Odisha Link
Bridging the Missing Links in Odisha

ରଥଯାତ୍ରା ପ୍ରସଙ୍ଗ: ସରକାର ନୁହେଁ ଭକ୍ତ ଗଲେ ସୁପ୍ରିମକୋର୍ଟ

ଭୁବନେଶ୍ବର: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ। ଆସନ୍ତା ସୋମବାର ଦିନ ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ଦାଖଲ ହୋଇଥିବା ମାମଲାର ପୁନଃବିଚାର କରନ୍ତି, ତେବେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ। ଭକ୍ତ ବିନା ରଥଯାତ୍ରା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ଦିବ୍ୟସିଂହ ମହାରାଜା ଏଭଳି ଆଶା ଦେଖାଇଛନ୍ତି।

ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ନେଇ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ରାୟ ପ୍ରଦାନ କରିଥିଲେ। ପକ୍ଷଭୁକ୍ତ ଆବେଦନକାରୀ ନୟାଗଡ଼ର ଅଫତାବ ହୁସେନଙ୍କ ଦ୍ବାରା ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି। ଅଫତାବ ପୂର୍ବରୁ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ପକ୍ଷଭୁକ୍ତ ହୋଇଥିଲେ ଏବଂ ରଥଯାତ୍ରା ଆୟୋଜନ କରାଯିବାକୁ ନେଇ ଇଣ୍ଟରଭେନ୍‌ସନ୍‌ ପିଟିସନ୍‌ ଦାଖଲ କରିଥିଲେ। ଅଫତାବ ହୁସେନଙ୍କ ଦ୍ବାରା ଦାଖଲ କରାଯାଇଥିବା ମୋଡ଼ି‌ଫିକେସନ ପିଟିସନ୍‌ରେ ଗତକାଲିର ରାୟର କିଛି ଅଂଶରେ ଆଂଶିକ ପରିବର୍ତ୍ତନ ପାଇଁ ଆବେଦନ କରାଯାଇଛି।

ଜଗନ୍ନାଥ ପ୍ରେମୀ ନୟାଗଡ଼ ଇଟାମାଟିର ଅଫତାବ୍‌ ହୁସେନ୍‌ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, କେବଳ ପୁରୀରେ ରଥଯାତ୍ରା କରାଯାଉ, ସେ ନେଇ ଯାହା ପଦକ୍ଷେପ ନେବା ଦରକାର ନିଆଯାଉ। ଯେହେତୁ ପୁରୀ ରଥଯାତ୍ରା ଶ୍ରୀମନ୍ଦିରର ରୀତିନୀତି ସହିତ ଜଡ଼ିତ। ଗତକାଲିର ଆଦେଶକୁ ଆଂଶିକ ପରିବର୍ତ୍ତନ କରି ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ସେବାୟତମାନଙ୍କ ଦ୍ବାରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନ‌ିର୍ଦ୍ଦେଶ ଦେବା ପାଇଁ ମୋଡିଫିକେସନ‌ ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି।

ଅଫତାବ୍‌ ଆହୁରି କହିଛନ୍ତି ଯେ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ଗୋଟିଏ ରୀତିନୀତି ନୁହେଁ, ଏହା ଲୋକଙ୍କର ଭାବାବେଗ ସହିତ ତଥା ହଜାର ହଜାର ବର୍ଷର ପରମ୍ପରା ସହିତ ଜଡ଼ିତ ବୋଲି ସେ ପିଟିସନ୍‌ରେ ଦର୍ଶାଇଛନ୍ତି। ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ରହିଥିବାରୁ ଅନୁମତି ଦିଆଯାଉ। ଏ ବର୍ଷ ରଥଯାତ୍ରାକୁ ବନ୍ଦ କରାଗଲେ ଏହା ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ, ଯାହାର ପ୍ରଭାବ ଜଗନ୍ନାଥ ସଂସ୍କୃତି ଓ ରୀତିନୀତିରେ ପଡ଼ିବ ବୋଲି ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ରଥଯାତ୍ରା ପାଇଁ ପ୍ରସ୍ତୁତି ଅନେକ ବାଟ ଆଗେଇଛି। ଅନେକ ସେବାୟତଙ୍କୁ ସଂଗରୋଧରେ ରଖାଯାଇଛି। କରୋନା ପରୀକ୍ଷା କରାଯାଇଛି। ପୁଲିସମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଛି। ତେଣୁ କମ୍‌ ଲୋକମାନଙ୍କୁ ନେଇ ରଥ ଟଣାଯାଉ। ଦରକାର ପଡ଼ିଲେ ପୁରୀ ସହରକୁ ସମ୍ପୂର୍ଣ୍ଣ ରୂପେ ସଟ୍‌ଡାଉନ୍‌ କରାଯାଇ ରଥଯାତ୍ରା କରାଯାଉ ବୋଲି ସେ ପିଟିସନ୍‌ରେ ଦର୍ଶାଇଛନ୍ତି।

