କଳା ଦିବସ ଓ ମୋର କଳା କାରନାମା: ଏକ ସ୍ବୀକାରୋକ୍ତି
ଜୟପ୍ରକାଶଙ୍କ ପରି ମହାଜ୍ଞାନୀ ମହାବିପ୍ଲବୀ ଶସ୍ତା ରାଜନୈତିକ ଦଳଙ୍କ କୌଶଳ ଅବଲମ୍ବନ କରି ଇନ୍ଦିରାଙ୍କ ସହିତ ଲଢ଼ିଲେ। ଗୋଟିଏ ଚୋର ଦଳ ବିଦାହୋଇ ଆଉ ଏକ ବଡ଼ ଗ୍ୟାଙ୍ଗ୍ ଗାଦିରେ ବସିଲା। ଏ ଆନ୍ଦୋଳନ ପର୍ଯ୍ୟବେସିତ ହେଲା ନିଛକ ଦଳବଦଳିରେ।। ସମ୍ପୂର୍ଣ୍ଣ ବିପ୍ଳବ ଆନ୍ଦୋଳନ ସମ୍ପୂର୍ଣ୍ଣ ଫ୍ଲପ୍ ଶୋ’ରେ ସରିଗଲା।
ଭାରତୀୟ ଇତିହାସରେ ଆଜି ଦିନ ଏକ କଳା ଦିବସ। ୧୯୭୫ ଜୁନ୍ ୨୬ ତାରିଖରେ ଇନ୍ଦିରା ଗାନ୍ଧୀଙ୍କ କୃପାରୁ ଭାରତୀୟ ଜନସାଧାରଣ ଫ୍ୟାସିବାଦର ପ୍ରଥମ ସ୍ୱାଦ ପାଇଥିଲେ। ପୋଲିସ ଯାହାକୁ ଚାହୁଁଥିଲା ଘରୁ ଉଠାଇ ନେଉଥିଲା। ‘ମିଶା'(MISA) ଆଇନ ବଳରେ ଗିରଫ ହୋଇଥିବା ବ୍ୟକ୍ତିର କଣ ଦୋଷ ତାର ଜାଣିବାର ଅଧିକାର ନଥିଲା। ବିନା ବିଚାରରେ ଅନିର୍ଦ୍ଧିଷ୍ଟ କାଳ ତାକୁ ସରକାର ଜେଲରେ ରଖିପାରୁଥିଲେ। ଅବଶ୍ୟ କିଛି ବ୍ୟକ୍ତିଙ୍କୁ, ବିଶେଷକରି ଯେଉଁ ସବୁ ଦଳ ବା ଅନୁଷ୍ଠାନକୁ ନିଷିଦ୍ଧ କରିଦିଆଯାଇଥିଲା ପ୍ରଥମେ ସେ ସବୁର କର୍ମୀଙ୍କୁ ଭାରତ ରକ୍ଷା ଆଇନ(DIR) ବଳରେ ଗିରଫ କରା ଯାଉଥିଲା। ସେମାନଙ୍କୁ ଫୌଜଦାରୀ ଆଇନର ବିଧି ନିୟମ ଅନୁଯାୟୀ ବିଚାର କରାଯାଉଥିଲା।
ଏ ଲେଖକ ଜରୁରୀ ପରିସ୍ଥିତି ଜାରି ହେବା ସଙ୍ଗେ ସଙ୍ଗେ ପ୍ରଥମେ DIRରେ ଗିରଫ ହୋଇ କଟକ ଜେଲ( ଯାହା ପରେ ଚୌଦ୍ୱାରକୁ ଉଠିଗଲା)ରେ ୧୫ଦିନ ରହିଲା। ସେ ଆଇନ କାର୍ଯ୍ୟକାରୀ କରିବାରେ ଏକ ତ୍ରୁଟି ରହିଯାଇଥିବାରୁ ସବୁ DIR ବନ୍ଦୀଙ୍କୁ ୧୫ଦିନ ପରେ ଖଲାସ କରିଦିଆଗଲା। ମୁଁ ଖଲାସ ହୋଇ ଘରେ ପହଞ୍ଚି ଗୋଡ଼ହାତ ଧୋଉଛି, ପୁଣି ଅକ୍ରୁର ଆସି ମାମୁଁ ଘରକୁ ଧରିନେଲେ। ଏଥର ମୋର ମିଶାକୁ ପେଦାନ୍ନତି ହୋଇଗଲା। ସେହି କଟକ ଜେଲରେ ଆଉ ସାତ ମାସ ରହିଲି।
