିଆରା ବିବାହ: ବରକନ୍ୟାଙ୍କ ପିତା ସାଜିଲେ ଏଡିଏମ୍, ଉପଜିଲ୍ଲାପାଳ
ନୟାଗଡ଼: ମହାମାରୀ କରୋନା ଭାଇରସ୍ ଓ ଲକ୍ଡାଉନ୍ ମଧ୍ୟରେ ହେଲା ବାହାଘର। ବାହାଘରରେ ନା ବାଜା ବାଜିଲା ନା ବାଣ ଫୁଟିଲା। ବରଯାତ୍ରୀ ତ ଦୂରର କଥା ଏପରିକି ପୂରୋହିତ ମଧ୍ୟ ନଥିଲେ ବାହାଘରରେ। ତଥାପି ହୋଇଛି ବାହାଘର। ଏମିତି ଏକ ଖବର ଯାହା ଏବେ ଚର୍ଚ୍ଚାରେ। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀରେ ଏମିତି ଏକ ନିଆରା ବାହାଘର ସମାପନ ହୋଇଛି।
ଏହି ବାହାଘରରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପିତା ସାଜିଥିବା ଜଣାଯାଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପାଟୁଳିସାହି ଗ୍ରାମର ରାଧା ଚରଣ ସାହୁଙ୍କ ପୁଅ ଟୁଟୁ ସାହୁ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଗତ ଡିସେମ୍ବର ମାସରେ ନୂଆଗାଁ ବ୍ଲକ ଚାହାଳୀ ପଂଚାୟତ ରାଇପୁର ଗ୍ରାମର କବିରାଜ ସାହୁଙ୍କ କନ୍ୟା ଦିପାଞ୍ଜଳୀ ସାହୁଙ୍କ ତାଙ୍କର ବିବାହ ହେବାକୁ ସ୍ଥିର କରାଯାଇଥିଲା।
ଆଜିକା ଦିନରେ ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ କରୋନା ମହମାରୀ ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା । ଯାହା ଫଳରେ ଟୁଟୁ ନିଜର ଆଦର୍ଶ ନୀତିକୁ ପରିଚୟ ଦେବା ଏବଂ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେବାକୁ ଯାଇ ବିନା ବରଯାତ୍ରୀ, ବିନା ରୋଷଣୀରେ ବିବାହ କରିବାକୁ ମନସ୍ଥ କଲେ । ଉଭୟ ପରିବାରଙ୍କ ଆଲୋଚନା ପରେ ଆଜି ସେ ଟୁଟୁ ଓ ଦୀପାଞ୍ଜଳୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି । ମୁହଁରେ ମାସ୍କ ପିନ୍ଧି ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିବା ବେଳେ ଦୀପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଟୁଟୁ । ଏଥିସହିତ ସାତ ଜନ୍ମକୁ ସାଥୀ ହୋଇ ରହିବାକୁ ଉଭୟ ଆଜି ପଣ କରିଛନ୍ତି । ଟୁଟୁ ତାଙ୍କ ଦୁଇ ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।
Comments are closed.