ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ କଲେ ମୋଦି, ୧୧୬ ଜିଲ୍ଲା ପାଇବେ ଲାଭ

ନୂଆଦିଲ୍ଲୀ: ପ୍ରବାସୀ ମାନଙ୍କ ପାଇଁ ଭଲ ଖବର। ଆଜି ଦେଶରେ ଶୁଭାରମ୍ଭ ହେଲା ଗରିବ କଲ୍ୟାଣ ଅଭିଯାନ। ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ପିଏମ୍ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ୫୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର।
ଏହି ଅଭିଯାନରେ ଦେଶର ୬ଟି ରାଜ୍ୟର ଯଥା ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ ଓ ଓଡ଼ିଶାର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ପ୍ରବାସୀ ଫେରିଥିବାରୁ ସେମାନଙ୍କୁ କାମ ଯୋଗାଇ ଦିଆଯିବ। ଅଭିଯାନ ଅନୁସାରେ ଯେଉଁ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ୨୫ ହଜାରରୁ ଅଧିକ ପ୍ରବାସୀ ଫେରିଥିବେ କେବଳ ସେହି ଜିଲ୍ଲଗୁଡ଼ିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏଥିରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲାବି ରହିଛି।
ଏହି ୧୧୬ଟି ଜିଲ୍ଲାରେ ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରାଯିବ। ଲକ୍ଡାଉନ୍ ସମୟରେ ଏହି ସବୁ ଜିଲ୍ଲାକୁ ୨୫, ୦୦୦ରୁ ଅଧିକ ପ୍ରବାସୀ ଶ୍ରମିଜୀବୀ ଫେରିଛନ୍ତି। ୫୦ ହଜାର କୋଟି ଟଙ୍କାରେ ୨୫ ପ୍ରକାର ଭିନ୍ନ ଭିନ୍ନ କାମ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବା ସହ ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ, ସଡ଼କ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଏବଂ କୃଷି ଆଦି ୧୨ଟି ମନ୍ତ୍ରାଳୟ ଓ ବିଭାଗର ସମନ୍ବୟରେ ଚାଲିବ।
ଦେଶରେ କରୋନା ଭାଇରସ୍ ସଙ୍କଟ ଯୋଗୁ କେନ୍ଦ୍ର ସରକାର ଦେଶର ମାର୍ଚ୍ଚ ୨୧ ତାରିଖରୁ ମୋ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାପରେ ବିଭିନ୍ନ କମ୍ପାନୀ ଓ କାର୍ଯ୍ୟ ସଂସ୍ଥା ବନ୍ଦ ହୋଇଯିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରି ଆସିଥିଲେ। ଫଳରେ ଦେଶର ବେରୋଜଗାରୀ ବଢିଯାଇଥିଲା। ଏବେ ସେମାନଙ୍କ କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
Comments are closed.