ସେହିପରି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ତରଫରୁ ଦାଖଲ ଆବେଦନରେ କୁହାଯାଇଛି ଯେ ଗତ ମଇ ୩୦ରେ ସାମାଜିକ ଦୂରତ୍ୱ ନିୟମକୁ ମାନି ପୁରୀ ବଡ଼ଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନତା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ରଥଟଣା ବେଳେ ଗୋଟିଏ ରଥକୁ ପ୍ରଥମେ ଟଣା ଯିବା ପରେ ଅନ୍ୟ ରଥକୁ ଟଣା ଯାଇଥାଏ। ପ୍ରତି ରଥ ପିଛା ଅତିବେଶୀରେ ୨ଶହ ଏବଂ ତିନି ରଥ ପାଇଁ ସର୍ବାଧିକ ୬ଶହ ଲୋକ ରଥ ଟଣା କାର୍ୟ୍ୟରେ ଆବଶ୍ୟକ। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୨ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରେନା କଟକଣା ଏବଂ ଧାରା ୧୪୪ ଜାରି ହେବା ଯୋଗୁଁ ଭକ୍ତ ଆସି ପାରିନଥିଲେ। ଏସଂପର୍କିତ ତଥ୍ୟ ଗୁଡ଼ିକୁ ଓଡ଼ିଶା ସରକାର ଜୁନ ୧୮ ଶୁଣାଣି ବେଳେ ଉପସ୍ଥାପିତ କରିନାହାନ୍ତି ବୋଲି ମଞ୍ଚ ତରଫରୁ ଅଭିଯୋଗ ହୋଇଛି। ସାମାଜିକ ଦୂରତ୍ୱ ପାଳନ ସହ ସେବାୟତଙ୍କ ଦ୍ୱାରା ରଥଟଣା କାର୍ୟ୍ୟ ସମାପନ ହୋଇପାରିବ। ରଥଟଣା ପାଇଁ ସେବକ ଯଥେଷ୍ଟ ବାହାର ଲୋକଙ୍କ ଆବଶ୍ୟକ ନାହିଁ ବୋଲି ମଞ୍ଚ ତରଫରୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷେ ଚଳିତବର୍ଷ ରଥଯାତ୍ରା ବନ୍ଦପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ପୁନର୍ବିଚାର ପାଇଁ ଜଗତ୍‌ଗୁରୁ ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ସେ ଗଣମାଧ୍ୟମକୁ କହିଲେ, ଯଦ୍ୟପି ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମ୍ଭାବ୍ୟ ଉତ୍କଳବାସୀଙ୍କୁ କରୋନା ବିଭୀଷିକାରୁ ରକ୍ଷାକରିବା ପାଇଁ ଏଭଳି ନିର୍ଦେଶ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ; ତଥାପି ଅତ୍ୟାବଶ୍ୟକୀୟ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ ପରମ୍ପରା ପ୍ରାପ୍ତ ରଥଯାତ୍ରା ପ୍ରକଳ୍ପ କ୍ରିୟାନ୍ବିତ କରିବା ପୁନର୍ବିଚାର ପାଇଁ ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟର ଅବଶ୍ୟ ଆପେକ୍ଷିତ ରହିଛି। ଏହାଦ୍ବାରା ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ଯାନ୍ତ୍ରିକ ବିଧିରେ ଦର୍ଶନ ଲାଭକରି ଭକ୍ତବୃନ୍ଦ ଶୋକସନ୍ତପ୍ତରୁ ନିଜକୁ ମୁକ୍ତ କରିବାକୁ ସମର୍ଥସିଦ୍ଧ ହୋଇପାରିବେ ବୋଲି ଶଙ୍କରାଚାର୍ୟ୍ୟ ମତ ଦେଇଛନ୍ତି।

Comments are closed.