‘ସୀତା ବିବାହ’ ଜନ୍ମଦିନରେ ଗବେଷକ ସୂର୍ଯ୍ୟ ଦେଓଙ୍କ ବଡ଼ ଆବିଷ୍କାର

୧୯୩୬ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ଦୁଇଟି ବଡ଼ ଘଟଣା ଘଟିଥିଲା। ଏପ୍ରିଲ ୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ପ୍ରତିଷ୍ଠା ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ସଂଯୋଗ ଦେଖନ୍ତୁ ସେହିବର୍ଷ, ସେତେବେଳକୁ ଦିବଂଗତ ସ୍ବତନ୍ତ୍ର ଓଡ଼ିଶା ଗଠନର ଅଗ୍ରଣୀ ସାରଥି ମଧୁସୂଦନ ଦାସଙ୍କ ଜନ୍ମତିଥି ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା ଆମ ଭାଷାର ପ୍ରଥମ ଓ ସବାକ୍ ଚଳଚ୍ଚିତ୍ର ‘ସୀତା ବିବାହ’। ଆଜି ଏହି ଚଳଚ୍ଚିତ୍ର ମକ୍ତିଲାଭକୁ ୮୪ ବର୍ଷ ପୂର୍ତ୍ତି ହୋଇଛି।
ତେବେ ବିଶିଷ୍ଟ ସିନେମା ଗବେଷକ ଓ ଲେଖକ ସୂର୍ଯ୍ୟ ଦେଓ ଆଜି ଓଡ଼ିଆ ସିନେମା ଇତିହାସରେ ନୂଆ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ‘ସୀାତ ବିବାହ’ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା କିଏ ଦେଇଥିଲେ ତାହାକୁ ନେଇ ଦୀର୍ଘଦିନରୁ ଏକ ଭ୍ରାନ୍ତ ଧାରଣା ରହି ଆସିଥିଲା ବୋଲି ସପ୍ରମାଣ ଯୁକ୍ତି ରଖିଛନ୍ତି ଶ୍ରୀ ଦେଓ।
‘ସୀତା ବିବାହ’ର ସଂଗୀତକାର: ହରିଚରଣ ମହାନ୍ତି ନା ରାଧାରମଣ ରାୟ?
ଆଜି ‘ସୀତା ବିବାହ’ର ଜନ୍ମଦିନ, ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ଓଡ଼ିଶାରେ ମୁକ୍ତିଲାଭ କଲା ‘ସୀତା ବିବାହ’।
ଓଡ଼ିଆ ମନୋରଞ୍ଜନର ନୂଆ ମାର୍ଗ ଏହିଦିନ ଉନ୍ମୋଚିତ ହେଲା। କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ନା ଯଥାଯଥ ଗବେଷଣା ହୋଇଛି ନା ତାହାର ତଥ୍ୟ ସଂରକ୍ଷଣ ପାଇଁ ଉଦ୍ୟମ ହୋଇଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ଆମେ ହଜାଇ ସାରିଛୁ ଏବଂ ଏହା ସମ୍ବନ୍ଧିତ ଅଧିକାଂଶ ଦଲିଲ ମଧ୍ୟ। ଆଶ୍ଚର୍ଯ୍ୟ ଲାଗେ ଯେ ‘ସୀତା ବିବାହ’ର ଜନ୍ମଜାତକକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ଆମେ ଅନ୍ଧାରରେ ଥିଲୁ। କାର୍ତିକ ଘୋଷ ଯେଉଁ ତଥ୍ୟ ଓଡ଼ିଆ ଚଳଚ୍ଚିତ୍ର ଇତିହାସର ବହିରେ ଦେଲେ ତାକୁ ମୁଖସ୍ଥ କରି ଆମେ ଓଡ଼ିଆମାନେ ବାରମ୍ବାର କହିଲୁ ଓ ଲେଖିଲୁ ଯେ ଆମ ଚଳଚ୍ଚିତ୍ର ଜନ୍ମ ନେଲା ୧୯୩୪ରେ। ରାଜ୍ୟ ସରକାର ମଧ୍ୟ ସେ ତଥ୍ୟକୁ ମାନିନେଇ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳନ କଲେ। କିନ୍ତୁ ପରେ ପ୍ରାମାଣିକ ତଥ୍ୟ ମିଳିଲା, ତତ୍କାଳୀନ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦର ସନ୍ଧାନ ନିଆଗଲା ଓ ପ୍ରମାଣିତ ହେଲା ଯେ ଓଡ଼ିଶାରେ ଚଳଚ୍ଚିତ୍ର ‘ସୀତା ବିବାହ’ ୨୮ ଏପ୍ରିଲ ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା।
କିନ୍ତୁ ଅନ୍ୟାନ୍ୟ ତଥ୍ୟ ? କାର୍ତିକ ଘୋଷ ଯେଉଁ କେତେକ ଗୁରୁତର ଭୁଲ ତାଙ୍କ ରଚିତ ‘ଓଡ଼ିଆ ଚଳଚ୍ଚିତ୍ର ଇତିହାସ’ରେ ଲେଖିଛନ୍ତି ତାହାକୁ ଆମେ ଏପର୍ଯ୍ୟନ୍ତ ସ୍ଵୀକାର କରୁଛୁ। ଏପରିକି ଭୀମ ସିଂହ ମଧ୍ୟ ସେଠୁ ତଥ୍ୟ ନେଇ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ପୁସ୍ତକରେ ସେହି ସମାନ ଭୁଲ ତଥ୍ୟର ପୁନର୍ଲିଖନ କଲେ।
ଉଦାହରଣ ନିଆଯାଉ: ଉଭୟ କାର୍ତିକ ଘୋଷ ଓ ଭୀମ ସିଂହ ଲେଖିଲେ ଯେ ଶ୍ରୀ ହରିଚରଣ ମହାନ୍ତି ‘ସୀତା ବିବାହ’ର ସଂଗୀତକାର। ଆମେ ଆଖିବୁଜି ତାକୁ ସ୍ଵୀକାର କଲୁ। କାର୍ତିକ ଘୋଷ ଓ ଭୀମ ସିଂହ ସେ ସମ୍ବନ୍ଧରେ ପ୍ରାମାଣିକ ତଥ୍ୟ ବା ତଥ୍ୟସଂଗ୍ରହର ସୂତ୍ର ଦେଇ ନ ଥିଲେ। ଶ୍ରୀ ହରିଚରଣ ମହାନ୍ତି କିଏ? ତାଙ୍କ ସମ୍ପର୍କରେ ତତ୍କାଳୀନ ସମ୍ବାଦପତ୍ରରେ କୌଣସି ଲେଖା ନାହିଁ କି ତାଙ୍କ ନାମର ଉଲ୍ଲେଖ ନାହିଁ। ଏପରିକି ସେହି ସମୟର ପ୍ରଖ୍ୟାତ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କ ଜୀବନୀ ବା ଆତ୍ମଜୀବନୀରେ ମଧ୍ୟ ତାଙ୍କର ନାମ ଉଲ୍ଲେଖ ନାହିଁ।
