ନବୀନଙ୍କ ଆହ୍ବାନ: ମେ’ ୩୦ରେ ବିଶ୍ବସାରା ଓଡ଼ିଆ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର: କେବଳ ଓଡ଼ିଶାରେ ନୁହେଁ, ବିଶ୍ବର କୋଣ ଅନୁକୋଣରେ ଓଡ଼ିଆମାନେ ଯିଏ ଯେଉଁଠି ଅଛନ୍ତି, ଆଗାମୀ ମେ’ ୩୦ ତାରିଖରେ ନିଜର ଏକତା ଦେଖାଇବେ। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ମେ’ ୩୦ ସଂଧ୍ୟା ୫ଟା ୩୦ରେ ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପ୍ରତି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଓଡ଼ିଶାକୁ ଆସିବା ଦୁଇମାସରୁ ଅଧିକ ହେଲାଣି। କରୋନା ମୁକାବିଲା ନେି ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶଂସନୀୟ ହୋଇଛି। ଓଡ଼ିଶା ଏବେ ସାରା ବିଶ୍ବରେ ଉଦାହରଣ ପାଲଟିଛି। ଓଡ଼ିଶାର ମୃତ୍ୟୁହାର ସାରା ବିଶ୍ବରେ ସର୍ବନିମ୍ନ। ରାଜ୍ୟରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେଣି। ବଡ଼ ବଡ଼ ଧନୀ ରାଜ୍ୟ ମଧ୍ୟ କରୋନାରେ ଓଡ଼ିଶା ଭଳି ସଫଳତା ପାଇନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ସଫଳତାର ଶ୍ରେୟ ସେ କୋଭିଡ୍ ଯୋଦ୍ଧାଙ୍କୁ ଦେଇଛନ୍ତି। କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତିବଦ୍ଧତା ଓ ନିଷ୍ଠା ଯୋଗୁଁ ଆମେ ସଫଳତା ପାଇଛେ ବୋଲି କହିଛନ୍ତି ନବୀନ। ସେମାନଙ୍କ ସମ୍ମାନ ଜରାଇ ଓ ଉତ୍ସାହିତ କରିବା ଲାଗି ଶନିବାର ସଂଧ୍ୟା ୫ଟା ୩୦ରେ ସମୁହ ବନ୍ଦେ ଉତ୍କ ଜନନୀ ଗାନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ଯିଏ ଯେଉଁଠି ଅଛନ୍ତି ଏହି ଗାନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ବିଶ୍ବର କୋଣ ଅନୁକୋଣରେ ଥିବା ଓନିଆମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.