ଜେଲ ଜୀବନକୁ ଯଦିଓ ବେଶ୍ ପଢ଼ାପଢ଼ି କରି ଓ ସାଥୀମାନଙ୍କ ସହିତ ହସମଜା କରି କାଟି ଦେଲି ତଥାପି ସେଥିରୁ କୋୖଣସି ସାତ୍ଵିକ ଆନନ୍ଦ ମିଳିନଥିଲା। କାରଣ ଯେଉଁ ଆନ୍ଦୋଳନ ପାଇଁ ଜେଲ ଗଲି ମୋତେ ମୂଳରୁ ଲାଗୁଥିଲା ଯେ ସେ ଆନ୍ଦୋଳନର ପ୍ରଣବ ଅଶୁଦ୍ଧ ଥିଲା। ସେତେବେଳେ ଜୟପ୍ରକାଶଜୀଙ୍କ ପ୍ରତି ଦେଶସାରା ନିରପେକ୍ଷ ବୁଦ୍ଧିଜୀବୀ ଶ୍ରେଣୀ, ସର୍ବୋଦୟ ଓ ଅନ୍ୟ ଗାନ୍ଧିବାଦୀ ସଂଗଠନର ସଚ୍ଚୋଟ କର୍ମୀ, ସର୍ବୋପରି ଛାତ୍ରସମାଜ ଅଭୂତପୂର୍ବ ସମର୍ଥନ ଜଣାଇଥିଲେ। ଦେଶସାରା ମୋ ଭଳି କିଛି ସର୍ବୋଦୟ କର୍ମୀ ଏହି ନିରପେକ୍ଷ ପ୍ରକୃତ ପରିବର୍ତ୍ତନକାମୀ ସମର୍ଥକମାନଙ୍କୁ ନେଇ ଇନ୍ଦିରାଙ୍କ ଏକଛତ୍ରବାଦ, ଦୁର୍ନୀତି ଓ ପାରିବାରିକ ଶାସନ ବିରୁଦ୍ଧରେ ସଂଗ୍ରାମ କରାଯାଉ ବୋଲି ମତ ଦେଇଥିଲେ। ମାତ୍ର ସେତେବେଳେ ଜେପିଙ୍କୁ “ଇନ୍ଦିରା ହଟାଓ” ନିଶା ଏତେ ଜୋର ଘାରିଥିଲା ଯେ ତାଙ୍କଭଳି ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ ସମସ୍ତ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଇନ୍ଦିରାଙ୍କ ଭଳି ସମାନଭାବେ ଦୁର୍ନୀତିଗ୍ରସ୍ତ ଵିଭିନ୍ନ ରାଜନୈତିକ ଦଳ ତଥା ଜନସଂଘ (ଏବେର ବିଜେପି) ଓ RSSକୁ ନେଇ ଇନ୍ଦିରାଙ୍କ ବିରୁଦ୍ଧରେ “ସମ୍ପୂର୍ଣ କ୍ରାନ୍ତି” ଆନ୍ଦୋଳନ ଚଳାଇଲେ। ଆମକୁ ଏହା ଗୋଟାଏ ଅସନା ଡଷ୍ଟରରେ ଅସନା ବ୍ଲାକ ବୋର୍ଡ ଲିଭାଇବାକୁ ଚେଷ୍ଟା ଭଳି ଲାଗିଲା।
ଆମମାନଙ୍କର ଏହି ମତ ଆମ ନେତା ନବକୃଷ୍ଣ ଚୌଧୁରୀଙ୍କୁ ଜଣାଇବାରୁ ସେ ମୋତେ ବୁଝାଇଥିଲେ, “ଏ ଯେଉଁ ନେତାମାନଙ୍କୁ ଆମ ସାଥିରେ ନେବାକୁ ପଡ଼ୁଛି ସେମାନଙ୍କୁ କ’ଣ ତୁ ମୋଠୁ ବେଶି ଚିହ୍ନିଛୁ? କିନ୍ତୁ କ’ଣ କରାଯିବ? ଏହା ବାଳ ବାଛିବାରର ବେଳ ନୁହେଁ, କାମର ବେଳ। ଇନ୍ଦିରାକୁ ହଟାଇବାକୁ ହେଲେ ଏ ଦଳମାନଙ୍କର ସାହାଯ୍ୟ ନେବାକୁ ପଡିବ।”
