ଆଜି ସ୍ନାନଯାତ୍ରା: କେମିତି ହୁଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ, ଜାଣନ୍ତୁ..
ଓଏଲ୍ ବ୍ୟୁରୋ: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିିମା। ଶ୍ରୀମନ୍ଦିର ପରିସରରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ନୀତିକାନ୍ତି। ହେଲେ ମହାମାରୀ କରୋନା ଓ ଲକ୍ଡାଊନ୍ କଟକଣା ଯୋଗୁଁ ପ୍ରଥମ ଥର ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ବିନା ହେଉଛି ସ୍ନାନଯାତ୍ରା। ତେବେ ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇଥାଏ କିପରି?
ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ଶେଷ ହେବା ପରେ ବିଗ୍ରହମାନଙ୍କର ମୁଖ ବସ୍ତ୍ରାଚ୍ଛାଦିତ ହେବା ପରେ ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଚାରମାର ବନ୍ଧା ଯାଇଥାଏ। ପରେ ମହାସ୍ନାନ ଓ ବେଶ, ବଡ଼ସିଂହାର ଓ ପହୁଡ଼ ଆଳତି ବଢ଼ିବା ପରେ ଠାକୁରମାନଙ୍କ ନିଦ୍ରାଭଙ୍ଗ ପୂର୍ବକ ଶ୍ରୀଦେବୀ ଓ ମଦନମୋହନ ଦକ୍ଷିଣ ଘରକୁ ଏବଂ ଭୁଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ ହୁଅନ୍ତି।
ସେହି ରାତ୍ରରେ ଠାକୁରମାନଙ୍କ ସେନାପଟା ଲାଗି ବଢ଼ି ଯାଇଥାଏ। ଏଥିରେ ପଟା, ବାହୁଟି, କାନୁଆସି, ଘୋଡ଼, ଶୁକ୍ଳ ଚାଦର, ମୁଠି ମାଠ, କୁସୁସୀ ଚାଦର, ପତନି, ବୋଇ ରାଣୀ ଦ୍ୱାରା ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ବିଧି ପୂର୍ବକ ଶ୍ରୀଜୀଉମାନଙ୍କ ମଙ୍ଗଳାର୍ପଣ ନୀତି ବଢ଼ିବା ପରେ ଡୋର ଲାଗି ହୋଇ ଘଣ୍ଟ, ଛତ୍ର, କାହାଳି ସହ ଧାଡ଼ି ପହଣ୍ଡି ବିଜେ ହୋଇ ଯଥାକ୍ରମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ସ୍ନାନ ବେଦୀ ଉପରେ ଅଧିଷ୍ଠିତ କରାଯାଇଥାଏ।
