ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦ ବର୍ଷ ପୁରୁଣା ମନ୍ଦିର
ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍ଟାକ୍) ପକ୍ଷରୁ ‘ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ’ (Mahanadi Valley Heritage Sites Documentation project) କାର୍ଯ୍ୟ ବେଳେ ଭାପୁର ବ୍ଲକ୍ ପଦ୍ମାବତୀ ଗ୍ରାମ ନିକ ମହାନଦୀ ଗର୍ଭରେ ଏହି ମନ୍ଦିର ଚୂଡ଼ା ଠାବ ହୋଇଛି। ତେବେ ଏଠାରେ ମନ୍ଦିର ଠାବ ହେବା ପ୍ରଥମ ଘଟଣା ନୁହେଁ। ୧୧ ବର୍ଷ ତଳେ ମଧ୍ୟ ସମାନ ମନ୍ଦିର ମହାନଦୀରୁ ଫୁଟି ବାହାରିଥିବା ସୂଚନା ମିଳିଛି। ସ୍ଥାନୀୟ ଐତିହ୍ୟପ୍ରେମୀ ରବୀନ୍ଦ୍ର କୁମାର ରଣାଙ୍କ ସହଯୋଗରେ ଏଠାରେ ପ୍ରଲେକନ କାର୍ଯ୍ୟ କରୁଥିବା ପ୍ରକଳ୍ପ ସହଯୋଗୀ ଦୀପକ କୁମାର ନାୟକ କହିଛନ୍ତି ଯେ ଏହା ହେଉଛି ଏକ ପୁରାତନ ଗୋପୀନାଥ ଦେବ ମନ୍ଦିର (କୃଷ୍ଣ ବା ବିଷ୍ଣୁ ମନ୍ଦିର)।
ବର୍ତ୍ତମାନର ପଦ୍ମାବତୀ ଗ୍ରାମ ପୂର୍ବରୁ ଯେଉଁ ସ୍ଥାନରେ ଥିଲା ତାହା ଏବେ ନଦୀ ଗର୍ଭରେ ରହିଛି। ନଦୀଗର୍ଭରେ ଲୀନ ସାତପାଟଣା (୭ଟି ଗ୍ରାମକୁ ନେଇ ଗଠିତ ଜନପଦ)ର ଏକ ଅଂଶ ହେଉଛି ପଦ୍ମାବତୀ ଗ୍ରାମ। ମହାନଦୀର ଗତିପଥ ବଦଳ ଓ କୂଳ ଲଙ୍ଘନ ସାଙ୍ଗକୁ ଉନବିଂଶ ଶତାବ୍ଦୀ (୧୮୦୧ରୁ ୧୯୦୦ ମଧ୍ୟରେ) ପଦ୍ମାବତୀ ଓ ଅନ୍ୟ ୬ ଗୋଟି ଗ୍ରାମ ଓ ଏସବୁ ଗ୍ରାମରେ ଥିବା ମନ୍ଦିରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଦୀ ଭିତରେ ଲୀନ ହୋଇଯାଇଛି। ଲୋକମାନେ ଗ୍ରାମ ଛାଡ଼ି ସୁରକ୍ଷିତ ସ୍ଥାନରେ ପୁଣି ନୂଆ ଗ୍ରାମ ବସାଇଛନ୍ତି। ବର୍ତ୍ତମାନ ପଦ୍ମାବତୀ ଗ୍ରାମରେ ଥିବା ଗୋପୀନାଥ ଦେବ ମନ୍ଦିରର ଈଶ୍ବର ପ୍ରତିମା ବୁଡ଼ିଯାଇଥିବା ମନ୍ଦିରର ମୂଳ ପ୍ରତିମା ବୋଲି ରୀ ନାୟକ ସୂଚନା ଦେଇଛନ୍ତି।
ଗ୍ରାମବାସୀଙ୍କ କହିବା ମୁତାବକ ମହାନଦୀ ବାଲି ଭିତରେ ଏହିପରି ୨୨ଟି ମନ୍ଦିର ବୁଡ଼ିରହିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଡେଙ୍ଗା ମନ୍ଦିର ଗୋପୀନାଥ ଦେବଙ୍କ ମନ୍ଦିରର ଚୂଡ଼ା (ମସ୍ତକ ବା ଦଧିନଉତି) କିଛି ବର୍ଷ ଯାଏଁ ପାଣି ଭିତରୁ ଉପରକୁ ଉଠି ରହିଥିବା ବେଳେ ପରେ ତଳକୁ ଖସି ଯାଇଥିଲା। ଶେଷ ଥର ପାଇଁ ୧୧ ବର୍ଷ ତଳେ ମନ୍ଦିରର ମସ୍ତକ ଦେଖିବାକୁ ମିଳିଥିଲା। ତେବେ ଗତ ବର୍ଷ ପାଣି ସ୍ତର କମ ଥିବା ବେଳେ ୪-୫ ଥର ମନ୍ଦିର ଦୃଶ୍ୟମାନ ହୋଇଛି ବୋଲି ଶ୍ରୀ ରଣା କହିଛନ୍ତି।
ମନ୍ଦିରଟି ପଞ୍ଚଦଶ-ଷୋଡ଼ଶ (୧୪୦୧ରୁ ୧୬୦୦ ମଧ୍ୟରେ) ଶତାବ୍ଦୀ ବେଳର ବୋଲି ପ୍ରକଳ୍ପ ମୁଖ୍ୟ ଅନୀଲ ଧୀର କହିଛନ୍ତି। ଏହା ପଶ୍ଚିମମୁଖୀ ମନ୍ଦିର ହୋଇଥିବା ବେଳେ ଏହାର ମୁଖଶାଳା ପିଢ଼ା ଶୈଳୀ ଓ ବିମାନ ରେଖା ଦେଉଳ ଶୈଳୀର ରହିଛି। ମନ୍ଦିରର ଉଚ୍ଚତା ପ୍ରାୟ ୬୦ ଫୁଟ ହେବ। ଖନନ କାର୍ଯ୍ୟ ଜାରି ରହିଛି ଓ ଭବିଷ୍ୟତରେ ଏ ମନ୍ଦିର ବାବଦରେ ଅଧିକ ତଥ୍ୟ ମିଳିବ ବୋଲି ଶ୍ରୀ ଧର କହିଛନ୍ତି।
Comments are closed.