ମନମୋହନ ଚୌଧୁରୀ କହିଲେ, ” ମୁଁ ବି ଏ ରାଜନୈତିକ ଦେବାଳିଆ ଦଳ ଓ RSSର ଉପସ୍ଥିତିରେ ଅଶ୍ଵସ୍ତ ଅନୁଭବ କରୁଛି । କିନ୍ତୁ ଜେପିଙ୍କ ‘ଜିଦ୍’, ଏହି strategy ଗ୍ରହଣ କରିବାକୁ ହେବ।” (ମନମୋହନ ଚୌଧୁରୀ ତାଙ୍କ ଆତ୍ମ ଜୀବନୀ “କସ୍ତୁରୀ ମୃଗ ସମ”ରେ ଆତ୍ମ-ସମାଲୋଚନା କରିବାକୁ ଯାଇ ଜେପିଙ୍କ ଜିଦ୍ କଥାର ବିଶଦ୍ ଆଲୋଚନା କରିଛନ୍ତି।)
ଆମର ଯୁକ୍ତି ଥିଲା ଯେ ଇନ୍ଦିରା ରହନ୍ତୁ କି ଯାଆନ୍ତୁ ଏ ଯେଉଁ ଅଭୂତପୂର୍ବ ଜନ ଉଦ୍ବେଳନ ଦେଖାଦେଇଛି ତାକୁ ଏକ ଆନ୍ଦୋଳନ ସ୍ତରକୁ ନେବାକୁ ହେଲେ ତାର ସାତ୍ବିକତା ବଜାୟ ରଖିବାକୁ ହେବ। ବ୍ୟବସ୍ଥା ପରିବର୍ତ୍ତନ ଦିଗରେ ଜନସାଧାରଣଙ୍କ ଅସଲ ରାଜନୈତିକ ଶିକ୍ଷା ପାଇଁ ଏହାକୁ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ଦଳୀୟ ସ୍ଵାର୍ଥକୁ ସର୍ବୋଚ୍ଚ ସ୍ଥାନ ଦେଉଥିବା ଖ୍ୟମତାସର୍ବସ୍ଵ ରାଜନୈତିକ ଦଳମାନଙ୍କଠାରୁ ଆନ୍ଦୋଳନକୁ ଦୂରେଇ ରଖିବାକୁ ହେବ। ‘ମୁନୀନାଞ୍ଚ ମତିଭ୍ରମ’ ନ୍ୟାୟରେ ଗାନ୍ଧୀଜୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ରୂପେ ପରିଚିତ ବିନୋବାଜୀ ଇନ୍ଦିରାଙ୍କୁ ଆଖିବୁଜା ସମର୍ଥନ ଦେଲେ ଓ ଜେପିଙ୍କ ପରି ମହାଜ୍ଞାନୀ ମହାବିପ୍ଲବୀ ଶସ୍ତା ରାଜନୈତିକ ଦଳଙ୍କ କୌଶଳ ଅବଲମ୍ବନ କରି ଇନ୍ଦିରାଙ୍କ ସହିତ ଲଢ଼ିଲେ। ଗୋଟିଏ ଚୋର ଦଳ ବିଦାହୋଇ ଆଉ ଏକ ବଡ଼ ଗ୍ୟାଙ୍ଗ୍ ଗାଦିରେ ବସିଲା। ଏ ଆନ୍ଦୋଳନ ପର୍ଯ୍ୟବେସିତ ହେଲା ନିଛକ ଦଳବଦଳିରେ।। ସମ୍ପୂର୍ଣ୍ଣ ବିପ୍ଳବ ଆନ୍ଦୋଳନ ସମ୍ପୂର୍ଣ୍ଣ ଫ୍ଲପ୍ ଶୋ’ରେ ସରିଗଲା।
ଏ ଆନ୍ଦୋଳନରୁ ଓହରି ଯିବାକୁ ଇଚ୍ଛା ହେଉଥିଲେ ମଧ୍ୟ ନବକୃଷ୍ଣ ଚୌଧୁରୀଙ୍କର ଶୃଙ୍ଖଳିତ ସୈନିକ ରୂପେ ଆନ୍ଦୋଳନରେ ରହିଲି ଓ ଜେଲ୍ ଗଲି। (ଅବଶ୍ୟ ଆମ ଭୟ ସତ୍ୟ ପ୍ରମାଣିତ ହେଲା। ଯେଉଁ ମତଦାତା ଇନ୍ଦିରାଙ୍କ ବେୟୁଅନେଟ୍କୁ ନ ଡରି ଜନତା ଦଳକୁ କ୍ଷମତାକୁ ଆଣିଥିଲେ ଦୁଇବର୍ଷ ପରେ ସେହିମାନେ ପୁଣି ସେମାନଙ୍କୁ ଲାତମାରି