ହେବ କି ରଥଯାତ୍ରା?, ସୋମବାରକୁ ଅପେକ୍ଷା
ଭୁବନେଶ୍ବର: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ। ଆସନ୍ତା ସୋମବାର ଦିନ ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ଦାଖଲ ହୋଇଥିବା ମାମଲାର ପୁନଃବିଚାର କରନ୍ତି, ତେବେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ। ଭକ୍ତ ବିନା ରଥଯାତ୍ରା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ଦିବ୍ୟସିଂହ ମହାରାଜା ଏଭଳି ଆଶା ଦେଖାଇଛନ୍ତି।
ଶ୍ରୀମନ୍ଦିରରେ ଚଳିତବର୍ଷ ପାଳନ କରାଯିବ ଠାକୁରଙ୍କ ରଥଯାତ୍ରା ବିଧି। ଉତ୍ତମ ବ୍ୟବସ୍ଥା ଯାହା ପରମ୍ପରା ସମ୍ମତ ଏବଂ ଶାସ୍ତ୍ର ସମ୍ମତ ତାହାକୁ ଗ୍ରହଣ କରାଯିବ। ପୂର୍ଣ୍ଣମାତ୍ରାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ଗଜପତି ମହାରାଜା ଶ୍ରୀଦିବ୍ୟସିହ ଦେବ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଜପତି ମହାରାଜା କହିଥିଲେ ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୋଇଥାଏ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ପାଇଁ ରାଜ୍ୟ ସରକାର ପରାଶର୍ମ ଦେଇଛନ୍ତି। ତେଣୁ ଚଳିତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିରରେ କିମ୍ବା ରଥ ଉପରେ ଠାକୁରଙ୍କ କୌଣସି ବିଧିପାଳନ କରାଯିବନାହିଁ। ଧର୍ମୀୟ ବ୍ୟବସ୍ଥାରେ ଗଜପତିଙ୍କର କୌଣସି ଭୂମିକା ନ ଥିବା ସେ କହିଛନ୍ତି।
ଗଜପତି ମହାରାଜା ଆହୁରି କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କୁ ଭରସା କରିଥିଲୁ। ଗତକାଲି ପର୍ଯ୍ୟନ୍ତ ଆଶା କରିଥିଲୁ, ରଥଯାତ୍ରା ହେବ। ହେଲେ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ଯୋଗୁଁ ସୁପ୍ରିମ କୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି, ଏମିତି ଧାରଣା ସୃଷ୍ଟି ହୋଇଛି। ପ୍ରଥମରୁ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଭକ୍ତରେ ରଥଯାତ୍ରା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ ଏ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇନି। ଓଲଟା ସରକାର ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହୋଇପାରନ୍ତି ବୋଲି ତଥ୍ୟ ରଖିଥିବାରୁ ହୁଏତ ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଆଦେଶ ଦେଇଥାଇ ପାରନ୍ତି। ଏଥିପାଇଁ ମାମଲାର ପୁନଃବିଚାର କରିବାକୁ ନିବେଦନ କରାଯାଇଛି। ସରକାର ଏଥିରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ। ସ୍ୱୟଂ ଜଗନ୍ନାଥ ଚାହୁଁଛନ୍ତି ରଥଟଣା ହେଉ ବୋଲି କହିଛନ୍ତି ଗଜପତି ମହାରାଜା।
ସୁପ୍ରିମକୋର୍ଟରେ ଆଦେଶର ସଂଶୋଧନ ଆବେଦନ:
ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାର ୨୪ ଘଣ୍ଟା ନ ପୂରୁଣୁ ଏହି ଆଦେଶର ପୁର୍ନବିଚାର ତଥା ସଂଶୋଧନ(ମଡିଫିକେସନ୍) ପାଇଁ ଶୁକ୍ରବାର ଦୁଇଟି ଆବେଦନ ଦାଖଲ ହୋଇଛି। ସମଗ୍ର ଓଡ଼ିଶାରେ ରଥଯାତ୍ରା ଆୟୋଜନ ବନ୍ଦ କରିବା ସଂପର୍କିତ ନିର୍ଦେଶନାମାର ଆଂଶିକ ପରିବର୍ତ୍ତନ ନିମନ୍ତେ ନୟାଗଡ଼ ଜିଲାର ଆଫତାବ ହୁସେନଙ୍କ ତରଫରୁ ଆଡଭୋକେଟ ପ୍ରଣୟ ମହାପାତ୍ର ଓ ହର ପ୍ରସାଦ ସାହୁ ଏବଂ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ତରଫରୁ ଆଡ଼ଭୋକେଟ ହିତେନ୍ଦ୍ର ନାଥ ରଥ ଆବେଦନ କରିଛନ୍ତି। ଜୁନ ୨୩ ଘୋଷଯାତ୍ରା ଦିନ ପୁରୀ ଜିଲାରେ ସଟଡାଉନ ଘୋଷଣା କରାଯିବା ଏବଂ ସେବାୟତ ଓ ମନ୍ଦିର ପୁଲିସଙ୍କ ଉପସ୍ଥିତିରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି
Comments are closed.