ଅନ୍ୟପକ୍ଷରେ ୧୯୩୫ ମସିହା ଅଗଷ୍ଟ ୨୭ ତାରିଖ ମଙ୍ଗଳବାର ଦିନ କଟକରୁ ପ୍ରକାଶିତ ସାପ୍ତାହିକ ‘ଦେଶକଥା’ର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ‘ଓଡ଼ିଆ ସବାକ ଚଳଚ୍ଚିତ୍ର’ ସମ୍ବାଦ ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। (ତଳେ ଫଟୋ ସଂଲଗ୍ନ)
‘ଦେଶକଥା’ର ସମ୍ପାଦକୀୟ ପୃଷ୍ଠାରେ ଯାହା ଲେଖାଥିଲା ତାହାର ଅବିକଳ ନକଲ ଏହିପରି:
ନିକଟରେ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ବାହାରିବା ପାଇଁ ଯୋଗାଡ ଚାଲିଛି। ଶ୍ରୀଯୁକ୍ତ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ କବିରାଜ ଶ୍ରୀ ରାଧାରମଣ ରାୟ ଏଥିପାଇଁ କଲିକତା କାଳୀ ଫିଲିମସ ସହିତ ଏଗ୍ରିମେଣ୍ଟ କରି ସାରିଲେଣି। ସମୁଦାୟ ୨୨ ହଜାର ଟଙ୍କା ଖର୍ଚ ହେବ। ସ୍ବର୍ଗତ କାମପାଳ ମିଶ୍ରଙ୍କ ନାଟକର ଫିଲିମ ଉଠାଯିବ। ଭଲ ଭଲ ଅଭିନେତା ଅଭିନେତ୍ରୀ ଯୋଗାଡ କରିବାକୁ କମ୍ପାନୀ ତରଫରୁ ଏମାନେ ୫ ଶତ ଟଙ୍କା ଅଗ୍ରୀମ ପାଇଥିବାର ପ୍ରକାଶ। ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ଅଭିନେତା ଅଭିନେତ୍ରୀମାନେ କଲିକତା ଯିବେ ଓ ସେଠାରେ ତିନି ମାସ ଶିକ୍ଷା ପାଇବେ।
ଏଠାରେ ପ୍ରଶ୍ନ ଉଠେ କବିରାଜ ରାଧାରମଣ ରାୟ କିଏ? ରେକର୍ଡ ସଂଗ୍ରାହକ ଇନ୍ଦ୍ରମଣି ସାହୁ ଓ ୟୁ ଟ୍ୟୁବରେ ଉପଲବ୍ଧ ଥିବା https://www.youtube.com/channel/UCWj2bWWlL-CfoYxpMd1ldSw Odia Melody ରେ ରାଧାରମଣ ରାୟଙ୍କ ସଂଯୋଜିତ ଅନେକ ଗୀତ ଓ ଗାୟନ ରହିଛି। କବିଚନ୍ଦ୍ର କାଳୀଚରଣ ମଧ୍ୟ ନିଜ ଆତ୍ମଜୀବନୀ କୁମ୍ଭାରଚକରେ କବିରାଜ ରାଧାରମଣ ରାୟଙ୍କ ସବିଶେଷ ଲେଖିଛନ୍ତି। କବିରାଜ ରାଧାରମଣ ରାୟଙ୍କ ପ୍ରତିଷ୍ଠିତ ଥିଏଟର କମ୍ପାନୀରେ ପରବର୍ତୀ କାଳର ପ୍ରଖ୍ୟାତ ଓଡିଶୀ ଗୁରୁ ଦେବପ୍ରସାଦ ଦାସ ନିଜ ଶୈଶବ କାଳରେ ଯୋଗ ଦେଇ ନୃତ୍ୟ ଶିକ୍ଷା କରିଛନ୍ତି। ଅତଏବ ସ୍ପଷ୍ଟ ଯେ କବିରାଜ ରାଧାରମଣ ରାୟ ଥିଲେ ସେହି ସମୟର ଜଣେ ପ୍ରସିଦ୍ଧ ସଂଗୀତକାର ଓ ନାଟ୍ୟଗୁରୁ। କିନ୍ତୁ ଏତିକି ତଥ୍ୟ କ’ଣ ପ୍ରମାଣିତ କରୁଛି ସେ ‘ସୀତା ବିବାହ’ର ସଂଗୀତକାର? ‘ସୀତା ବିବାହ’ ସହ ତାଙ୍କ ସମ୍ପୃକ୍ତି ଥାଇପାରେ, କିନ୍ତୁ ସେ ଏହାର ସଂଗୀତକାର ବୋଲି ପ୍ରମାଣ କଣ ? ଇତିହାସ ପାଇଁ ଯେ ପ୍ରାମାଣିକ ତଥ୍ୟ ଓ ଦଲିଲ ଆବଶ୍ୟକ।