କଂଗ୍ରେସକୁ ଫେରାଇ ଆଣିଲେ।) କେବଳ ସ୍ପଷ୍ଟ ଲାଭ ହେଲା ବିଜେପିର। ସେବେଠୁ ବିଜେପି ଆଉ ପଛକୁ ଚାହିଁ ନାହିଁ। ସର୍ବୋଦୟର ଗୋଟିଏ ଗୋଷ୍ଠୀ କଂଗ୍ରେସ ପାଇଁ ଓ ଆଉ ଗୋଟିଏ ଗୋଷ୍ଠୀ ଜନତା ଦଳ ପାଇଁ ନିଚ୍ଛକ ସିଡ଼ି ହୋଇଗଲେ, ଯଦିଓ ବିଭିନ୍ନ ପ୍ରଗତିଶୀଳ ଆନ୍ଦୋଳନ ଭିତରେ ସର୍ବୋଦୟ ଆନ୍ଦୋଳନ ଏକ ସେତୁ ହେବାର ସମ୍ଭାବନା ରଖିପାରିଥିଲା। (ସର୍ବୋଦୟ ଦୃଷ୍ଟିକୋଣରୁ ଜେପିଙ୍କ ଆନ୍ଦୋଳନର ମୁଁ କରିଥିବା ଏକ ସମୀକ୍ଷା ସ୍ଵର୍ଗତ ଚିତ୍ତରଞ୍ଜନ ଦାସଙ୍କ ସମ୍ପାଦିତ “ରାଜନୀତିର ଭାରତ”ରେ ଓ ପରେ ‘ସର୍ବୋଦୟ’ ପତ୍ରିକାରେ “ସର୍ବୋଦୟ: ସିଡ଼ି ନା ସେତୁ” ଶୀର୍ଷକ ବହନ କରି ପ୍ରକାଶିତ ହୋଇଛି।)
ସମାଜବାଦୀ ଆନ୍ଦୋଳନର ମଧ୍ୟ ଠିକ୍ ସେହି ଅବସ୍ଥା ହେଲା। ସେବେଠାରୁ ଉଭୟ ସର୍ଵୋଦାୟ ଆନ୍ଦୋଳନ ତଥା ସମାଜବାଦୀ ଆନ୍ଦୋଳନ ବସ୍ତୁତଃ ଜୀବନ୍ମୃତ ଅବସ୍ଥାରେ ରହିଛନ୍ତି।
୧. ମୂଳରୁ କଇଁଥିଆ ହୋଇଯାଇଥିବା ଓ ବାଟ ହୁଡ଼ିଯାଇଥିବା ଏ ଆନ୍ଦୋଳନରେ କେବଳ ଗୁରୁଜନଙ୍କୁ ଖୁସି କରିବାକୁ ଯାଇ ଶେଷ ଯାଏ ରହିଲି ଓ ଜେଲ ଗଲି। ଜେଲରେ ପଶିସାରି DIRରେ ହୋଇଥିବା ପୋଲିସର ଚାର୍ଜଶିଟ୍ରୁ ମୋ ଓକିଲ ଆବିଷ୍କାର କଲେ ଯେ ମୋତେ CPI(ML) ଦଳର ସଭ୍ୟରୂପେ ଗିରଫ କରାଯାଇଛି। ଏହା ମୋତେ ଆହୁରି ଆଶ୍ଚର୍ଯ୍ୟ କଲା। କାରଣ ନବ ବାବୁ ଓ ମାଳତୀ ଦେବୀଙ୍କ ଭଳି ମୁଁ ମଧ୍ୟ ଗାନ୍ଧୀ ଆଦର୍ଶରେ ହିଁ ବିଶ୍ଵାସ କରୁଥିଲି। ନକ୍ସଲପନ୍ଥୀଙ୍କ ଦର୍ଶନରେ ମୁଁ ବିଶ୍ବାସ କରୁନଥିଲେ ମଧ୍ୟ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସେମାନଙ୍କର ବ୍ୟାକୁଳତା ଓ ସେଥିପାଇଁ ସେମାନେ କରୁଥିବା ଅକଳ୍ପନୀୟ ତ୍ୟାଗ ଓ କଷ୍ଟ ଦଳମତ ନିର୍ବିଶେଷରେ ଅନ୍ୟ ଅନେକଙ୍କ ପରି ମୋତେ ମଧ୍ୟ ମୁଗ୍ଧ କରୁଥିଲା। ସେମାନଙ୍କୁ ବିନା ବିଚାର ରେ ଯପରି encounter ନାରେ ପୋଲିସ ସିଧା ସିଧା ହତ୍ୟା