ବସ୍ ଗଡ଼ିବ, ଭଡ଼ା ବଢ଼ିବ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ଗ୍ରୀନ୍ ଜୋନ୍ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଗଣମାଧ୍ୟମକୁ କହିଛନ୍ତି।
ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିବ। ଗ୍ରୀନ୍ ଜୋନ୍ରେ ଚାଲିବାକୁ ଥିବା ବସ୍ର ଭଡ଼ା ଦ୍ୱିଗୁଣିତ ହେବ। ଯେହେତୁ ୫୦ ପ୍ରତିଶତ ଲୋକ ବସ୍ରେ ଯାତାୟତ କରିବେ ତେଣୁ ବସ୍ ମାଲିକଙ୍କ ଭରଣା ପାଇଁ ଏପରି ଭଡ଼ାକୁ ବଢ଼ା ଯାଇପାରେ। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ରେ ଥିଲା ଯାହା ଏବେ ରେଡ୍ ଜୋନ୍ ହୋଇଛି। ସେହିପରି କିଛି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସେଠି ରେଡ୍ ଜୋନ୍ ଭଳି ନିୟମ କାର୍ଯ୍ୟକାରୀ ହୋଇଛି। ତେଣୁ ବସ୍ ଚଳାଚଳ କରିବାରେ ଏବେ ଅସୁବିଧା ଉପୁଜିଛି। ଏନେଇ ଦିନେ ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍।କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
Comments are closed.