Odisha Link
Bridging the Missing Links in Odisha

“ଅମ୍ପାନ୍”: ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ଗତି କରୁଛି

ଭୁବନେଶ୍ବର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି “ଅମ୍ପାନ୍”। ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୨୫ କିଲୋମିଟର ଦୂରରେ ଗତି କରୁଛି “ଅମ୍ପାନ୍”। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି।ଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍.ଆର୍‍. ବିଶ୍ୱାସ ସୂଚନା ଦେଇଛନ୍ତି।

ଆଜି ଅପରାହ୍ନରୁ ସଂନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦିଘା ଏବଂ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ସୁନ୍ଦରବନ ନିକଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ “ଅମ୍ପାନ୍”। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳ ବିଶେଷରେ ୧୮୫ କିଲୋମିଟର ବେଗ ହୋଇପାରେ।

“ଅମ୍ପାନ୍” ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ତଥା ଆଖପାଖ ଜିଲ୍ଲାଗୁଡ଼ିକରେ ଗତକାଲିଠାରୁ ବର୍ଷା ଆଉ ପବନ ଲାଗି ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜରେ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପବନର ବେଗ ୧୧୦ରୁ ୧୨୫ କିଲୋମିଟର ପାଖାପାଖି ହୋଇପାରେ। ଓଡ଼ିଶା ସୀମାରେ ଏହା ଘଷି ହୋଇଯିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା କରାଯାଉଛି। ବର୍ଷା ପବନ ସମୟରେ ବାହାରକୁ ନ ବାହାରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ପୁରୀ, ଖୋର୍ଦ୍ଧା ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୬୫ କିଲୋମିଟରରୁ ସ୍ଥଳ ବିଶେଷରେ ୭୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଏଥିସହିତ ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comments are closed.