ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ ବୃଦ୍ଧି କରାଯାଉ: ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ବର: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ମାସରୁ ସରିଥିବା ସତ୍ତ୍ବେ ମହାମାରୀ କରୋନା ଭାଇରସ୍ ଓ ଳକ୍ଡାଉନ୍ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରିଛି।
ବର୍ତ୍ତମାନ ଏହି ଭୟାଭୟ ପରିସ୍ଥିତି ରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ବିମା ରେ ମଧ୍ୟ ସାମିଲ୍ କରିଛନ୍ତି।କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ପରିଗଣିତ କରିଥିଲେ ବି ସରକାରୀ ବିମାରେ ଅନ୍ତର୍ଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ଯାହା ଆମ ପରି ଅସହାୟ ଅତି କମ୍ ଦରମା ପାଉଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଛି ଏବଂ କରୋନା ଯୋଦ୍ଧା ଭାବରେ ଲଢିବାର ଉତ୍ସାହକୁ କମେଇଦେଇଛି। ତେଣୁ ସରକାରଙ୍କ ପାଖରେ ଆମର କିଛି ଦାବି ଉପସ୍ଥାପନ କରିଛନ୍ତି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ।
ସାରା ଓଡିଶାରେ ସରକାର ମାତ୍ର ୬୦ ଟି ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ କରିଛନ୍ତି,ଯାହା ବର୍ତ୍ତମାନର ଏହି ପରିସ୍ଥିତି ରେ ପର୍ଯ୍ୟାପ୍ତ ନୁହଁ। ଗୋଟିଏ ସେଣ୍ଟର୍ ରେ ଏତେ ସଂଖ୍ୟକ ନିରୀକ୍ଷକ ଯୋଗଦେଲେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯେହେତୁ ସାମାଜିକ ଦୂରତା କୁ ଠିକ୍ ଭାବରେ ପାଳନ କରିହେଵନାହିଁ।ତେଣୁ ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ ସଂଖ୍ୟା ଅତିକମ୍ ରେ ସାରା ଓଡିଶା ପାଇଁ ୧୨୦ ଟି କରାଯାଉ ଏବଂ ଗୋଟିଏ ବିଷୟକୁ ଅଲଗା ଅଲଗା ପର୍ଯ୍ୟାୟ କ୍ରମେ ମୂଲ୍ୟାୟନ କରାଯାଇ ସାରିଲା ପରେ ଆଉ ଏକ ବିଷୟକୁ ପୁଣି ସେହି ନିୟମରେ ମୂଲ୍ୟାୟନ କରାଯାଉ। ସମସ୍ତ ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ ରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଉ।ମାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ “ସ୍ବତନ୍ତ୍ର କିଟ୍ସ୍” ଯଥା ମାସ୍କ୍,ଗ୍ଲୋବ୍ସ୍ ଏବଂ ସାନିଟାଇଜର୍ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
ନିକଟରେ ମାତୃତ୍ବଲାଭ କରିଥିବା ତଥା ମାତୃତ୍ବଲାଭ କରିବାକୁ ଯାଉଥିବା ଏବଂ ଶାରୀରିକ ଅସୁସ୍ଥ ଥିବା ଶିକ୍ଷୟିତ୍ରୀ ଙ୍କୁ ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନରୁ ବାଦ୍ ଦିଆଯାଉ।ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ତଥା କରୋନା ମୁକାବିଲାରେ ସାମିଲ୍ ହୋଇଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ସମସ୍ତଙ୍କୁ ସରକାରୀ ବିମାରେ ଅର୍ନ୍ତଭୁକ୍ତ କରିବାକୁ ଆଦି ଦାବିଗୁଡିକୁ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି,ସଭାପତି ଶୁଭ୍ରଜିତ୍ ପ୍ରତିହାରୀ,ସଂପାଦକ ନିରୋଦ ରଥ,କୋଷାଧ୍ଯକ୍ଷ ନବଜ୍ୟୋତି ମହାପାତ୍ର, କାର୍ଯ୍ୟକାରୀ ସଂପାଦକ ବିଶ୍ବଜିତ୍ ବିଶ୍ବାଳ,କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା,ଦେବାଶିଷ ନାୟକ,ଅଜୟ କୁମାର ସାହୁ,ସୌମ୍ୟରଞ୍ଜନ ମଲ୍ଲିକ୍,ସୌମ୍ୟରଞ୍ଜନ ପ୍ରଧାନ,ମନୋହର ଦାସ୍,ପ୍ରତାପ୍ ସାମଲ୍,ଶିବଶଙ୍କର ସାମଲ୍,ରାଜେନ୍ଦ୍ର ମଲ୍ଲିକ୍,ଶୁଭସୁନ୍ଦର ପଣ୍ଡା ଏବଂ ଚନ୍ଦ୍ରକାନ୍ତ ଜେନା ଆଦି ପ୍ରମ୍ମୁଖ ଦାବି ଜଣାଇଛନ୍ତି ।
Comments are closed.