କରୁଥିଲା, ତାହା ବେଆଇନ୍ ଥିଲା। ସେମାନଙ୍କୁ ଓଡ଼ିଶା ନାଗରିକ ସ୍ଵାଧିକାର ସମିତି ତରଫରୁ ଆଇନ୍ ଗତ ସାହାଯ୍ୟ ଦିଆଯାଉଥିଲା। ସେ ସମିତିରେ ମାଳତୀ ଦେବୀ ସଭାନେତ୍ରୀ, ସମାଜବାଦୀ ଆଇନଜୀବୀ ଶ୍ରୀ ନିବାସ ମିଶ୍ର(କ) ସମ୍ପାଦକ ଓ ମୁଁ ସଙ୍ଗଠନ ସମ୍ପାଦକ ରହିଥିଲୁ। ମାତ୍ର ମୋତେ CPI(ML) ଦଳର card holder ରୂପେ ପରିଚିତ କରିବା ମୋ ପ୍ରତି ଅନ୍ୟାୟ ଓ ସେମାନଙ୍କ ପ୍ରତି (ସେମାନଙ୍କ ତ୍ୟାଗ ଦୃଷ୍ଟିରୁ) ଅପମାନଜନକ ବୋଲି ଭାବୁଥିଲି। ଜେପିଙ୍କ ଆନ୍ଦୋଳନ ପ୍ରତି ଅସନ୍ତୋଷ ଓ ମୋ ବିରୁଦ୍ଧରେ ସରକାରଙ୍କର ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ- ଏ ଉଭୟକୁ ମୁଣ୍ଡାଇ ଜେଲରେ ପଶିବାଟା, ସତରେ, ମୋତେ ହତୋତ୍ସାହିତ କରିଦେଇଥିଲା।
୨. ଏହିପରି ଏକ ମୁହୂର୍ତ୍ତରେ ମୋର ଖଲାସ ନିର୍ଦ୍ଦେଶ ଆସିଲା। (ପରେ ବିଶିଷ୍ଟ ସର୍ବୋଦୟ ନେତା ସ୍ଵର୍ଗତ ରତନ୍ ଦାସଙ୍କ ଠାରୁ ଶୁଣିଲି ଯେ ମୋ ଘରଲୋକଙ୍କ ବ୍ୟସ୍ତତା ଦେଖି ସେ ମୋ release ପାଇଁ ଚେଷ୍ଟା କରିଥିଲେ)। ରିଲିଜ୍ ପୂର୍ବରୁ ମୋତେ କୁହାଗଲା, “ଏବେ (ଅର୍ଥାତ୍, ସାତ ମାସ ପରେ!) ଇନ୍କ୍ବାରୀରୁ ଜଣାପଡ଼ିଲା ଯେ ଆପଣ ନକ୍ସଲ ଦଳରେ ନଥିଲେ। ତଥାପି ଆପଣଙ୍କୁ ଲେଖିଦେବାକୁ ହେବ ଯେ ଆପଣ CPI(ML) ଦଳରେ ନଥିଲେ କି ସେମାନଙ୍କ ପାଇଁ କାମକରୁନଥିଲେ କି ଭବିଷ୍ୟତରେ ସେମାନଙ୍କ ପାଇଁ କାମ କରିବେ ନାହିଁ।” ଯଦିଓ ସେ ପ୍ରକାର ବକ୍ତବ୍ୟ ଶତକଡା ୧୦୦ ସତ୍ୟ, ତଥାପି ମୁଁ ବୁଝି ପାରିଲି ଯେ ମୋତେ ଅପମାନିତ କରିବା ପାଇଁ ମୋ ଠାରୁ ଏପରି ଅନାବଶ୍ୟକ undertakingଟିଏ ଲେଖେଇ ନିଆଯାଉଛି। ତେବେ ଏ ଜରୁରୀକାଳୀନ ପରିସ୍ଥିତି କେତେକାଳ ରହିବ, ସେତେବେଳେ (ବୋଧହୁଏ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କ ଛଡ଼ା) ଆଉ କେହି ଜାଣିନଥିଲେ।