ଏହି ଲେଖା ସହ ସମ୍ପୃକ୍ତ ଦ୍ବିତୀୟ ଫଟୋଟି ଦେଖନ୍ତୁ। ୧୯୮୯ ମସିହା ୧୯ରୁ ୨୫ ମାର୍ଚ୍ଚ ପ୍ରଜାତନ୍ତ୍ର ସାପ୍ତାହିକୀରେ ପ୍ରକାଶିତ ‘କବିରାଜ ରାଧାରମଣ ରାୟଙ୍କ ବ୍ୟକ୍ତିତ୍ୱ’। ଏହା ତାଂକ ଜୀଵଦଶାର ପ୍ରକାଶିତ ଓ ଏଥିରେ ସେ ‘ସୀତା ବିବାହ’ର ସଂଗୀତକାର ବୋଲି ଉଲ୍ଲେଖ ରହିବା ସହ ‘ସୀତା ବିବାହ’ର ନାରଦ ଭୂମିକାରେ ସେ ଅଭିନୟ କରିଥିଲେ ବୋଲି ପ୍ରକାଶ ପାଇଛି।
ଏ ତଥ୍ୟ ପରେ ଏହାକୁ ପରୀକ୍ଷା କରିବା କେତେ ସତ? ‘ସୀତା ବିବାହ’ର ଗ୍ରାମଫୋନ୍ ରେକର୍ଡକୁ ଶୁଣିବା ପାଇଁ ଉପରେ ଦିଆଯାଇଥିବା ୟୁଟ୍ୟୁବ୍ ଲିଙ୍କ Odia Melodyରେ ଉପଲବ୍ଧ ରହିଛି। ସେଥିରେ ନାରଦଙ୍କ ସଂଳାପ ବି ଅଛି। Odia Melody ରେ କବିରାଜ ରାଧାରମଣ ରାୟଙ୍କ ଅନ୍ୟ ଗ୍ରାମଫୋନ ରେକର୍ଡ ମଧ୍ୟ ଶୁଣିହେବ। ମୁଁ ଶୁଣିଲି। ଉଭୟ ସ୍ୱର ଏକା। ମୋର ହୃଦବୋଧ ହେଲା ଯେ ଏହି ତଥ୍ୟ ସବୁ ସତ। ‘ସୀତା ବିବାହ’ ସମ୍ପର୍କିତ ଅନ୍ୟ ଯେତେ ଦଲିଲ ଓ ସମ୍ବାଦପତ୍ର ପ୍ରକାଶନ ମୁଁ ପାଇଛି କୋୖଣସି ଲେଖାରେ ହରିଚରଣ ମହାନ୍ତିଙ୍କ ନାମ ନାହିଁ। ‘ସୀତା ବିବାହ’ର ଗ୍ରାମଫୋନ ରେକର୍ଡରେ ବି ସଂଗୀତକାରଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ।
ମୋର ମନେ ହେଲା ଯେ ଯେ ରାଧାରମଣ ରାୟ ହିଁ ‘ସୀତା ବିବାହ’ର ସଂଗୀତକାର। ପରେ ୧୯୫୧ ମସିହାର ଚଳଚ୍ଚିତ୍ର ‘ରୋଲସ ଟୁ ଏଇଟ’ ପାଇଁ ସେ ଗୀତ ଲେଖିଥିଲେ ଓ ଗାଇଥିଲେ। ‘ରୋଲସ ଟୁ ଏଇଟ’ ଗ୍ରାମଫୋନ୍ ରେକର୍ଡରେ ଅବଶ୍ୟ ଏହା ଲେଖା ଅଛି।


( ଏ ସମ୍ବନ୍ଧିତ ଆହୁରି ଅନେକ ତଥ୍ୟ ଓ ଦଲିଲ ଅଛିି, ଯଦି ଆଉ କିଛି ତଥ୍ୟ କାହା ପାଖରେ ଅଛି ବା କବିରାଜ ରାଧାରମଣ ରାୟଙ୍କ କେହି ସମ୍ପର୍କୀୟ ଯଦି ଏ ଲେଖା ପଢ଼ନ୍ତି ତେବେ ଯୋଗାଯୋଗ କରିବାକୁ ଅନୁରୋଧ, ହୁଏତ ଆଉ ନୁଆ କିଛି ତଥ୍ୟ ମିଳିପାରେ)
Comments are closed.