Odisha Link
Bridging the Missing Links in Odisha

ଦୂରଦର୍ଶନ କରିବ ସ୍ନାନଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର: ଆଜି ମଧ୍ୟରାତ୍ରୀ ପରେ ମହାପ୍ରଭୁଙ୍କ ଆରମ୍ଭ ହେବ ସ୍ନାନଯାତ୍ରା। ହେଲେ ଚଳିତ ବର୍ଷ ବଡ଼ଦାଣ୍ଡରେ ଠିଆ ହୋଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏପରିକି ଗଣମାଧ୍ୟମଗୁଡ଼ିକ ମଧ୍ୟ ବଡ଼ଦାଣ୍ଡରୁ ଏହାର ସିଧା ପ୍ରସାରଣ କରିପାରିବେ ନାହିଁ ।

ତେବେ ଖୁସିର କଥା, ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ଦୂରଦର୍ଶନ ସ୍ନାନଯାତ୍ରାର ସିଧାପ୍ରସାରଣ କରି ଏହାର ସିଗ୍ନାଲ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାଙ୍କୁ ପ୍ରଦାନ କରିବେ। ସାଟେଲାଇଟ ଜରିଆରେ ଏହି ଲିଙ୍କ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରିବ । ଯାହାର ଲିଙ୍କ ହେଉଛି ଜିଏସଏଟି-୧୭ଏଚଡି୧୦୮୦ ଆଇ ଡିଭିଡି ଏସ୨ ଏମପିଇଜି୪ ବୋଲି ପ୍ରଶାସନ ସୂଚନା ଦେଇଛି। ସାଟେଲାଇଟ ଜରିଆରେ ଏହି ସେବା ପ୍ରଦାନ କରାଯିବ । କୌଣସି ପରିସ୍ଥିତିରେ ଓବି ଭ୍ୟାନକୁ ଶ୍ରୀମନ୍ଦିର ନିକଟକୁ ଛଡ଼ାଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ:
ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ।ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ ତଡ଼ପ ଲାଗି ଓ ୬ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ। ୭ଟା ୩୦ରୁ ୯ଟା ୩୦ ଯାଏ ଜଳ ବିଜେ, ପୂଜା, ସ୍ନାନ ନୀତି କରାଯିବ। ଦିନ ୧୦ଟା ୩୦ରେ ଛେରା ପହଁରା ନୀତି, ଦିନ ୧୧ଟାରୁ ୧୨ଟା ଶ୍ରୀଜିଉଙ୍କ ହାତୀ ବେଶ ହେବ । ଚଳିତ ବର୍ଷ ବନ୍ଦ ରହିବ ଶ୍ରୀଜିଉଙ୍କ ସାହାଣମେଲା ନୀତି । ସନ୍ଧ୍ୟା ୫ଟାରୁ ୮ଟା ବାହୁଡ଼ା ପହଣ୍ଡି କରାଯିବ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ।

Comments are closed.