ଅଭିନବ ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କୁ ଦେଖି ମୁହଁ ବୁଲାଇଦେଲେ ସ୍ବାସ୍ଥ୍ୟକର୍ମୀ
ଓଏଲ୍ ବ୍ୟୁରୋ: ମହାମାରୀ କରୋନକୁ ନେଇ ସାରା ବିଶ୍ବରେ ସଙ୍କଟ ଦେଖାଦେଇଛି। ଏହି ମହାମାରୀରେ ପ୍ରମୁଖ ଯୋଦ୍ଧା ହେଲେ ସ୍ବାସ୍ଥ୍ୟକର୍ମୀ ମାନେ। ହେଲେ ବିଭିନ୍ନ ଜାଗାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର ଅବହେଳା କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏପରି ଏକ ଖବର ବେଲଜିୟମରୁ ଆସିଛି। ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଅଭିନବ ଭାବେ ଏହାର ପ୍ରତିବା କରିଛନ୍ତି।
ବେଲଜିୟମ୍ ପ୍ରଧାନମନ୍ତ୍ରୀ ସୋଫୀ ବିଲ୍ମେସ୍ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ସହିତ ବ୍ରସେଲ୍ସର ସେଣ୍ଟ ପିଟର ହସ୍ପିଟାଲ ଗସ୍ତ କରିବା ସମୟରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ବାହାରେ ଦୁଇପାର୍ଶ୍ଵରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଜୋରଦାର ସ୍ବାଗତ କରିବା ବଦଳରେ ତାଙ୍କୁ ଦେଖି ମୁହଁ ବୁଲାଇ ଛିଡ଼ା ହୋଇଥିଲେ। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବେଲ୍ଜିୟମରେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି। ୫୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୯ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି। କିନ୍ତୁ ସେଠାରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ଯେତେବେଳେ ପିଟର ହସ୍ପିଟାଲକୁ ସ୍ଥିତି ପରଖିବାକୁ ଯାଇଥିଲେ ସେତେବେଳେ କର୍ମଚାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ଲାଗି ଏଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ।
Comments are closed.