ଏହାପରେ ମଦନମୋହନଙ୍କୁ ମହାଜନମାନେ ହସ୍ତରେ ବିଜେ କରି ସ୍ନାନ ମଣ୍ଡପ ଉପରକୁ ନେଇଥାନ୍ତି। ଏହାପରେ ପାଳିଆ ସେବାୟତମାନେ ତିନି ବାଡ଼ରେ ଠାକୁରମାନଙ୍କ ଆରତୀ କରିଥାନ୍ତି। ଅବକାଶ, ତଡ଼ପ ଉତୁରୀ ଓ ମଇଲମ ଇତ୍ୟାଦି ପରେ ମୁଖ ପଖାଳ ସେବକ ପିଢ଼ା, ଖଟୁଳି, ରୂପାଗରା, ପିଙ୍ଗଣ, ସୁନା ଜିଭ ଛେଲା, ଦାନ୍ତକାଠି, ଦହି, କର୍ପୂର, ପୂଷ୍ପ ଇତ୍ୟାଦି ଯଥା ସ୍ଥାନରେ ରଖିବା ପରେ ଦତ୍ତ ମହାପାତ୍ରମାନେ କର୍ପୂର ଜଳ ଓ ଶୁକ୍ଳ ବସ୍ତ୍ରରେ ଶ୍ରୀମୁଖ ପୋଛି ଥାଆନ୍ତି।
ସ୍ନାନନୀତି ପୂର୍ବରୁ ପ୍ରତିହାରୀ ସେବକମାନେ ସ୍ନାନମଣ୍ଡପର ଚାରିପାଖରେ ଟେରା ବାନ୍ଧିବା ପରେ ସୁଆରବଢ଼ୁ ପାଣି ପକାଇ ମଣ୍ଡପଟିକୁ ପରିଷ୍କାର କରିଥାନ୍ତି ଏବଂ ପତ୍ରିବଡୁ ସ୍ନାନବେଦୀର ସିଂହାସନ ଉପରେ ପୂଜାପାଠ କରିଥାନ୍ତି। ଏହି ସମୟରେ ଠାକୁରମାନେ ବୋଇରାଣୀ ସଜ ଲାଗି ହୋଇଥାନ୍ତି। ସ୍ନାନବେଦୀ ଅନୁଷ୍ଠିତ ହେବା ସମୟରେ ପ୍ରତିହାରୀ ସେବକମାନେ ଜଳବିଜେ କରିବା ପାଇଁ ହାତରେ ଯୋଡ଼ି ବେତ ଧରି ଡାକିଥିବା ପରେ ଗରାବଡ଼ୁ ସେବକମାନେ ମୁହଁରେ ଗାମୁଛା ଦେଇ ତୁଣ୍ଡି ବାନ୍ଧି ଜଳ ବିଜେ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ପୂର୍ବରୁ ଶୀତଳା ଦେବୀ ସମ୍ମୁଖସ୍ଥ ସ୍ୱର୍ଣ୍ଣକୂପରୁ ୧୦୮ ଗଡ଼ୁ (କୁମ୍ଭ)। ଜଳ ଅଧିବାସ ଘର ସରଘରକୁ ଅଣାଯାଇଥାଏ।
ଏହି ୧୦୮ ଗରା ବା ଗଡ଼ୁ ଜଳ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ୩୫ ଗଡୁ, ଶ୍ରୀ ବଳଭଦ୍ରଙ୍କ ୩୩ ଗଡ଼ୁ, ସୁଭଦ୍ରାଦେବୀଙ୍କ ୨୨ ଗଡ଼ୁ ଓ ଶ୍ରୀ ସୁଦର୍ଶନଙ୍କ ନିମନ୍ତେ ୧୮ ଗଡ଼ୁ ଜଳ ପୃଥକ ପୃଥକ ଭାବେ ଚନ୍ଦନ, କର୍ପୂର, କେଶର ଆଦି ମିଶ୍ରିତ ହେବା ପରେ ନବବସ୍ତ୍ର ଓ ନଡ଼ିଆ ଇତ୍ୟାଦି ସଂସ୍ଥାପନ ପୂର୍ବକ ଅଧିବାସିତ ହୋଇରହିଥାଏ। ଗରାବଡ଼ୁ ସେବକମାନେ ଗଡ଼ୁ ଧରି ଜଳ ବିଜେ କରିବା ସମୟରେ ଘଣ୍ଟ, ଛତ୍ର, କାହାଳୀ ଆଗେ ଆଗେ ଥାଆନ୍ତି ଓ ତଳୁଚ୍ଛଙ୍କୁ ପ୍ରଧାନୀ ହାତ ପଇଠ ଦେଇ ଆଗରେ ଯାଆନ୍ତି। ଜଳ ବିଜେ ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ଉକ୍ତ ସ୍ନାନଜଳ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ। ପୂଜା ଶେଷ ପରେ ସେହି ପବିତ୍ର ଜଳରେ ଦାରୁ ବିଗ୍ରହ ମାନଙ୍କୁ ସ୍ନାନ କରାଯାଏ।
Comments are closed.