କରୋନା: ୩ ନୂଆ ଜିଲ୍ଲାରେ କୋଲକାତା ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଛି।
କେନ୍ଦୁଝର, ଦେଓଗଡ଼ ଓ ଝାରସୁଗୁଡ଼ାରେ ୩ ଜଣ ଆକ୍ରାନ୍ତ ଠାବ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ସକାଳେ ଭୁବନେଶ୍ବରରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଠାବ ହୋଇଥିଲେ । ପ୍ରଥମଥର ପାଇଁ ରାଜ୍ୟର ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ମିଳିଥିବା ବେଳେ ସମସ୍ତେ କୋଲକାତା ଫେରନ୍ତା ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
କେନ୍ଦୁଝରର ପଞ୍ଚପଲ୍ଲୀରେ ଜଣେ ୬୦ ବର୍ଷ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦେଓଗଡ଼ ଜିଲ୍ଲାର ବାସୁଦେବପୁରରେ ଜଣେ ୩୪ ବର୍ଷୀୟ ପୁରୁଷଙ୍କର ମଧ୍ୟ ସମଦଶା। ଝାରସୁଗୁଡ଼ାର ବ୍ରଜରାଜ ନଗରରେ ଜଣେ ୧୮ ବର୍ଷର ମହିଳା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି। ଆଜିକୁ ମିଶାଇ ରାଜ୍ୟରେ ୧୪ଟି ଜିଲ୍ଲାକୁ କରୋନା ଭୂତାଣୁର ସଂକ୍ରମଣ ବ୍ୟାପିଛି। ପାଖାପାଖି ଅଧା ରାଜ୍ୟ ଏବେ କରୋନା ସଂକ୍ରମିତ ହୋଇଛି।
Comments are closed.