ତା ଛଡା ନକ୍ସଲପନ୍ଥୀଙ୍କୁ ଜରୁରୀ ପରସ୍ଥିତି ଉଠିଯିବା ପରେ ମଧ୍ୟ ଅନିର୍ଦିଷ୍ଟ କାଳ ଅଟକ ରଖି ବିଚାର ଚାଲିବ ବୋଲି ଶୁଣା ଯାଉଥାଏ। ନିରର୍ଥକ (ମୋ ପାଇଁ) ଉପରୋକ୍ତ ଦୁଇଟି କାରଣରୁ ଅନିର୍ଦିଷ୍ଟ କାଳ ଜେଲ୍ ଭୋଗିବା ଓ ଜୀବନର ବହୁମୂଲ୍ୟ ସମୟ ନଷ୍ଟ କରିବା ନିର୍ବୋଧତା ହେବ ବୋଲି ଭାବିଲି ଓ ଉପରୋକ୍ତ ମର୍ମରେ ମୁଚାଲିକାଟିଏ ଲେଖି ଜାନୁୟାରୀ ୧୯୭୬ରେ ଖଲାସ ହେଲି।
୩. ଅବଶ୍ୟ ଏବେ ମଧ୍ୟ ମୋର ବିଶ୍ଵାସରେ ମୁଁ ଅଟଳ ରହିଛି ଯେ ଭୋଟବେପାରୀ ରାଜନୈତିକ ଦଳଙ୍କ ସହିତ ସାମାଜିକକର୍ମୀଙ୍କ ମିତ୍ରଭାବ (hobnobbing) ସାମାଜିକ ଆନ୍ଦୋଳନମାନଙ୍କର ପ୍ରଭୁତ କ୍ଷତି କରୁଛି, ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ଅବଶେଷରେ ସେ ଆନ୍ଦୋଳନ ରାଜନୀତିଜୀବୀଙ୍କ ପାଇଁ ଏକ ସିଡ଼ି ହୋଇଯାଉଛି। ଏବେ ବି ମୋର ଅଭିଯୋଗ ଯେ ଜରୁରୀ ପରିସ୍ଥିତିର ପ୍ରତ୍ୟକ୍ଷ ଅନୁଭୂତି ଯାହାଙ୍କର ଅଛି ସେ ବନ୍ଧୁମାନେ ମଧ୍ୟ ସେହି ଭୁଲ୍ ଏବେ ବି କରୁଛନ୍ତି। (ଯଦିଓ ମନମୋହନ ଚୌଧୁରୀଙ୍କ ପରି ଜେପି ଶେଷ ଜୀବନରେ ନିଜର ଭୁଲ୍ ବୁଝିପାରିଛନ୍ତି।) ମୋର ଏହି ଦୃଢ଼ତା (conviction) ହେତୁ ୧୯୭୫-୭୬ ପୂର୍ବରୁ ଓ ପରେ ମଧ୍ୟ ଶାସନ ଗାଦିକୁ ଆସିଥିବା ଦଳମାନଙ୍କ ସହିତ ମୋ ପରିବାରର ଖୁବ୍ ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ସେ ଖେଳ ଖେଳିବାତ ଦୂରର କଥା ମୋର ରାଜନୈତିକ ହେତୁ ପାଇବା ଦିନୁ ଭୋଟ କେନ୍ଦ୍ରକୁ ଯାଇ (ନିୟମାନୁଯାୟୀ) blank ballot ଫେରାଇ ଆସିଛି ଓ ଏବେ NOTA ର ପ୍ରଚାର କରୁଛି।
୫. ଉପରୋକ୍ତ ଅପମାନଜନକ କାର୍ଯ୍ୟଟି ମୋ ଆତ୍ମଜୀବନୀରେ ଲିପିବଦ୍ଧ କରିଥିଲେ ମଧ୍ୟ ଆଜିର ଏହି କଳା ଦିବସରେ ବନ୍ଧୁମାନଙ୍କ ଆଗରେ confess କରିବା ସ୍ଥିରକଲି। କାଳେ ତଦ୍ୱାରା ସେ କଳାକାରନାମାର କିଛି ପ୍ରାୟଶ୍ଚିତ ହୋଇଯିବ!
Comments are closed.