ଦେଶରେ ୨୭.୧%କୁ ବୃଦ୍ଧି ପାଇଲା ବେକାରି ସମସ୍ୟା
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ପାଇଁ ସାରା ଦେଶ ଲକ୍ଡାଉନ୍। ଏପରିକି କେତେକ ସ୍ଥାନରେ ସଟ୍ ଡାଉନ୍ ହୋଇଛି ମଧ୍ୟ। ବର୍ତ୍ତମାନ ସମୟରେ ଜୀବନ ଯାତ୍ରା ଏକଦମ୍ ଠପ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାରି ମଧ୍ୟରେ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି।
ଗତ ଏପ୍ରିଲ୍ ମାସରେ ଦେଶର ବେକାରି ହାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଏହି ମାସରେ ବେକାରି ହାର ୨୭.୧ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମୁମ୍ବାଇର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) କହିଛି। କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍ଡାଉନ୍ ପ୍ରଭାବରେ ବେକାରିଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ବେକାରି ହାରର ଅର୍ଥ ହେଉଛି ଅର୍ଥନୀତିରେ କର୍ମ କ୍ଷେତ୍ରରେ ନିୟୋଜିତ ହୋଇଥିବା ଲୋକଙ୍କ ମଧ୍ୟରୁ କେତେ ଲୋକ ବେକାର ହୋଇଛନ୍ତି। ସିଏମ୍ଆଇଇର ସଦ୍ୟତମ ରିପୋର୍ଟ ଅନୁସାରେ ୨୭.୧ ପ୍ରତିଶତ ଲୋକ ବେକାର ହୋଇଥିବେ ଜଣାପଡ଼ିଛି।
ଦେଶରେ ଏବେ ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଲାଗୁ ହୋଇଛି ଯାହାର ଅବଧି ଚଳିତ ମାସ ୧୭ରେ ଶେଷ ହେବ। ଏହା ପରେ ଜୀବିକା କ୍ଷେତ୍ରରେ ଦ୍ରୁତ ସୁଧାର ଘଟିବ ବୋଲି ସିଏମ୍ଆଇଇ ଜଣାଇଛି। ୨୦୧୬ ପର ଠାରୁ ଏହି ସଂସ୍ଥା ବେକାରି ହାରକୁ ନେଇ ରିପୋର୍ଟ ପ୍ରକାଶ କରିବା ଆରମ୍ଭ କରିଥିଲା। ସେହିଦିନ ଠାରୁ ଏହାର ରିପୋର୍ଟ ଶ୍ରମ ବଜାର ସ୍ଥିତିକୁ ଉପସ୍ଥାପିତ କରୁଛି।
ଶ୍ରମ ଶକ୍ତି କହିଲେ ଏହା ବୁଝିବାକୁ ହେବଯେ ଦେଶରେ କେତେ ଲୋକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି, କେତେ ଲୋକ କାମଧନ୍ଦା ସନ୍ଧାନରେ ଅଛନ୍ତି ଏବଂ କେତେ ଲୋକ ସମ୍ପୂର୍ଣ୍ଣ ବେକାର ଅଛନ୍ତି। ସିଏସ୍ଆଇଇ ବେକାରି ହାରକୁ ନେଇ ସର୍ଭେ କରିବା ବେଳେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଭୌଗୋଳିକ କ୍ଷେତ୍ରର ମାସିକ ୪୩,୬୦୦ ପରିବାରକୁ ବିଚାରକୁ ନେଇଥାଏ। କରୋନା ସଙ୍କଟ ଆରମ୍ଭ ହେବା ପୂର୍ବରୁ ଦେଶର ଅର୍ଥନୀତିର ଅବସ୍ଥା ଭଲ ନଥିଲା। ଅଭିବୃଦ୍ଧି ହାର ନିମ୍ନ ସ୍ତରକୁ ଖସିଯାଇଥିଲା। ଏହା ପରେ ଏତେ ବଡ଼ ସଙ୍କଟ ସାମ୍ନା କରୁଥିବା ଭାରତର ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ବୋଲି ଅନେକ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି। କିଛି ଅର୍ଥନୀତିଜ୍ଞ କହିଛନ୍ତି ଯେ ଘୋର ମାନ୍ଦାବସ୍ଥା ଭଳି ସ୍ଥିତି ସୃଷ୍ଟି ହୋଇପାରେ।
Comments are closed.